ଓଡ଼ିଶାଲାଇଭ୍ ବ୍ୟୁରୋ

ପାଖେଇ ଆସୁଛି ଦଶହରା। ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ଅକାର୍ଷଣୀୟ ତୋରଣ ପ୍ରସ୍ତୁତ କରାଯାଉଥିବାବେଳେ ସ୍ଥାନୀୟ ବରମୁଣ୍ଡା ପୂଜା କମିଟି ପକ୍ଷରୁ ­ନିଆରା ତୋରଣ ସାଙ୍ଗକୁ ଆକର୍ଷଣୀୟ କାର୍ଯ୍ୟକ୍ରମର ଯୋଜନା କରାଯାଇଛି। ଅକ୍ଟୋବର ୧ ତାରିଖରେ ପବିତ୍ର ଷଷ୍ଠୀ ଅବସରରେ ମା’ଙ୍କର ଆବାହନ କରାଯିବ। କେତେବେଳେ ଅକ୍ଷରଧାମ ତୋରଣ ତ କେତେବେଳେ କୁଲା,ବାଊଁଶିଆ,ଗୁଆ ଓ କଉଡ଼ି ଆଦିରେ ତୋରଣ ପ୍ରସ୍ତୁତି କରି ଚର୍ଚ୍ଚା ସାଉଁଟିଥିବା ଏହି ପୂଜା କମିଟି ପକ୍ଷରୁ ଚଳିତବର୍ଷ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ତୋରଣରେ ଯୋଦ୍ଧପୁର ପ୍ୟାଲେସ୍

୨୩ ବର୍ଷରେ ବରମୁଣ୍ଡା ପୂଜା କମିଟି ପଦାର୍ପଣ କରିଥିବାବେଳେ ପୂଜାରେ ଦର୍ଶକଙ୍କୁ ଆକୃଷ୍ଟ କରିବ ‘ଯୋଧପୁର ପ୍ୟାଲେସ୍’ ସଦୃଶ ତୋରଣ। ୧୦୦ଫୁଟ୍ ପ୍ରଶସ୍ତ ତଥା ୭୫ ଫୁଟ୍ ଉଚ୍ଚ ଏହି ତୋରଣ ପ୍ରସ୍ତୁତିରେ ପଶ୍ଚିମବଙ୍ଗର କାରିଗରମାନେ  ଲାଗିପଡ଼ିଛନ୍ତି। ୩୦ରୁ ଅଧିକ କାରିଗର ପ୍ରାସାଦର ଅବିକଳ ନକଲ ପ୍ରସ୍ତୁତିରେ ନିୟୋଜିତ ଅଛନ୍ତି।

କେନ୍ଦ୍ରାପଡ଼ା ମାର୍ଶାଘାଇ ଅଞ୍ଚଳର କାରିଗରମାନେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଗଢିବାର ଦାୟିତ୍ୱ ନେଇଛନ୍ତି। ସୁନିଆଁ ଅବସରରେ କାକଟପୁରସ୍ଥିତ ପ୍ରାଚୀନଦୀ କୂଳରେ ମୃତ୍ତିକା ଅନୁକୂଳ କରାଯାଇଥିବାବେଳେ ଖୁବଶୀଘ୍ର ମୂର୍ତ୍ତି ପ୍ରସ୍ତୁତି ଆରମ୍ଭ ହେବ। ଚଳିତ ବର୍ଷ ମା’ଙ୍କ ମୃଣ୍ମୟୀ ପ୍ରତିମାର ଉଚ୍ଚତା ୧୬ ଫୁଟ ରଖାଯାଇଛି। ମାଙ୍କ ମୃଣ୍ମୟୀ ମୂର୍ତ୍ତିରେ ସୁନା ଟୀକା, କାନଫୁଲ ରୂପା ପାଉଁଜି ଆଦି ଶୋଭା ପାଇବ।

ଏଥର ରାବଣପୋଡ଼ି

ଦୀର୍ଘ ୨ର୍ଷ ଧରି ବରମୁଣ୍ଡା ପଡ଼ିଆରେ ରାବଣପୋଡି ବନ୍ଦ ରହିଥିବାବେଳେ ଚଳିତ ବର୍ଷ ରାବଣପୋଡି ଅନୁଷ୍ଠିତ ହେବାକୁ ଯାଉଛି। ପ୍ରାୟ ୧ଲକ୍ଷ ଟଙ୍କା ବ୍ୟୟରେ ପୁରୁଣା ଭୁବନେଶ୍ୱର ଅଞ୍ଚଳର କାରିଗରଙ୍କ ଦ୍ୱାରା ରାବଣ ପ୍ରସ୍ତୁତ କରାଯିବ। ବିଜୟା ଦଶମୀ ଅବସରରେ ୬୫ ଫୁଟ୍ ଉଚ୍ଛତା ବିଶିଷ୍ଟ ରାବଣ ପ୍ରତିକୃତିକୁ ଆତସବାଜି ସହ ଦହନ କରାଯିବ। ଏହା ପୂଜାର ବିଶେଷ ଆକର୍ଷଣ ରହିବ।

ମୀନାବଜାର ସହ ଜମିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ତେବେ ଆୟୋଜକଙ୍କ ପକ୍ଷରୁ ବରମୁଣ୍ଡା ପଡ଼ିଆରେ ୩ରାତି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସପ୍ତମୀରେ ପାରମ୍ପରିକ ଘୋଡ଼ାନାଚ ଦେଖିବାକୁ ମିଳିବ। ସେହିପରି ଅଷ୍ଟମୀ ଓ ନବମୀ ଦୁଇଦିନ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି ୫ଦିନ ଧରି ମୀନାବଜାରରେ କିଣାବିକା ସହ ବିଭିନ୍ନ ଚଟପଟା ଖାଦ୍ୟର ମଜାନେବେ ଶ୍ରଦ୍ଧାଳୁ।

“ଚଳିତ ବର୍ଷର ପୂଜା ବଜେଟ୍‌ ୩୦ ଲକ୍ଷ ଟଙ୍କାରୁ ଅଧିକ ରହିଛି। ୧୪୦ଜଣ କମିଟି ସଦସ୍ୟଙ୍କ ଉଦ୍ୟମକ୍ରମେ ପୂଜା ଆୟୋଜନ କରାଯାଉଛି। ମା’ଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ତଥା ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ମହାନବମୀ ଅବସରରେ ମଣ୍ଡପକୁ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧଶଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯିବ।” କହିଛନ୍ତି କମିଟିର ସଭାପତି ରାମଚନ୍ଦ୍ର ରଣସିଂହ।

କୁଆଖାଇରେ ଭସାଣି

ରାଜଧାନୀର ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତ ହେଉଥିବା ମା’ଙ୍କ ମୂର୍ତ୍ତିଗୁଡ଼ିକ ଏକକାଳୀନ ଶୋଭାଯାତ୍ରାରେ ବାହରି ସହର ପରିକ୍ରମା କରିଥାଏ। ତେବେ ବରମୁଣ୍ଡା ଭସାଣି ଯାତ୍ରାରେ ଏଥିରେ ଭିନ୍ନତା ଦେଖିବାକୁ ମିଳେ। ଅକ୍ଟୋବର ୬ ତାରିଖରେ ମା’ଙ୍କ ମେଢ଼ ଏକା ଏକା ଶୋଭାଯାତ୍ରାରେ ବାହାରି ଖଣ୍ଡଗିରି ଛକ, ଆଇଟିଆର ଛକ ଓ ଡେଲଟା ଛକ ଦେଇ କୁଆଖାଇ ଅଭିମୁଖେ ଯାତ୍ରା କରିବ। କୁଆଖାଇ ନଦୀପଠାରେ ପ୍ରସ୍ତୁତ ଅସ୍ଥାୟୀ ଜଳାଶୟରେ ମା’ଙ୍କୁ ମେଲାଣି ଦିଆଯିବ। ତେବେ ଶୋଭାଯାତ୍ରାରେ ପାରମ୍ପରିକ ଘୋଡାନାଚ, ବାଘନାଚ ଆଦି ଦର୍ଶକଙ୍କୁ ଆକୃଷ୍ଟ କରିବ।

Tags: #JoddhapurPalace #BaramundaDurgaPujaCommittee#Dussera2022 #BhubaneswarDurgapuja2022 #Ravanpodi #Ghodanacha

Comment