କପିଳାସ ଭୂୟାଁ

ଫାର୍ସ ଧାରାରେ ପ୍ରସ୍ତୁତ ଏହି ନାଟକଟି ହାସ୍ୟରସରେ ଭରପୁର ମନୋରଞ୍ଜନ ଯୋଗାଉଥିବା ବେଳେ, ରାଜ୍ୟରେ ଚାଲିଥିବା ସାଂପ୍ରତିକ ରାଜନୈତିକ ଓ ପ୍ରଶାସନିକ ଶାସନ ପ୍ରଣାଳୀର ତ୍ରୁଟି ପ୍ରତି ମଧ୍ୟ କଟାକ୍ଷ କରୁଛି।

ବହୁତ ଦିନ ପରେ ଭୁବନେଶ୍ଵରର ରବୀନ୍ଦ୍ର ମଣ୍ଡପରେ ଭଲ ନାଟକଟିଏ ଦେଖିବାକୁ ମିଳିଲା – ପ୍ରବୀଣ ନାଟ୍ୟ ନିର୍ଦ୍ଦେଶକ ସୂର୍ଯ୍ୟ ମହାନ୍ତିଙ୍କ ନିର୍ଦ୍ଦେଶିତ ଓ ‘ମୁକ୍ତି’ ନାଟ୍ୟସଂସ୍ଥା ଦ୍ଵାରା ପ୍ରସ୍ତୁତ ‘ଗୋବର୍ଦ୍ଧନ ଓରଫ୍ ଗୋବରାକାମ୍ପି’। ଅବଶ୍ୟ ଏହା ‘ମୁକ୍ତି’ର ନୂଆ ନାଟକ ନୁହେଁ, କିନ୍ତୁ ପୁନଃମଞ୍ଚନ ହୋଇଥିବା ସତ୍ତ୍ୱେ ନାଟକଟିର ବିଶେଷ ସାଂପ୍ରତିକ ଗୁରୁତ୍ଵ ରହିଛି।

ଏହା ପ୍ରାୟ ୩୫୫ ବର୍ଷ ପୂର୍ବେ ଲିଖିତ ପ୍ରସିଦ୍ଧ ଫରାସୀ ନାଟ୍ୟକାର ମୋଲିୟରଙ୍କ ମୂଳ ଲେଖା ‘ମାଇଜର’ ଅନୁସୃତ ଓଡ଼ିଆ ନାଟକ। ଏହାକୁ ଯଥା ସମ୍ଭବ ସ୍ଥାନୀୟ ଆବେଦନ ସହ ଅନୁସୃଜନ କରିଛନ୍ତି କବି, ଲେଖକ ଓ ନାଟ୍ୟକାର ଜାକିର ଖାନ। ନାଟକଟିର ଆବେଦନକୁ ଆହୁରି ରସାଣିତ କରୁଛି ନିର୍ଦ୍ଦେଶକ ସୂର୍ଯ୍ୟ ମହାନ୍ତିଙ୍କ ସାଂପ୍ରତିକ ରାଜନୈତିକ ଓ ପ୍ରଶାସନିକ ଶାସନ ପ୍ରଣାଳୀର ତ୍ରୁଟି ପ୍ରତି କଟାକ୍ଷ।

ଗୋବର୍ଦ୍ଧନ ବାବୁ ଜଣେ ଅତି କୃପଣ ଲୋକ। ଦେହରୁ ମଳି ବି କାହାକୁ ଦେବା କଥା ତ ଛାଡ଼ି, ଭାବନ୍ତି ନାହିଁ ମଧ୍ୟ। ତେଣୁ ସାଧାରଣରେ ତାଙ୍କୁ ଗୋବରାକାମ୍ପି ବୋଲି କହନ୍ତି। ସେଥିପ୍ରତି କିନ୍ତୁ ତାଙ୍କର ସାମାନ୍ୟ ଭ୍ରୂକ୍ଷେପ ନଥାଏ। ତାଙ୍କର ପୁଅ ଝିଅ ଦୁଇ ଜଣ – ନରେଶ ଓ ଅଞ୍ଜନା। ନରେଶ ଭଲ ପାଏ ମୋନାକୁ ଓ ଅଞ୍ଜନା ଭଲ ପାଏ କେଶବକୁ। ବାହାଘର ଖର୍ଚ୍ଚକୁ ଏଡେଇବା ପାଇଁ ଗୋବର୍ଦ୍ଧନ ନାନା ଫନ୍ଦି କରନ୍ତି ବୋଲି ବାପାଙ୍କ ଆଗରେ ପିଲାଏ ସେ କଥା ଉଠାନ୍ତି ନାହିଁ। କେଶବ କିନ୍ତୁ ଗୋବର୍ଦ୍ଧନଙ୍କ ପାଖରେ ଚାକିରି କରି ତାଙ୍କ ମନ ଜିଣିବାକୁ ଚେଷ୍ଟା କରୁଥାଏ। ତେବେ ତାହାର କୌଣସି ଲାଭ ମିଳିବାର ସମ୍ଭାବନା ଦିଶୁ ନଥାଏ। ବରଂ ଷାଠିଏତ୍ତୋର ବଯସର ଜଣେ ଧନୀ ଲୋକଙ୍କ ସହ ଝିଅର ବାହାଘର କରିଦେବାକୁ ଗୋବର୍ଦ୍ଧନ ମନ ସ୍ଥିର କରିଥାଆନ୍ତି। ଯାହା ଦ୍ଵାରା ତାଙ୍କୁ ଆଦୌ କିଛି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।

ଟଙ୍କା ଓ ଧନ ମଣିଷର ଜ୍ଞାନ ଭ୍ରମ କରିଥାଏ। ସମ୍ପତି ଥିବା ଲୋକେ ନିଜକୁ ଅତି କ୍ଷମତାଶାଳୀ ମନେ କରେ ଓ ନକଲା କଥା କରିବାକୁ ପଛାଏ ନାହିଁ। ଗୋବର୍ଦ୍ଧନ ମଧ୍ୟ ସେମିତି କରିବାକୁ ଚାହୁଁଛନ୍ତି। ଗରିବ ଘର ଝିଅ ମୋନାକୁ ନିଜ ଧନୀପଣ ଦ୍ଵାରା ଆକୃଷ୍ଟ କରି ବାହା ହେବାକୁ ମନ କରୁଛନ୍ତି। ନିଜ ପୁଅ ଝିଅଙ୍କ ଆଗରେ ଏକଥା ଲଜ୍ଜାହୀନ ଭାବେ ପ୍ରକାଶ କରୁଛନ୍ତି ମଧ୍ୟ। ଏ ପ୍ରସ୍ତାବ ଆଣିଥାନ୍ତି କନକଲତା। ଉଦ୍ଦେଶ୍ୟ ଗୋବରାକାମ୍ପି ଠାରୁ କିଛି ଧନ ଖସେଇବା। ତାହା କି ସମ୍ଭବ!

ଅତ୍ୟନ୍ତ ବିରକ୍ତିରେ ଏ ସମସ୍ତେ ଏକାଠି ମିଶି ଗୋବର୍ଦ୍ଧନକୁ ପାନେ ଦେବାକୁ ଓ ତା’ ଧନ ହଡ଼ପ କରିବାକୁ ଷଡ଼ଯନ୍ତ୍ର ଆରମ୍ଭ କରନ୍ତି। ଗୋବର୍ଦ୍ଧନ ତାଙ୍କର ପାଞ୍ଚ କୋଟି ଟଙ୍କା ଓ ପାଞ୍ଚ କେଜି ସୁନା ଗୋଟିଏ ବାକ୍ସରେ ରଖି ନିଜ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ଏଠି ତ କାଲି ଆଉ କେଉଁଠି ଓ କେତେବେଳେ ମାଟି ତଳେ ପୋତି ରଖନ୍ତି। ତେବେ ପୁଅ, ଝିଅ ଓ କନକଲତା ସେହି ଧନକୁ ଦିନେ ଠାବ କରି ନେଇଯାଆନ୍ତି।

ମୋନାକୁ ବିବାହ କରିବାର ଆଶା ଧ୍ଵଂସ ତ ହୁଏ, କିନ୍ତୁ ନିଜ ଧନ ହରେଇବାର କଷ୍ଟରେ ସେ ମ୍ରିୟମାଣ ହୁଅନ୍ତି ଓ ଶିକ୍ଷା ପାଆନ୍ତି। ଏଭଳି ଏକ ସାମାଜିକ ବାର୍ତ୍ତା ନାଟକ ‘ଗୋବର୍ଦ୍ଧନ ଓରଫ ଗୋବରାକାମ୍ପି’ ପ୍ରଦାନ କରେ।

ଗୋବର୍ଦ୍ଧନ ଭୂମିକାରେ ସୌମ୍ୟ ଚମତ୍କାର ଅଭିନୟ କରିଥିବା ବେଳେ ଅନ୍ୟ ପ୍ରମୁଖ ଭୂମିକାରେ ଆକାଶ, ସୁଶାନ୍ତ, ତିଳୋତ୍ତମା, ପ୍ରିୟଙ୍କା ଓ ଉଷସୀ ଆଦିଙ୍କ ଅଭିନୟ ନାଟକଟିର ସଫଳତାର ଅନ୍ୟତମ କାରଣ। ବିଶେଷ କରି ଜଣେ ଫୁଲାଫାଙ୍କିଆ ପ୍ରୌଢା ମହିଳା ଭୂମିକାରେ ଉଷସୀଙ୍କ ଅଭିନୟ ଚିତ୍ତାକର୍ଷକ। ତେବେ ମୋନା ଭୂମିକାରେ ପ୍ରିୟଙ୍କାଙ୍କ ଅଭିନୟରୁ ଜଣାପଡ଼େ ଯେ ତାଙ୍କଠାରେ ଯଥେଷ୍ଟ ସମ୍ଭାବନା ରହିଛି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ। ମତାମତ ସଂପୂର୍ଣ୍ଣ ନିଜସ୍ଵ।)

Tags: #Drama #DramaReview #Mukthi #Gobardhan #Gobarakampi

Comment