ଓଡ଼ିଶାଲାଇଭ୍ ବ୍ୟୁରୋ

ପାଖେଇ ଆସୁଛି ଦଶହରା। ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ଅକାର୍ଷଣୀୟ ତୋରଣ ପ୍ରସ୍ତୁତ କରାଯାଉଥିବାବେଳେ ସ୍ଥାନୀୟ ଷ୍ଟେସନ ବଜାର ସାର୍ବଜନୀନ ଦୁର୍ଗାପୂଜା ସମିତି ପକ୍ଷରୁ ­ନିଆରା ତୋରଣ ସାଙ୍ଗକୁ ଆକର୍ଷଣୀୟ କାର୍ଯ୍ୟକ୍ରମର ଯୋଜନା କରାଯାଇଛି। ­

ଚଳିତ ବର୍ଷ ୬୭ ବର୍ଷରେ  ପଦାର୍ପଣ କରିଛି ଷ୍ଟେସନ ବଜାର ସାର୍ବଜନୀନ ଦୁର୍ଗାପୂଜା ସମିତି। ପୂଜାରେ ଦର୍ଶକଙ୍କୁ ଆକୃଷ୍ଟ କରିବ ଉତ୍ତରପ୍ରଦେଶ ବାରଣାସୀ ଗଙ୍ଗାଘାଟ ସଦୃଶ ତୋରଣ। ଗଙ୍ଗା ନଦୀକୂଳର ଘାଟ ସହିତ ମଠ, ମନ୍ଦିର, କୋଠାବାଡ଼ି ଏବଂ ଧ୍ୟାନରତ ସାଧୁସନ୍ଥଙ୍କ ଅବିକଳ ନକଲ ଦେଖିବାକୁ ମିଳିବ।

ତେବେ ଚଳିତବର୍ଷ ବିଶେଷ ଆକର୍ଷଣ ସାଜିବ ବହୁ ପରିଚିତ ବିକ୍ରମ ବେତାଳର ଦୃଶ୍ୟ। ଏହା କୌଣସି ମୂର୍ତ୍ତି ବା ଯନ୍ତ୍ର  ନୁହେଁ ବରଂ ବିକ୍ରମ ଏବଂ ବେତାଳ ରୂପୀ ମଣିଷ ଲାଇଭ୍‌ ସୋ’ ପ୍ରଦର୍ଶନ କରିବେ।

ବେତାଳ ଉଡ଼ିବା ଠାରୁ ଆରମ୍ଭ କରି ରାଜା ବିକ୍ରମାଦିତ୍ୟଙ୍କ କାନ୍ଧରେ ବସିବା ଆଦି ଦୃଶ୍ୟ ସ୍ଵତନ୍ତ୍ର କ୍ରେନ୍‌ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ସାହାଯ୍ୟରେ କରାଯିବ ବୋଲି ଆୟୋଜକ ସୂଚନା ଦେଇଛନ୍ତି। ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ୨୪ଘଣ୍ଟିଆ ସୋ’ ଦେଖିବାକୁ ପାଇବେ ଦର୍ଶକ ।

ଚଳିତ ବର୍ଷର ବଜେଟ୍‌ ୫୦ ଲକ୍ଷରୁ ଟଙ୍କାରୁ ଅଧିକ ରହିଛି। ଏଥିପାଇଁ ୧୫ ଦିନ ହେବ କାମ ଆରମ୍ଭ ହୋଇ ଗଲାଣି। ତୋରଣ ନିର୍ମାଣର ଦାୟିତ୍ୱ ଭୁବନେଶ୍ୱରର ଶିଳ୍ପୀ ସୁବାଷ ବେହେରା ନେଇଥିବାବେଳେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଗଢିବାର ଦାୟିତ୍ୱ ନେଇଛନ୍ତି କଟକ ଝାଞ୍ଜିରମଙ୍ଗଳା କାରୀଗର ରାଜୁ ମହାରଣା। ଚଳିତ ବର୍ଷ ମା’ଙ୍କ ମୃଣ୍ମୟୀ ପ୍ରତିମାର ଉଚ୍ଚତା ୧୬ ଫୁଟ ରଖାଯାଇଛି। ୧ କ୍ୱିଣ୍ଟାଲ ୧୫ କେଜି ରୂପା ଏବଂ ୭୫୦ ଗ୍ରାମ ସୁନାରେ ମା’ ଏବଂ ପାର୍ଶ୍ୱ ଦେବାଦେବୀଙ୍କ ମେଢ଼ ତଥା ଅଳଙ୍କାର ପ୍ରସ୍ତୁତ କରାଯାଇଛି।

ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ଏଠାରେ ଯୋଗଦେବାକୁ ଥିବାବେଳେ ୫ ଦିନ ପର୍ଯ୍ୟନ୍ତ ୪ରୁ ୫ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯିବ। ଅଷ୍ଟମୀ ଦିନ  ଅନାଥ ଶିଶୁମାନଙ୍କୁ ପ୍ରସାଦ ସେବନ ବ୍ୟବସ୍ଥା କରାଯିବ ସହ ସେମାନେ ମହାଷ୍ଟମୀ ପୂଜା କରିବେ। ତେବେ ଆୟୋଜକଙ୍କ ପକ୍ଷରୁ ୫ରାତି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Tags: #vanarasGangaGhat #StationBazarpujaMandap #Dussera2022 #BhubaneswarDurgapuja2022 #VikramBetal

Comment