ଓଡ଼ିଶାଲାଇଭ୍ ବ୍ୟୁରୋ

ପାଖେଇ ଆସୁଛି ଦଶହରା ପର୍ବ। ଆଗମନ କରିବେ ମା’ ଦୁର୍ଗା। ଆକର୍ଷଣୀୟ ‌ତୋରଣ ତଥା ସୁସଜ୍ଜିତ ମେଢ଼ ପାଇଁ ଭୁବନେଶ୍ୱର ରସୁଲଗଡ଼ ଦୁର୍ଗାପୂଜା‌ କମିଟି ପକ୍ଷରୁ ପୂଜା ଆୟୋଜନ ଆରମ୍ଭ ହୋଇଯାଇଛି। ମା’ଙ୍କ ପୂଜାସ୍ଥଳିକୁ ଆକର୍ଷଣୀୟ କରିବା ପାଇଁ ଦିଲ୍ଲୀ ‘ଅକ୍ଷରଧାମ’ ମନ୍ଦିରର ଅବିକଳ ନକଲ ନିର୍ମାଣ କରାଯାଉଛି।

୩୦ଲକ୍ଷ ଟଙ୍କାରୁ ଅଧିକ ବ୍ୟୟରେ ପ୍ରସ୍ତୁତ ହେବାକୁ ଥିବା ତୋରଣର  ଉଚ୍ଚତା ୬୫ ଫୁଟ୍‌ ଓ ଓସାର ୧୨୦ ଫୁଟ୍‌ ହେବ। ନିଖୁଣ ଢ଼ଙ୍ଗରେ ତୋରଣ ପ୍ରସ୍ତୁତ କରିବା ପାଇଁ ପଶ୍ଚିମବଙ୍ଗର କାରିଗର ମାନଙ୍କୁ ନିୟୋଜିତ କରାଯାଇଛି।   ପ୍ରାୟ ୭୦ଜଣ କାରିଗର ଏହି ତୋରଣ ପ୍ରସ୍ତୁତ କରୁଛନ୍ତି।

୧୧୯୨ ମସିହାରୁ ଆରମ୍ଭ ହୋଇଥିବା ରସୁଲଗଡ଼ ଦୁର୍ଗାପୂଜା ଚଳିତ ବର୍ଷ ୩୦ ବର୍ଷରେ ପଦାର୍ପଣ କରୁଛି। ୨ବର୍ଷ ଧରି କରୋନା କଟକଣା ମଧ୍ୟରେ ପୂଜା ଆୟୋଜନ ଫିକା ପଡ଼ିଥିବାବେଳେ ଚଳିତବର୍ଷ ଧୁମଧାମରେ  ପୂଜା ଓ ଭସାଣି ଯାତ୍ରା ଅନୁଷ୍ଠିତ ହେବ। ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ଯଥାରୀତି ପୂଜା ବିଧ ଅନୁଷ୍ଠିତ ହେବା ସହ ପାଞ୍ଚ ଦିନଯାକ ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଷଷ୍ଠୀ ତିଥିରୁ ମେଲୋଡି ନାଇଟ୍ ଆରମ୍ଭ ହେବାକୁ ଥିବା ବେଳେ ପର ଦିନମାନଙ୍କରେ ନାଚ, ଗୀତ ଭଳି କାର୍ଯ୍ୟକ୍ରମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତବର୍ଷ ଭସାଣି ଉତ୍ସବ ଅବସରରେ  ପୁରୀ ଯୋଡ଼ିଶଙ୍ଖ, ଘଣ୍ଟ, ବିଲେଇ ନାଚ, କଣ୍ଢେଇ ନାଚ ଓ ପାଇକ ଆଖଡ଼ା ଭଳି ଲୋକନୃତ୍ୟ ବିଶେଷ ଆକର୍ଷଣ ରହିବ।

ଚଳିତବର୍ଷ ଅଧିକରୁ ଅଧିକ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନା ପାଇଁ ଆସିବେ ବୋଲି ଆୟୋଜକ ଆଶା ରଖିଛନ୍ତି। ଏଥିପାଇଁ ଦର୍ଶନ ପାଇଁ ଶୃଙ୍ଖଳିତ ବ୍ୟବସ୍ତା କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯିବ ବୋଲି କମିଟି କର୍ମକର୍ତ୍ତାମାନେ କହିଛନ୍ତି।

ଏହା ପୂର୍ବରୁ ୨୦୧୯ରେ ବରମୁଣ୍ଡା ଦୁର୍ଗା ମଣ୍ଡପରେ ମଧ୍ୟ ‘ଅକ୍ଷର ଧାମ’ ତୋରଣ ଦେଖିବାକୁ ମିଳିଥିଲା । ତେବେ ଏହା କେବଳ ଧଳାରଙ୍ଗର କପଡ଼ାରେ ପ୍ରସ୍ତୁତ କରାଯାଇଥିବାବେଳେ ରସୁଲଗଡ଼ରେ ଏହି ତୋରଣରେ ଭିନ୍ନତା ଦେଖିବାକୁ ମିଳିବ।

Tags: #AkshyarDham #RasulgarhpujaMandap #Dussera2022 #BhubaneswarDurgapuja2022

Comment