ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ଅକ୍ଟୋବର ୨୮ରୁ ୩୦ ତାରିଖ ଯାଏଁ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଓଡ଼ିଶା ଟ୍ରାଭେଲ ବଜାର – ୨୦୨୨।
- ଗୋଟିଏ ପ୍ଲାଟଫର୍ମରେ କ୍ରେତା ଓ ବିକ୍ରେତା
- ଯୋଗଦେବେ ବିଭିନ୍ନ ଦେଶର ୨୫ ବିଦେଶୀ ଟୁର୍ ଅପରେଟର
- ଆୟୋଜିତ ହେବ ବିଟୁବି ଓ ବିଟୁଜି ବୈଠକ
- ଓଡ଼ିଶା ପର୍ଯ୍ୟଟନ ଉତ୍ପାଦର ପ୍ରଚାର ଓ ପ୍ରସାର ହେବ ମୂଳ ଲକ୍ଷ୍ୟ
ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଫିକି ସହଯୋଗିତାରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ ‘ଓଡ଼ିଶା ଟ୍ରାଭେଲ ବଜାର-୨୦୨୨’। ଏହି କାର୍ଯ୍ୟକ୍ରମ ଅକ୍ଟୋବର ୨୮ ତାରିଖରୁ ୩୦ ତାରିଖ ଯାଏଁ ଚାଲିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତିନି ଦିନିଆ ମେଗା ଇଭେଣ୍ଟକୁ ଉଦଘାଟନ କରିବେ।
ଏଥିରେ ଦେଶ ବିଦେଶର ବହୁ ଟୁର୍ ଓ ଟ୍ରାଭେଲ ଅପରେଟରଙ୍କ ସହିତ ହୋଟେଲିୟର, ପର୍ଯ୍ୟଟନ ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ ଏବଂ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ବ୍ୟକ୍ତିମାନେ ଯୋଗଦେବେ। ବୁଧବାର ଦିନ ଭୁବନେଶ୍ୱରଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଛି।
‘‘ଓଡ଼ିଶାରେ ଅନେକ ପର୍ଯ୍ୟଟନ ସମ୍ଭାର ରହିଛି। ତେଣୁ ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଓଡ଼ିଶାକୁ ଆକର୍ଷିତ କରିବା ଲାଗି ଓଡ଼ିଶା ଟ୍ରାଭେଲ ବଜାର ଆୟୋଜନ କରାଯାଉଛି। ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଓଡ଼ିଶାରେ କ’ଣ ସବୁ ବିଶେଷ ସୁବିଧା ରହିଛି ତାହା ମଧ୍ୟ ଏଠାରେ ପ୍ରଦର୍ଶିତ ହେବ’’, ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଏହା କହିଛନ୍ତି ରାଜ୍ୟ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର।
ସେ ଆହୁରି କହିଥିଲେ ଯେ, ‘‘ଓଡ଼ିଶା ସରକାର ସ୍ପୋର୍ଟସ୍ ଟୁରିଜିମକୁ ପ୍ରାଧାନ୍ୟ ଦେଉଛନ୍ତି। ୨୦୨୩ ଜାନୁଆରିରେ ଭୁବନେଶ୍ୱର ଏବଂ ରାଉରକେଲା ସହରରେ ଏକାସାଙ୍ଗରେ ପୁରୁଷ ହକି ବିଶ୍ୱକପ ଆୟୋଜନ ହେବାକୁ ଯାଉଛି। ଏଥିରେ ଅନେକ ଦେଶ ଭାଗ ନେବେ। ଏଥିପାଇଁ ଦେଶ ବିଦେଶରୁ ଅନେକ ଦର୍ଶକ ଓ କ୍ରୀଡ଼ା ପ୍ରେମୀମାନେ ଆମ ରାଜ୍ୟକୁ ଆସିବେ। ଫଳରେ ଆମ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର ଆହୁରି ବ୍ୟାପକ ହୋଇପାରିବ।’’
୨୦୧୭ରେ ଓଡ଼ିଶା ଟ୍ରାଭେଲ ବଜାରର ପ୍ରଥମ ସଂସ୍କରଣ ଆୟୋଜନ କରାଯାଇଥିଲା। ଏହାର ସଫଳତା ପରେ ୨୦୧୮ ଏବଂ ୨୦୧୯ରେ ମଧ୍ୟ ଏହା ଆୟୋଜନ କରାଯାଇଥିଲା। ତେବେ କୋଭିଡ୍ ମହାମାରୀ ପାଇଁ ଗତ ଦୁଇ ବର୍ଷ ହେଲା ଏହି କାର୍ଯ୍ୟକ୍ରମ ବନ୍ଦ ରହିଥିଲା। ୨୦୨୨ରେ ପୁଣିଥରେ ଏହି ମେଗା ଇଭେଣ୍ଟ ଆୟୋଜନ କରାଯାଉଛି। ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରକୁ ଆଗକୁ ନେବା ଏବଂ ‘ବ୍ରାଣ୍ଡ ଓଡ଼ିଶା’କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର ପ୍ରସାର କରିବାରେ ‘ଓଡ଼ିଶା ଟ୍ରାଭେଲ ବଜାର’ ବିଶେଷ ସହାୟକ ହେବ।
‘‘ଦେଶ ବିଦେଶରୁ ଆସିଥିବା କ୍ରେତା ଓ ବିକ୍ରେତାମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସେମାନଙ୍କୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ଓଡ଼ିଶା ଟ୍ରାଭେଲ ବଜାର ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶାର ଐତିହ୍ୟ, ସଂସ୍କୃତି, ଆଦିବାସୀ ପର୍ଯ୍ୟଟନ, ବୌଦ୍ଧ ପର୍ଯ୍ୟଟନ, ହସ୍ତକଳା, ହସ୍ତତନ୍ତ, ପରିବେଶ, ବନ୍ୟଜନ୍ତୁ ପର୍ଯ୍ୟଟନ ସହିତ ତୀର୍ଥଯାତ୍ରୀ ପର୍ଯ୍ୟଟନର ପ୍ରଚାର ଓ ପ୍ରସାରକୁ ଏଥିରେ ଗୁରୁତ୍ୱ ଦିଆଯାଉଛି’’, କହିଛନ୍ତି ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର।
ଏହି କାର୍ଯ୍ୟକ୍ରମରେ ଦେଶ ଓ ଦେଶ ବାହାରୁ ଆସିଥିବା ଟୁର୍ ଅପରେଟରମାନେ ଓଡ଼ିଶାର ହୋଟେଲିୟର ଏବଂ ଟୁର୍ ଅପରେଟରମାନଙ୍କ ସହ ବି ଟୁ ବି ଆଲୋଚନା କରିବେ। ଏହାସହ ରାଜ୍ୟ ସରକାରଙ୍କ ସହିତ ବି ଟୁ ଜି ଆଲୋଚନା ମଧ୍ୟ ହେବ। ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ କେମିତି ପ୍ରଚାର ପ୍ରସାର କରାଯିବ ଏବଂ ଅଧିକ ବିଦେଶୀ ପର୍ଯ୍ୟଟକ ଓଡ଼ିଶାକୁ କେମିତି ଆକର୍ଷିତ ହେବ ସେ ବିଷୟରେ ଆଲୋଚନା ହେବ।
ଓଡ଼ିଶା ଟ୍ରାଭେଲ ବଜାରରେ ଯୋଗ ଦେଇଥିବା ବିଦେଶୀ ଟୁର୍ ଅପରେଟରମାନଙ୍କୁ ଓଡ଼ିଶାର ପର୍ଯ୍ୟଟନ ସମ୍ପଦ ବିଷୟରେ ଅବଗତ କରାଇବା ଲାଗି ସେମାନଙ୍କୁ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବୁଲାଇବାକୁ ନିଆଯିବ।
‘‘ଏ ବର୍ଷ ଓଡ଼ିଶା ଟ୍ରାଭେଲ ବଜାରର ମୁଖ୍ୟ ଫୋକସ୍ ହେଉଛି ଘରୋଇ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା। ସେଥିପାଇଁ ଆମେ ଏଥର ଅଧିକାଂଶ ଘରୋଇ ପର୍ଯ୍ୟଟନ ପରିଚାଳକ (ଡିଟିଓ)ଙ୍କୁ ଆମନ୍ତ୍ରିତ କରିଛୁ। ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ସୁଦୃଢ଼ ଓ ସୂଦୁରପ୍ରସାରୀ କରିବାରେ ଏଭଳି କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ’’, କହିଛନ୍ତି ଫିକି ଟ୍ରାଭେଲ, ଟୁରିଜିମ ଏବଂ ହସ୍ପିଟାଲିଟି କମିଟିର ସହ ଅଧ୍ୟକ୍ଷ ଏବଂ ଫିକି ଡୋମେଷ୍ଟିକ ଟୁରିଜିମ କମିଟିର ଅଧ୍ୟକ୍ଷ ତଥା ସ୍ୱସ୍ତି ଗ୍ରୁପର ସିଏମଡି ଜେ.କେ ମହାନ୍ତି।
ଚଳିତବର୍ଷ ଓଡ଼ିଶା ଟ୍ରାଭେଲ ବଜାର କାର୍ଯ୍ୟକ୍ରମରେ ବାଂଲାଦେଶ, ଇଣ୍ଡୋନେସିଆ, ମାଲେସିଆ, ନେପାଳ, ସିଙ୍ଗାପୁର, ତାଞ୍ଜାନିଆ, ଥାଇଲାଣ୍ଡ ଓ ଭିଏତନାମ ଆଦି ଦେଶରୁ ୨୫ ବିଦେଶୀ ଟୁର ଅପରେଟର (ଏଫ୍ଟିଓ) ଅଂଶଗ୍ରହଣ କରିବେ।
ସେହିପରି ଔରଙ୍ଗାବାଦ, ବେଙ୍ଗାଳୁରୁ, ଭୋପାଳ, ଚଣ୍ଡିଗଡ଼, ଚନ୍ଦ୍ରପୁର, ଚେନ୍ନାଇ, ଡେରାଡୁନ, ଗୌହାଟୀ, ହାଇଦ୍ରାବାଦ, ଜୟପୁର, କୋଚି, କୋଲକାତା, ଲୁଧିଆନା, ମଙ୍ଗଳଗିରି, ମୁମ୍ବାଇ, ନାଗପୁର, ନାସିକ, ନୂଆଦିଲ୍ଲୀ, ପାଞ୍ଜିମ, ପୁଣେ, ରାୟପୁର, ରୋହତକ, ସିଲିଗୁଡ଼ି, ସୁରେନ୍ଦ୍ର ନଗର, ଥିରୁବନ୍ତପୁରମ, ବାରଣାସୀ ଓ ବିଶାଖାପାଟଣାର ୮୩ ଘରୋଇ ଟୁର ଅପରେଟର (ଡିଟିଓ) ମଧ୍ୟ ଏଥିରେ ସାମିଲ ହେବେ।
ଏହି କାର୍ଯ୍ୟକ୍ରମ ସମ୍ପର୍କରେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ କହିଛନ୍ତି, ‘‘ଓଡ଼ିଶାରେ ଥିବା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ହୋମ୍ଷ୍ଟେ, ବୋଟ୍ ହାଉସ, ଇକୋ ରିଟ୍ରିଟ୍ ଭଳି ବ୍ୟବସ୍ଥା କରାଯାଉଛି। ଓଡ଼ିଶା ଏବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଆକର୍ଷଣ ପାଲଟିଛି।’’
ଏହି ସାମ୍ବାଦିକ ସମ୍ମିଳନୀରେ ଓଏସ୍ଡି ଅଂଶୁମାନ ରଥଙ୍କ ସହିତ ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।
ଓଡ଼ିଶା ଟ୍ରାଭେଲ ବଜାର ଆୟୋଜନ ହେବା ଦ୍ୱାରା ଆମ ପର୍ଯ୍ୟଟନ ଆହୁରି ସମୃଦ୍ଧ ହେବା ସହ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଏକ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ ହୋଇ ପାରିବ। ପର୍ଯ୍ୟଟନର ବିକାଶ ହେଲେ ସ୍ଥାନୀୟ ଲୋକମାନଙ୍କର ଜୀବିକା ସୁନିଶ୍ଚିତ ହେବା ସହ ଓଡ଼ିଶାର କଳା, ସଂସ୍କୃତି ଏବଂ ଐତିହ୍ୟର ବ୍ୟାପକ ପ୍ରଚାର ପ୍ରସାର ହୋଇପାରିବ।