ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ଆଂଶିକ ସୂର୍ଯ୍ୟପରାଗ। ଏହି ସୂର୍ଯ୍ୟପରାଗ ମଙ୍ଗଳବାର ଅପରାହ୍ଣ ୨ଟା ୨୮ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୩୨ରେ ଶେଷ ହେବ। ଆଂଶିକ ସୂର୍ଯ୍ୟପରାଗ ଏସିଆ ଓ ୟୁରୋପ ମହାଦେଶରେ ଦୃଶ୍ୟମାନ ହେବ। ରାଜଧାନୀ ଭୁବନେଶ୍ୱରରେ ଅପରାହ୍ଣ ୪ଟା ୫୭ରେ ୧୯ ମିନିଟ ପାଇଁ ଆଂଶିକ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ସମୟରେ ସୂର୍ଯ୍ୟଙ୍କର ମାତ୍ର ୧୦ରୁ ୧୫ ପ୍ରତିଶତ ଅଂଶ ଘୋଡ଼େଇ ହେବ। ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼େ ସେଠାରେ ସୂର୍ଯ୍ୟପରାଗ ଦେଖାଯାଏ। ତେବେ ସୂର୍ଯ୍ୟପରାଗକୁ କେବେବି ଖାଲି ଆଖିରେ ନ ଦେଖିବା ଲାଗି ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି।

ସୂର୍ଯ୍ୟପରାଗ କାରଣରୁ ଆଜି ଭୋର ୪ଟା ୫୭ରୁ ପାକତ୍ୟାଗ ଏବଂ ଦେବନୀତି ନିଷେଧ କରାଯାଇଛି। ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ପାଳନ କରାଯାଉଛି। ସୋମବାର ରାତି ୧୨ଟାରେ ଦ୍ୱାରଫିଟା ସହ ଭୋର ୪ଟା ୫୬ରେ ଭୋଗମଣ୍ଡପ ଶେଷ ହୋଇ ନୀତି ବନ୍ଦ ରହିଛି ଥିବା ସୂଚନା ମିଳିଛି। ଆଂଶିକ ଗ୍ରହଣ ଶେଷ ହେବା ପରେ ମହାପ୍ରଭୁଙ୍କର ମହାସ୍ନାନ ନୀତି ହେବ।

ସୂର୍ଯ୍ୟପରାଗ ସମୟରେ ପୂଜାପାଠ ଦେବନୀତି ବନ୍ଦ ରଖିବାକୁ ଜ୍ୟୋତିଷଶାସ୍ତ୍ରାନୁସାରେ ପରାମର୍ଶ ଦିଆଯାଇଛି। ଏହା ସହିତ ଏହି ସମୟ ମଧ୍ୟରେ ରୋଷେଇ, ଖାଦ୍ୟ ଗ୍ରହଣ, ଶୁଭ କାର୍ଯ୍ୟର ଆରମ୍ଭ, କଟାବଟା ଏବଂ ସିଲେଇ ଆଦି ନକରିବାକୁ କୁହାଯାଇଛି। ଏହି ସମୟରେ ଗର୍ଭବତୀ ସ୍ତ୍ରୀମାନଙ୍କୁ ଖାଦ୍ୟପେୟରେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଥିବାବେଳେ କଳା ବସ୍ତ୍ର ପିନ୍ଧିବାକୁ ବାରଣ କରାଯାଇଛି।

Tags: #SolarEclipse #SolarEclipseEffect #Odisha

Comment