ଓଡ଼ିଶାଲାଇଭ୍ ବ୍ୟୁରୋ

ଆସିଛି ଶରତ ଋତୁ, ଆସିଛି ଆଶ୍ୱିନ। କିଛିଦିନ ପରେ ମା’ ଦୁର୍ଗା ଆଗମନ କରିବେ। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପଳାଶୁଣି ଦୁର୍ଗାପୂଜା କମିଟି ପକ୍ଷରୁ ବହୁ ଆଡ଼ମ୍ବରରେ ପୂଜା କରିବାକୁ ଯୋଜନା ରଖାଯାଇଛି।

ରାଜଧାନୀର ପ୍ରମୁଖ ପୂଜା ମଣ୍ଡପଗୁଡ଼ିକ ମଧ୍ୟରୁ ପଳାଶୁଣି ଦୁର୍ଗା ମଣ୍ଡପ ଗୋଟିଏ। ମୂର୍ତ୍ତି ପ୍ରସ୍ତୁତି ଠାରୁ ଆରମ୍ଭ କରି ତୋରଣ ଓ ରାବଣ ଦହନ କିପରି ଦର୍ଶକଙ୍କୁ ଆକୃଷ୍ଟ କରିବ ସେନେଇ ପୂଜା କମିଟି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଉଛି। ୪୦ ଲକ୍ଷ ଟଙ୍କା ବଜେଟରେ ଚଳିତଥର ଆୟୋଜନ ହେବ ପୂଜା।

ଚଳିତ ଥର ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ କେରଳ ଏକ ପ୍ରସିଦ୍ଧ ମନ୍ଦିର ସଦୃଶ ତୋରଣ ପ୍ରସ୍ତୁତ କରାଯିବ। ଏଥିପାଇଁ ପଶ୍ଚିମବଙ୍ଗର ୩୦ ଜଣ କାରିଗର ନିୟୋଜିତ ଅଛନ୍ତି।  ୫୦ଫୁଟ୍ ଉଚ୍ଚତା ବିଶିଷ୍ଟ ତଥା  ୪୦ଫୁଟ୍ ପ୍ରଶସ୍ତ ଏହି ତୋରଣ ମସିଣାରେ ପ୍ରସ୍ତୁତ କରାଯିବ।

ପୂଜା ପାଇବାକୁ ଥିବା ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ୨୦ଫୁଟ୍ ରହିବ। ପୂଜା କମିଟି ପକ୍ଷରୁ ପ୍ରସ୍ତୁତ ସୁନାହାର ମା’ ଦୁର୍ଗା ଓ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତିରେ ଶୋଭା ପାଇବ। ମା’ଙ୍କ ମୂର୍ତ୍ତି  ପ୍ରସ୍ତୁତି କରିବା ପାଇଁ କଟକର ଶିଳ୍ପୀ ଧନୁ ବେହେରା ଓ ତାଙ୍କ ଝିଅ ନିୟୋଜିତ ଅଛନ୍ତି। ୩୫ ବର୍ଷ ଧରି ସେ ପଳାଶୁଣି ମଣ୍ଡପ ପାଇଁ ମୂର୍ତ୍ତି ପ୍ରସ୍ତୁତ କରିଆସୁଛନ୍ତି। ତେବେ ମଣ୍ଡପରେ ୨୪ଫୁଟ୍ ଉଚ୍ଚର ସୁସଜ୍ଜିତ ମେଢ଼ ଅନ୍ୟତମ ଆକର୍ଷଣ ରହିବ।

ତେବେ ଷଷ୍ଠୀରେ ବିଲ୍ଵ ବରଣୀ ଓ କଳସ ଯାତ୍ରା, ସପ୍ତମୀ ଓ ମହାଷ୍ଟମୀରେ ମଧ୍ୟ  ଅନୁରୂପ ଭାବେ ପୂଜା ଅନୁଷ୍ଠିତ ହେବ। ମହାଷ୍ଟମୀରେ ବିଶେଷକରି ମହିଳା ଶ୍ରଦ୍ଧାଳୁ ଯୋଗଦାନ କରି ପୂଜା କରିବେ। ଅଷ୍ଟମୀ ଅବସରରେ ମା’ଙ୍କୁ ଖେଚୁଡ଼ି ଭୋଗ ଲାଗି କରାଯିବାକୁ ଥିବାବେଳେ ବିଜୟା ଦଶମୀ ଅବସରରେ ପିଠା ଭୋଗ କରାଯିବ। ଦଶମୀରେ ୧୦ ପ୍ରକାର ପିଠା ଭୋଗ କରାଯିବାର ପରମ୍ପରା ରହିଛି।

“୨ ବର୍ଷର କରୋନା କଟକଣା ପରେ ଚଳିତ ଥର ଧୁମଧମାରେ ପୂଜା ଆୟୋଜନ କରାଯାଉଛି। ଏ ବର୍ଷ ଅଧିକ ଭକ୍ତ ଯୋଗଦେବେ ବୋଲି ଆଶା କରାଯାଉଛି। ଶୃଙ୍ଖଳିତ ଦର୍ଶନ ସହ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯିବ। ଏଥିପାଇଁ ୨୦ ଜଣ ସ୍ଵେଚ୍ଛାସେବୀ ମଧ୍ୟ ନିୟୋଜିତ ରହିବେ”, କହିଛନ୍ତି ପଳାଶୁଣି ପୂଜା କମିଟିର ସଭାପତି ପ୍ରଭାତ ପରିଡ଼ା।

“ପରମ୍ପରା ମୁତାବକ ମା’ଙ୍କ ପୂଜା ଅନୁଷ୍ଠିତ ହେବ। ରୀତିନୀତିରେ ଯେପେରି କୌଣସି ଅସୁବିଧା ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ। ମହିଳା ଶ୍ରଦ୍ଧାଳୁଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ। ଲୋକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସେହିରି ଅଧର୍ମ ଉପରେ ଧର୍ମର ବିଜୟ ବାର୍ତ୍ତା ଦେବା ପାଇଁ ପୂର୍ବ ବର୍ଷ ଭଳି ରାବଣପୋଡ଼ି ଅନୁଷ୍ଠିତ ହେବ”, କହିଛନ୍ତି ପଳାଶୁଣି ପୂଜା କମିଟିର ଉପସଭାପତି ରମେଶ ସାହୁ।

ରୀତିନୀତି ସହ ପୂଜା ଅନୁଷ୍ଠିତ ହେବାକୁ ଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଜମିବ। ସପ୍ତମୀରେ ଭଜନ ସମାରୋହ, ଅଷ୍ଟମୀ ଓ ନବମୀରେ ମେଲୋଡି ଏବଂ ବିଜୟା ଦଶମୀରେ ରାବଣ ପୋଡ଼ି ଅନୁଷ୍ଠିତ ହେବ। ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଏହି ରାବଣପୋଡ଼ି ଅନୁଷ୍ଠିତ ହେବ। ପୁରୁଣା ଭୁବନେଶ୍ଵରର କାରିଗରଙ୍କ ଦ୍ଵାରା ରାବଣର ପ୍ରତିକୃତି ପ୍ରସ୍ତୁତ କରାଯିବ। ଏହି ପ୍ରତିକୃତିର ଉଚ୍ଚତା ୫୦ଫୁଟ୍ ରହିବ। ୫ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରତିକୃତି ପ୍ରସ୍ତୁତ କରାଯିବ।

Tags: #FamoustempleofKerala #PalasunipujaMandap #Dussera2022 #BhubaneswarDurgapuja2022 #Ravanpodi

Comment