ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ଦ୍ରୌପଦୀ ମୁର୍ମୁ। ଚଳିତ ମାସ ୧୦ ତାରିଖ ପୂର୍ବାହ୍ନରେ ରାଷ୍ଟ୍ରପତି ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚି ସେଠାରୁ ପୁରୀ ଅଭିମୁଖେ ଯାତ୍ରା କରିବେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ସିଂହଦ୍ଵାର ନିକଟସ୍ଥ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ଅପରାହ୍ନରେ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିମାନଙ୍କରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହାପରେ ରାଷ୍ଟ୍ରପତି ଭବନରେ ଏକ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବେ।

ରାଷ୍ଟ୍ରପତିଙ୍କ ଓଡ଼ିଶା ଆଗମନ ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବୁଧବାର ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଗୃହ ବିଭାଗ ସ୍ଵତନ୍ତ୍ର ଶାସନ ସଚିବ ସନ୍ତୋଷ ବାଳା ଗସ୍ତ ସଂପର୍କିତ ବ୍ୟବସ୍ଥା ବିଷୟରେ ବିସ୍ତୃତ ସୂଚନା ଉପସ୍ଥାପନା କରିଛନ୍ତି। ରାଷ୍ଟ୍ରପତି ଭବନରୁ ପ୍ରାପ୍ତ ପ୍ରାରମ୍ଭିକ ସୂଚନା ଭିତ୍ତିରେ ସମସ୍ତ ସ୍ଥାନରେ ନିର୍ଦ୍ଧାରିତ ପ୍ରୋଟୋକଲ୍ ଏବଂ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

ରାଜ୍ୟ ପୋଲିସ ବିଭାଗ, ପୁରୀ ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନଙ୍କୁ ଏନେଇ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତ, ରହଣୀ ଓ କାର୍ଯ୍ୟକ୍ରମ ଆଦି ସମୟରେ ଗାର୍ଡ ଅଫ୍ ଅନର, ଜାତୀୟ ସଙ୍ଗୀତ ବାଦନ, ବାରିକେଡ୍, ନିରାପତ୍ତା, ସ୍ଵାସ୍ଥ୍ୟ ସେବା, ଅଗ୍ନିଶମ ସେବା, ଇଣ୍ଟରନେଟ୍ ଓ ଟେଲି ଯୋଗାଯୋଗ, ବୈଷୟିକ ଉପକରଣ, ଟ୍ରାଫିକ୍ ପରିଚାଳନା, ସାଧାରଣ ଆଇନ ଶୃଙ୍ଖଳା, ଗଣମାଧ୍ୟମ ପାଇଁ ଅନୁମତି ଆଦି ବିଷୟରେ ଆଲୋଚନା କରାଯାଇଥିଲା। ରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ଏବଂ ତାଙ୍କ ସହ ସିଧାସଳଖ ଯୋଗାଯୋଗ କରୁଥିବା ସମସ୍ତ ବ୍ୟକ୍ତିଙ୍କର ଆର୍‌ଟିପିସିଆର୍ ପଦ୍ଧତିରେ କୋଭିଡ୍ ପରୀକ୍ଷା ଏବଂ ଏନ-୯୫ ମାସ୍କ ପରିଧାନ ନିଶ୍ଚିତ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Tags: #PresidentOfIndia #DraupadiMurmu #Odisha #OdishaNews #Visit

Comment