ଓଡ଼ିଶାଲାଇଭ୍ ବ୍ୟୁରୋ

ଅଷ୍ଟ୍ରେଲିଆର ଆଡିଲେଡରେ ଆସନ୍ତା ୨୬ ନଭେମ୍ବରରୁ ଆରମ୍ଭ ହେବାକୁଥିବା ଭାରତ- ଅଷ୍ଟ୍ରେଲିଆ ହକି ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଏହି ଭାରତୀୟ ଦଳରେ ହରମନପ୍ରୀତ୍ ସିଂହ ଅଧିନାୟକ ନିଯୁକ୍ତ ହୋଇଥିବାବେଳେ ଓଡ଼ିଶାର ଅମିତ ରୋହିଦାସଙ୍କୁ ଉପଅଧିନାୟକ ଚୟନ କରାଯାଇଛି।

ଏହି ଦଳରେ ଓଡ଼ିଶାର ଅନ୍ୟତମ ଖେଳାଳି ଭାବେ ନୀଲମ ସଞ୍ଜୀପ ଖେସ୍ ସ୍ଥାନ ପାଇଛନ୍ତି। ଏହି ଦ୍ଵିପାକ୍ଷୀକ ସିରିଜ୍ ୨୦୨୩ ଜାନୁଆରି ମାସରେ ହେବାକୁଥିବା ପୁରୁଷ ହକି ବିଶ୍ଵକପ ପାଇଁ ଅଭ୍ୟାସରେ ସହାୟକ ହେବ।

ଅମିତ ରୋହିଦାସ ଭାରତୀୟ ଦଳର ଜଣେ ସଫଳ ଡିଫେଣ୍ଡର ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି। ଅମିତ ରୋହିଦାସଙ୍କ ଜନ୍ମ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ସଉନାମରା ଗ୍ରାମରେ ୧୯୯୩ ମସିହା ମେ’ ୧୦ ତାରିଖରେ ହୋଇଥିଲା। ସେ ୨୦୦୪ ମସିହାରେ ପନପୋଷ ସ୍ପୋର୍ଟସ ହସ୍ଟେଲରେ ହକି ଖେଳିବା ଆରମ୍ଭ କରିଥିଲେ।

ସେ ଭାରତ ପାଇଁ ୧୨୪ଟି ମ୍ୟାଚ ଖେଳି ୧୬ଟି ଗୋଲ୍ ଦେଇଛନ୍ତି। ଅମିତ ଭାରତୀୟ ଦଳର ଅନ୍ୟତମ ଓଡ଼ିଆ ଡିଫେଣ୍ଡର ବିରେନ୍ଦ୍ର ଲାକ୍ରାଙ୍କ ସହ ମିଶି ଭାରତର ରକ୍ଷଣପଂକ୍ତିକୁ ଖୁବ ମଜବୁତ୍ କରିଛନ୍ତି।

ଅମିତ ୨୦୦୯ ମସିହାରେ ଭାରତୀୟ ଜୁନିୟର ଦଳରେ ସାମିଲ ହୋଇଥିଲେ। ସେ ୨୦୧୧ ଓ ୨୦୧୨ ମସିହାରେ ଭାରତୀୟ ଜୁନିୟର ଦଳରୁ ସୁଲତାନ ଜୋହାର କପରେ ଖେଳିଥିଲେ।

ଅମିତ ରୋହିଦାସ ୨୦୧୩ ମସିହାରେ ଭାରତୀୟ ସିନିୟର ଦଳରେ ସାମିଲ ହୋଇ ଏସିଆ କପରେ ଖେଳିଥିଲେ। ଏହି ଏସିଆ କପରେ ଭାରତ ସିଲଭର ମେଡାଲ ପାଇଥିଲା। ଏହାପରେ ସେ ୨୦୧୮ରେ ବାଂଲାଦେଶର ଢାକାରେ ହୋଇଥିବା ଏସିଆ କପରେ ଖେଳିଥିଲେ। ଏଠାରେ ଭାରତକୁ ଗୋଲ୍ଡ ମେଡାଲ ମିଳିଥିଲା।

୨୦୨୧ରେ ଟୋକିଓ ଅଲିମ୍ପିକ୍ସରେ ଖେଳି ଅମିତ ବ୍ରୋଞ୍ଜ ମେଡାଲ ହାସଲ କରିଥିଲେ। ଏହି ଅଲିମ୍ପିକରେ ତାଙ୍କର ଡିଫେଣ୍ଡିଙ୍ଗ ଭାରତ ପାଇଁ ଅନେକ ଗୋଲ ବଞ୍ଚାଇବାରେ ସହାୟକ ହୋଇଥିଲା।

ଚଳିତବର୍ଷ ବର୍ମିଂହାମରେ ହୋଇଥିବା କମନୱେଲଥ୍ ଗେମ୍ସରେ ମଧ୍ୟ ଅମିତ ସାମିଲଥିଲେ। ଏଠାରେ ଭାରତ ସିଲଭର ମେଡାଲ ପାଇଥିଲା

ଭାରତୀୟ ଦଳର ଗୋଲକିପର ପି.ଆର୍  ଶ୍ରୀଜେସ୍  ଥରେ କହିଥିଲେ, “ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରା ମୁଁ ଗୋଲକିପିଙ୍ଗ କଲାବେଳେ ଏକ ପ୍ରାଚୀର ସଦୃଶ ଠିଆ ହୋଇ ମୋର ଅନେକ ସହାୟତା କରିଥାନ୍ତି। ଯାହାଫଳରେ ମୁଁ ଅନେକ ଗୋଲକୁ ରକ୍ଷା କରିବାରେ ସଫଳ ହୁଏ।”

ଅମିତ ରୋହିଦାସ ତାଙ୍କ ହକି କ୍ୟାରିୟରରେ ଚାମ୍ପିଆନ୍ସ ଟ୍ରଫି, ହକି ୱାର୍ଲ୍ଡ ଲିଗ୍ ଏବଂ ହକି ବିଶ୍ଵକପ ଭଳି ବହୁ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଖେଳିଛନ୍ତି। ସେ ନିଜ ଖେଳ ମାଧ୍ୟମରେ ଓଡ଼ିଶା ପାଇଁ ଆଣିଛନ୍ତି ଅନେକ ସୁନାମ।

କ୍ରୀଡ଼ା କ୍ଷେତ୍ରରେ ନିଜର ଯୋଗଦାନ ପାଇଁ ଅମିତ ରୋହିଦାସ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଛନ୍ତି। ସେ ୨୦୨୧ ମସିହାରେ ଭାରତର ରାଷ୍ଟ୍ରପତିଙ୍କ ଠାରୁ ଅର୍ଜୁନ ପୁରସ୍କାର ପାଇଥିଲେ। ଓଡ଼ିଶା ସରକାର ମଧ୍ୟ ତାଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି।

Tags: #AmitRohidas #Vicecaptain #IndianHockeyteam #Defender #Odisha #Sundargarh

 

Comment