ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ହାତୀ ମୃତ୍ୟୁ ରୋକିବା ଲାଗି ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଯାଉଛି। ଆସନ୍ତା ଡିସେମ୍ବର ସୁଦ୍ଧା ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯିବ। ରାଜ୍ୟରେ ବିଦ୍ୟୁତ୍‌ ଆଘାତ ଏବଂ ରେଳ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁ ରୋକିବା ପାଇଁ ଉଦ୍ୟମ କରାଯିବ। ଏନେଇ ଜଏଣ୍ଟ ଟାସ୍କ ଫୋର୍ସ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି।

ଏହି ଆକ୍ସନ ପ୍ଲାନ୍‌ ମୁତାବକ ହାତୀମାନେ ଚଳପ୍ରଚଳ କରୁଥିବା ଅଞ୍ଚଳରେ କରିଡର ଗୁଡ଼ିକୁ ଚିହ୍ନଟ କରାଯିବା ସହ ସ୍ଥାନୀୟ ଜନସାଧାରଣଙ୍କୁ ହାତୀ ସୁରକ୍ଷା ପ୍ରସଙ୍ଗରେ ସଚେତନ କରାଯିବ। ଏହି ଆକ୍ସନ ପ୍ଲାନ୍‌ରେ ଥିବା କେତେକ ପ୍ରସଙ୍ଗକୁ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ସତ୍ୟପାଠରେ କୁହାଯାଇଛି।

ହାତୀ ମୃତ୍ୟୁ ରୋକିବା ପାଇଁ ଉଭୟ ବିଦ୍ୟୁତ୍‌ ବିତରଣ କମ୍ପାନୀ ଓ ରେଳବାଇ ସହ ଆଲୋଚନା କରାଯିବ ବୋଲି ସତ୍ୟପାଠରେ ଦର୍ଶାଯାଇଛି। ଆସନ୍ତା ଜାନୁଆରୀ ମାସ ସୁଦ୍ଧା ଆକ୍ସନ ପ୍ଲାନ୍‌ର ରୂପାୟନ ନେଇ ଜଏଣ୍ଟ ଟାସ୍କ ଫୋର୍ସ ରିପୋର୍ଟ ଦେବ।

ଅନ୍ୟପକ୍ଷେ, ଜଏଣ୍ଟ ଟାସ୍କ ଫୋର୍ସରେ ବିଶିଷ୍ଟ ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ ଏବଂ ଡାକ୍ତର ବିଶ୍ୱଜିତ ମହାନ୍ତିଙ୍କୁ ସାମିଲ କରିବାକୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି। ଜେଟିଏଫ୍‌ ଦ୍ୱାରା ପ୍ରସ୍ତୁତ ଆକ୍ସନ ପ୍ଲାନ୍‌ କେତେ କାର୍ଯ୍ୟକାରୀ କରାଯାଇଛି, ସେନେଇ ଜଣାଇବା ପାଇଁ କୋର୍ଟ କହିଛନ୍ତି।

ହାତୀ ଶିକାରକୁ ନେଇ ଦାୟର ସମସ୍ତ ମାମଲାର ତ୍ୱରିତ ବିଚାର ପାଇଁ ପଦକ୍ଷେପ ନେବାକୁ ଜେଟିଏଫ ସଦସ୍ୟ ତଥା ଅତିରିକ୍ତ ଏସପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କର୍ଣ୍ଣାଟକ ଏବଂ ଇଷ୍ଟ ସେଣ୍ଟ୍ରାଲ୍‌ ଏଲିଫାଣ୍ଟ ଆକ୍ସନ ପ୍ଲାନ୍‌କୁ ତର୍ଜମା କରି ସେହି ଆଧାରରେ ପଦକ୍ଷେପ ନେବାକୁ ଜେଟିଏଫକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ପୋଲିସ ଓ ବନ ବିଭାଗ ସହିତ ଏକ ଜଏଣ୍ଟ ଟାସ୍କ ଫୋର୍ସ ଗଠନ କରିଛନ୍ତି।

Tags: #Elephantcorridor #Jointtaskforce #OdishaHighcourt #Actionplan

Comment