ଓଡ଼ିଶାଲାଇଭ୍ ବ୍ୟୁରୋ

ପାଖେଇ ଆସୁଛି ପବିତ୍ର ଦଶହରା ପର୍ବ। ଚଳଚଞ୍ଚଳ ରାଜଧାନୀର ସମସ୍ତ ପୂଜା ମଣ୍ଡପ। ଆକର୍ଷଣୀୟ ତୋରଣ ପ୍ରସ୍ତୁତି ହେଉ ବା ରାବଣପୋଡ଼ି ସହିଦ ନଗର ପୂଜା ମଣ୍ଡପରେ ସ୍ୱତନ୍ତ୍ରତା ଦେଖିବାକୁ ମିଳିଥାଏ। ୨ବର୍ଷ କରୋନା କଟକଣା ପରେ ଚଳିତ ବର୍ଷ ଆଡ଼ମ୍ବର ସହକାରରେ ସହିଦ ନଗର ପୂଜା କମିଟି ପକ୍ଷରୁ ଆୟୋଜନ କରାଯାଉଛି।

ପ୍ରାୟ ୨୦୦ କେଜିର ଚାନ୍ଦି ମେଢ଼ ସହ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବ। ମା’ଙ୍କ ମସ୍ତକରେ ଅଢ଼େଇ କେଜିର ସୁନା ମୁକୁଟ ଶୋଭା ପାଇବ। ସହିଦ ନଗର ପୂଜା କମିଟି ପକ୍ଷରୁ ଆଧ୍ୟାତ୍ମିକ ତଥା ପାରମ୍ପରିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଚଳିତ ବର୍ଷ ଦୁଇଟି ଚାନ୍ଦି ସିଂହ ମଧ୍ୟ ପୂଜାର ବିଶେଷ ଆକର୍ଷଣ ରହିବ। ଅନ୍ୟପଟେ ପୂର୍ବ ବର୍ଷଗୁଡ଼ିକ ଭଳି ଚଳିତବର୍ଷ ମଧ୍ୟ କଟକର କାରିଗରମାନେ ମୂର୍ତ୍ତି ପ୍ରସ୍ତୁତ କରୁଛନ୍ତି।

ଏହି ମଣ୍ଡପରେ ପିଠା ଭୋଗର ସ୍ୱତନ୍ତ୍ରତା ରହିଛି। ପୂଜା କମିଟି ପକ୍ଷରୁ ସମସ୍ତ ପୂଜାବିଧି ଉପରେ ଗୁରୁତ୍ୱ ଦିଆଯାଇଥାଏ। ଚଳିତବର୍ଷ ପୂଜା ପ୍ଲାଷ୍ଟିକରେ ପୂଜା ତୋରଣ ପ୍ରସ୍ତୁତ ହେବ ବୋଲି କୁହାଯାଉଥିଲେ ମଧ୍ୟ କମିଟି ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ।

ଷଷ୍ଠୀ ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ୫ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମଗ୍ର ଓଡ଼ିଶାରୁ ପ୍ରତିଷ୍ଠିତ କଳାକାରମାନେ ଯୋଗଦେବେ। ଓଡ଼ିଶାରେ ରାବଣପୋଡ଼ିର ଧାରା ସହିଦ ନଗର ପୂଜା କମିଟି ପକ୍ଷରୁ ଆରମ୍ଭ କରାଯାଇଥିବା ବିଶ୍ଵାସ କରାଯାଏ। ଚଳିତ ବର୍ଷ ପୂଜା ଆୟୋଜନ ୪୪ ବର୍ଷରେ ପହଞ୍ଚିଥିବାବେଳେ ରାବଣପୋଡ଼ିକୁ ନେଇ ଅନିଶ୍ଚିତତା ଲାଗିରହିଛି।

ଆକର୍ଷଣୀୟ ତୋରଣ ପ୍ରସ୍ତୁତି ସହ ଆନୁସଙ୍ଗିକ ବନ୍ଦୋବସ୍ତ ପାଇଁ କର୍ମକର୍ତ୍ତାମାନେ ଲାଗିପଡ଼ିଛନ୍ତି। ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ ୧୦୦ଜଣ ସ୍ବଚ୍ଛାସେବୀ ନିୟୋଜିତ ହେବେ ବୋଲି କମିଟିର ସମ୍ପାଦକ ସଚ୍ଚି ନନ୍ଦନ ନାୟକ କହିଛନ୍ତି। ବରିଷ୍ଠ ନାଗରିକମାନେ କିପରି ସୁରୁଖୁରରେ ମା’ଙ୍କ ଦର୍ଶନ କରିପାରିବେ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।

Tags: #BhubaneswarDurgapuja2022 #SaheedNagarDurgapuja2022 #ChandiMedha #Ravanpodi #vijayadasami

Comment