ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଉପୁଜିଥିବା ବନ୍ୟା ସ୍ଥିତିକୁ ନେଇ ଜଳସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜଳ ସମ୍ପଦ ବିଭାଗର ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ସୁବର୍ଣ୍ଣରେଖା, ବୈତରଣୀ ଏବଂ ବ୍ରାହ୍ମଣୀ ନଦୀର ସ୍ଥିତି ସମୀକ୍ଷା କରାଯାଇଛି। ବର୍ତ୍ତମାନ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଜଳ ସ୍ଥିର ରହିଥିବା ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ସୁବର୍ଣ୍ଣରେଖା ସିଷ୍ଟମରେ କୌଣସି ଘାଇ ହୋଇନାହିଁ। ବନ୍ୟା ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି। ସେ କହିଛନ୍ତି ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ। ତେଣୁ ବନ୍ୟା ବିପନ୍ନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ଉପରେ ଗୁରୁତ୍ଵ ଦିଆଯାଉଛି। ଜଳ ଘେରରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ହେଲିକପ୍ଟର ପଠାଯାଇଛି। ନାଇଟ ପାଟ୍ରୋଲିଂ ମଧ୍ୟ କରାଯାଉଛି ବୋଲି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।
ସୁବର୍ଣ୍ଣରେଖାର ଜଳସ୍ତର ସ୍ଥିର ରହିବା ସହ ଅନ୍ୟ ନଦୀଗୁଡ଼ିକରେ ବନ୍ୟାଜଳ କମିବା ଆରମ୍ଭ ହୋଇଛି। ପରିସ୍ଥିତି ଉପରେ ନଜର ରଖାଯାଇଛି। ତଳିଆ ଅଞ୍ଚଳଗୁଡ଼ିକରେ ବନ୍ୟା ଜଳ ପଶିଛି। ଜରୁରୀକାଳିନ ପରିସ୍ଥିତି ପାଇଁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି। ପ୍ରଚୁର ପରିମାଣରେ ବାଲି ବସ୍ତା ଏବଂ ବଲହା ମହଜୁଦ ରଖାଯିବା ସହ ପରିସ୍ଥିତିର ମୁକାବିଲା ଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଆଜି ଦିନଟି ବେଶ୍ ଗୁରୁତ୍ଵପୂର୍ଣ୍ଣ ରହିଥିବାରୁ ସମସ୍ତେ ସଜାଗ ରହିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ।
Tags: #Flood #FloodSituation #ReviewMeeting #WaterResourceMinisterTukuniSahu


















