ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରଠାରେ ଆଇବିଏମର ନୂତନ କ୍ଲାଏଣ୍ଟ ଇନୋଭେସନ ସେଣ୍ଟରର(ସିଆଇସି) ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଇବିଏମ୍ ନିଜର ଗ୍ରାହକ ସେବା ସମ୍ପ୍ରସାରଣ ଲକ୍ଷ୍ୟ ନେଇ ଓଡ଼ିଶାରେ ଏହି କେନ୍ଦ୍ର ଖୋଲିଛି। ଭୁବନେଶ୍ୱର ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ଓ-ହବଠାରେ ଏହି କେନ୍ଦ୍ର ଖୋଲା ଯାଇଥିବାବେଳେ ଏହା ୫୦୦ କର୍ମଚାରୀ କ୍ଷମତା ବିଶିଷ୍ଟ ରହିଛି। ଉଦଘାଟନୀ ଉତ୍ସବରେ ଆଇବିଏମ କନ୍ସଲଟିଂର ଗ୍ଲୋବାଲ ଡେଲିଭରି ପରିଚାଳନା ସହଭାଗୀ ଅମିତ ଶର୍ମା ଏବଂ ଆଇଟି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଆଇଟି ସଚିବ ମନୋଜ କୁମାର ମିଶ୍ର ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, “ବର୍ଷ ବର୍ଷ ଧରି ଓଡ଼ିଶା ଅନେକ କ୍ଷେତ୍ରରେ ସଫଳତାର କାହାଣୀ ଲେଖିଛି। ନୂତନ ଚିନ୍ତାଧାରା, ନବସୃଜନ ଏବଂ ଔଦ୍ୟୋଗିକତା ଦିଗରେ ଓଡ଼ିଶା ନୂଆ ଆତ୍ମବିଶ୍ୱାସ ସହିତ ଆଗକୁ ବଢୁଛି। ସମ୍ପ୍ରତି ଓଡ଼ିଶା ଭାରତର ଏକ ଟେକ୍ନୋଲୋଜି ରିସୋର୍ସ ହବରେ ରୂପାନ୍ତରିତ ହେଉଛି। ରାଜ୍ୟରେ ରହିଥିବା ସମ୍ଭାବନାକୁ ଦୃଷ୍ଟିରେ ରଖି ଦେଶର ଅଗ୍ରଣୀ ଆଇଟି କମ୍ପାନିମାନେ ଓଡ଼ିଶା ପ୍ରତି ଆକୃଷ୍ଟ ହେଉଛନ୍ତି। ଆଇବିଏମ କ୍ଲାଏଣ୍ଟ ଇନୋଭେସନ ସେଣ୍ଟର ଖୋଲିବା ଦ୍ୱାରା ରାଜ୍ୟରେ ଦ୍ରୁତ ପରିବର୍ତ୍ତନ ହେଉଥିବା ଆଇଟି ଇକୋସିଷ୍ଟମ ପାଇଁ ଆଉ ଏକ ନୂତନ ଆଶା ଓ ସମ୍ଭାବନା ସୃଷ୍ଟି କରିଛି।”

ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଏକ ଚାକିରି ସଂଯୁକ୍ତ ଶିଳ୍ପ ଅଭିବୃଦ୍ଧି ପାଇଁ ଇକୋସିଷ୍ଟମ ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ। ଭୁବନେଶ୍ୱରରେ ଖୋଲିଥିବା କ୍ଲାଏଣ୍ଟ ଇନୋଭେସନ କେନ୍ଦ୍ର ରାଜ୍ୟରେ ଆଇଟି ଇକୋସିଷ୍ଟମକୁ ଆହୁରି ଅଭିବୃଦ୍ଧିଶୀଳ କରାଇବ ଏବଂ ରାଜ୍ୟର ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ବୋଲି ଉଦଘାଟନୀ ଅବସରରେ ଯୋଗ ଦେଇ ରାଜ୍ୟ ଇ-ଆଇଟି ବିଭାଗ ସଚିବ ମନୋଜ କୁମାର ମିଶ୍ର କହିଛନ୍ତି।

ଆଇବିଏମ ସିଆଇସିର ନେଟୱର୍କର ସମ୍ପ୍ରସାରଣ ଗ୍ରାହକଙ୍କ ବଢୁଥିବା ଆବଶ୍ୟକତାକୁ ପୂର୍ଣ୍ଣ କରିବାରେ ଏକ ଅବିଚ୍ଛେଦ୍ୟ ଅଂଶ ବିଶେଷ ବୋଲି କହିଛନ୍ତି ଅମିତ ଶର୍ମା। ଆଇବିଏମ୍ କନ୍ସଲ୍ଟିଂ ବର୍ତ୍ତମାନ ଭାରତର ଭେଙ୍ଗାଳୁରୁ, ଚେନ୍ନାଇ, ହାଇଦ୍ରାବାଦ, କୋଲକାତା, ମୁମ୍ବାଇ, ଦିଲ୍ଲୀ, ପୁଣେ, ମହୀଶୁର, କୋଚି ଏବଂ କୋଏମ୍ବାଟୁର ଆଦି ୧୧ଟି ସିଆଇସି ସହିତ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି।

Tags: #IBM #CMNaveenPatnaik #Ecosystem #CIC #ClientInnovationCentre #IT

Comment