ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁର୍ଗା ପୂଜା ଯେତିକି ପାଖେଇ ଆସୁଛି, ଲୋକଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ିବାରେ ଲାଗିଛି। ଆଖି ଲାଖିଲା ପରି ତୋରଣ ପ୍ରସ୍ତୁତି ପାଇଁ ପୂଜା କମିଟିଗୁଡ଼ିକ ଲାଗିପଡ଼ିଛନ୍ତି। ଏହି କ୍ରମରେ ଭୁବନେଶ୍ୱରର ଭିଏସ୍ଏସ୍ ନଗର ସର୍ବଜନୀନ ଦୁର୍ଗା ପୂଜା ସମତି ପକ୍ଷରୁ ଆୟୋଜନ ଆରମ୍ଭ ହୋଇଛି।

୪୪ବର୍ଷ ଧରି ଭିଏସଏସ ନଗର ଦୁର୍ଗାପୂଜା ସମିତି ପକ୍ଷରୁ ଏହି ପୂଜା ଆୟୋଜିତ ହୋଇଆସୁଛି। ଦୀର୍ଘ ୨ବର୍ଷ ଧରି କରୋନା କଟକଣା ମଧ୍ୟରେ ପୂଜା ଆୟୋଜନ ଫିକା ପଡ଼ିଥିବାବେଳେ ଚଳିତ ବର୍ଷ ଆଡମ୍ବର ସହକାରେ ମା’ଙ୍କ ପୂଜା ଆୟୋଜନ କରାଯାଉଛି। ପୂଜାକୁ ଆକର୍ଷଣୀୟ କରିବା ପାଇଁ ଚଳିତ ବର୍ଷ ପୂଜା ସମତି ପକ୍ଷରୁ ‘ପୋଲିସ୍ ସେବା ଭବନ’ ଢ଼ାଞ୍ଚାରେ ତୋରଣ ପ୍ରସ୍ତୁତ କରାଯିବ। ସହରର ପ୍ରମୁଖ କାର୍ଯ୍ୟାଳୟଗୁଡ଼ିକ ମଧ୍ୟରୁ ପୋଲିସ ସେବା ଭବନ ଏକ ଆକର୍ଷଣୀୟ ବିଲ୍ଡ଼ିଂ ହୋଇଥିବାବେଳେ ଏହିପରି ତୋରଣ ପ୍ରସ୍ତୁତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ସମସ୍ତ ପୂଜା ଆୟୋଜନ ପାଇଁ ଚଳିତ ବର୍ଷ ୮ଲକ୍ଷ ଟଙ୍କାର ବ୍ୟୟ ସ୍ଥିର କରାଯାଇଛି। ସହରର ଅନ୍ୟାନ୍ୟ ମଣ୍ଡପରେ ତୋରଣ ପ୍ରସ୍ତୁତି ପାଇଁ ବଙ୍ଗୀୟ କାରିଗର ନିୟୋଜିତ ହେଉଥିବାବେଳେ ଏଠାରେ ସ୍ଥାନୀୟ କାରିଗର ଏହି ଦାୟିତ୍ୱ ନେଇଛନ୍ତି।

୪୦ ଫୁଟ୍ ପ୍ରଶସ୍ତ ୫୦ଫୁଟ୍ ଉଚ୍ଚ ତୋରଣରେ ମା’ ପୂଜା ପାଇବେ। ମହାଷ୍ଟମୀ ଓ ଦଶମୀରେ  ହଜାର ହଜାର ସଂଖ୍ୟାରେ କେବଳ ମହିଳା ଶ୍ରଦ୍ଧାଳୁ ଯୋଗ ଦିଅନ୍ତି। ତେବେ ଅଷ୍ଟମୀ ଦିନ ମା’ଙ୍କ ପାଖରେ ଖେଚୁଡି ଓ ଡ଼ାଲମା ଭୋଗ ଲାଗି କରିବାର ବିଧାନ ରହିଛି। ସେହିପରି ବିଜୟା ଦଶମୀରେ ଦହିପଖାଳ ଭୋଗ କରାଯିବାର ପରମ୍ପରା ରହିଥିବା ସମିତିର ଉପସଭାପତି ଦିଲୀପ ଦାଶଶର୍ମା କହିଛନ୍ତି।

ସୁନିଆଁ ଅବସରରେ ମୃତ୍ତିକା ଅନୁକୂଳ ପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଗଠନ ଆରମ୍ଭ କରାଯିବ। ଜରି ମେଢ଼ ସହ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ପ୍ରାୟ ୧୮ ଫୁଟ୍ ରହିବ। ରୂପା ମୁକୁଟ ଓ ରୂପାହାର ମୂର୍ତ୍ତିର ଅନ୍ୟତମ ଆକର୍ଷଣ।

ଗତବର୍ଷ ୨ବର୍ଷ ଦରି କରୋନା କଟକଣାରେ ପୂଜା କରାଯାଇଥିବାବେଳେ ଚଳିତ ବର୍ଷ ୨୦ ହଜାରୁ ଊର୍ଦ୍ଧ୍ଵ ଭକ୍ତଙ୍କ ସମାଗମ ହେବାର ଆଶା କରାଯାଉଥିବା ସମିତିର ସହସମ୍ପାଦକ ଶୀତଳଚନ୍ଦ୍ର ମହାନ୍ତି କହିଛନ୍ତି। ସାଜସଜ୍ଜା ଅପେକ୍ଷା ପୂଜା ଉପରେ କମିଟି ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି। ପ୍ରତିବର୍ଷ ଏହି ମଣ୍ଡପରେ ଗଜଲକ୍ଷ୍ମୀ ପୂଜା, କାଳୀ ପୂଜା ଓ ଦୁର୍ଗାପୂଜା ଏହି ମଣ୍ଡପରେ ବିଧିବିଧାନ ସହ ପୂଜା କରାଯାଉଥିବା ସେ କହିଛନ୍ତି।

Tags: #VSSNagarDurgaPuja #BhubaneswarDurgaPuja2022 #Dussera2022 #CommissionratePoliceOdisha

Comment