ଓଡ଼ିଶାଲାଇଭ ବ୍ୟୁରୋ

ପାଖେଇ ଆସୁଛି ଦୁର୍ଗାପୂଜା। ଗାଁଠୁ ସହର ସବୁଠି ଦେଖିବାକୁ ମିଳିବ ଉତ୍ସବର ମାହୋଲ। ଦଶହରା ପୂଜା ପାଇଁ ରାଜଧାନୀ ଭୁବନେଶ୍ଵର ମଧ୍ୟ ଚଳଚଞ୍ଚଳ ହୋଇପଡ଼ିଛି। ତେବେ ପୂଜା ପୂର୍ବରୁ ଭୁବନେଶ୍ଵର ମହାନଗର ନିଗମ (ବିଏମସି) ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୁରୁଖୁରୁରେ ପୂଜା ପାଇଁ ଏହି ବୈଠକରେ ଆଲୋଚନା କରାଯାଇଛି। ଦୁର୍ଗାପୂଜା ପୂର୍ବରୁ ରାସ୍ତା ମରାମତି, ଡ୍ରେନେଜ, ସ୍ୱରେଜ ବ୍ୟବସ୍ଥା ସଜାଡ଼ିବା ସହ ରାସ୍ତା ଲାଇଟ ଉପରେ ଧ୍ୟାନ ଦେବାକୁ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି।

କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ହେଲା ବନ୍ଦ ହୋଇଥିବା ଦୁର୍ଗା ପୂଜା ଏଥର ଜାକଜମକରେ ପାଳନ କରାଯିବ। ଏହାସହ ଆଗାମୀ ଲକ୍ଷ୍ମୀ ପୂଜା, କାଳୀ ପୂଜା ମଧ୍ୟ ଧୂମ୍‌ଧାମ୍‌ରେ ହେବ। ଚଳିତ ବର୍ଷ ୧୭୮ଟି ମଣ୍ଡପରେ ପୁଜା ପାଇବେ ମା’ ଦୁର୍ଗା। ଦୁଇ ବର୍ଷ ପରେ ପୂଜା ହେଉଥିବାରୁ ସବୁ ମଣ୍ଡପ ଗୁଡିକ ଜାକଜମକରେ ପୂଜା କରିବାକୁ ମିଳିଛି ଅନୁମତି।

ଅଧିକ  ସଂଖ୍ୟକ ଶ୍ରଦ୍ଧାଳୁ ସହର ମଧ୍ୟରେ ଯାତାୟତ କରିବେ। ତେଣୁ ଖାଲଖମା ରାସ୍ତା ମରାମତି ଉପରେ ବିଏମସି ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡି କରିବା ସହ ମେଳଣ ଓ ମୀନାବଜାର ପାଇଁ ମଧ୍ୟ ମିଳିଛି ଅନୁମତି। ଭସାଣି ଶୋଭଯାତ୍ରା ପ୍ରତି ବର୍ଷ ଯେଉଁଭଳି ହୁଏ ତା’ ଠାରୁ ଅଧିକ ଜାକଜମକରେ କରିବାକୁ ବିଏମସିର ଅନୁମତି ରହିଛି।

ରାବଣପୋଡ଼ି ପାଇଁ କମିଶନରେଟ ପୋଲିସ ପକ୍ଷରୁ ପୂଜା କମିଟିଗୁଡ଼ିକ ଅନୁମତି ନେବେ। ବିଭିନ୍ନ ଫୁଡ୍ ଷ୍ଟଲରେ କିଭଳି ମିଳିବ ହାଇଜିନ ଖାଦ୍ୟ, ସେଥିପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ। ୭ ଜଣିଆ ଫୁଡ଼ ଇନ୍ସପେକ୍ଟର ଟିମ ଖାଦ୍ୟର ମାନ ଯାଞ୍ଚ କରିବ।

Tags: #BBSRpujaMandap #Dussera2022 #BhubaneswarDurgapuja2022 #Ravanpodi #BMCBBSR #CommissionratePolice #MelodyNights

LEAVE A REPLY

Please enter your comment!
Please enter your name here