ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଅଭିନବ ନଗର ପରିବହନ ପ୍ରକଳ୍ପ ପରିଚାଳନା କରିବା ନିମନ୍ତେ ‘ମୋ ବସ’ ପରିଚାଳନା ସଂସ୍ଥା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାଂସପୋର୍ଟ୍ (କ୍ରୁଟ୍)କୁ ସମ୍ମାନିତ କରାଯାଇଛି।

ଦ୍ଵିତୀୟ ଅର୍ବାନ୍ ଇନଫ୍ରା ବିଜନେସ୍ ସମିଟ୍ ଏଣ୍ଡ୍ ଆର୍ଡ୍ସ ୨୦୨୨ରେ ‘ଗମନାଗମନ ଓ ଗତିଶୀଳତା’ ବିଭାଗରେ ଏହି ସମ୍ମାନ ମିଳିଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କ୍ରୁଟର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ଏହି ପୁରସ୍କାର ଗ୍ରହଣ କରିଥଲେ।

କ୍ରୁଟ୍ ମହାପ୍ରବନ୍ଧକ ଦିପ୍ତି ମହାପାତ୍ର ନିଜର ଖୁସି ବ୍ୟକ୍ତ କରି କହିଛନ୍ତି ଯେ,“ଯାତ୍ରୀମାନଙ୍କୁ ସର୍ବୋତ୍ତମ ଅଭିଜ୍ଞତା ପ୍ରଦାନ କରିବା ସହିତ ଉତ୍ତମ ସେବା ଯୋଗାଇ ଦେବାକୁ ଆମର ପ୍ରଚେଷ୍ଟା ଜାରି ରଖିଛୁ। କ୍ରୁଟ୍ ଟିମ୍ ଦ୍ୱାରା କରାଯାଇଥିବା ଉତ୍ତମ କାର୍ଯ୍ୟ ଯୋଗୁଁ ଏହି ସମ୍ମାନ ହାସଲ କରିପାରିଛୁ। ଏପରି ସମ୍ମାନ ଆମକୁ ଏକ ନୂତନ ପଦକ୍ଷେପ ପାଇଁ ପ୍ରେରଣା ଯୋଗାଇଥାଏ। ଯାତ୍ରୀମାନଙ୍କ ପାଇଁ ପ୍ରତ୍ୟେକ ଥର ଏକ ଭିନ୍ନ ଅନୁଭୂତି ଦେବା ପାଇଁ କ୍ରୁଟ୍‌ର ପ୍ରୟାସ ଜାରି ରହିବ।”

ସମୟାନୁସାରେ ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ କ୍ରୁଟର ସେବାକୁ ନିୟମିତ ଭାବରେ ତ୍ୱରାନ୍ୱିତ କରାଯାଉଛି ନିକଟରେ ‘ମୋ ବସ’ ତରଫରୁ ଇ-ରାଇଡ୍ ଆରମ୍ଭ କରାଯାଇ ହିତାଧିକାରୀଙ୍କୁ ସାମଗ୍ରିକ ତଥା ବୈଷୟିକ ତାଲିମ ଦିଆଯାଇଥିଲା।

ଏହି ଅବସରରେ କ୍ର୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, “ରାଜ୍ୟ ପାଇଁ ସମ୍ମାନ ଆଣିବା ଗର୍ବର ବିଷୟ। ଆମେ ଏହିଭଳି ଉତ୍ତମ ଧରଣର କାର୍ଯ୍ୟକୁ ବଜାୟ ରଖି ରାଜ୍ୟରେ ଗଣପରିବହନ କ୍ଷେତ୍ରରେ ନୂତନ ଉଦ୍ଭାବନ ଆଣିବୁ।”

ଆଗକୁ କ୍ରୁଟ୍ ପକ୍ଷରୁ ରାଇଡ୍ ୱୀଥ୍ ପ୍ରାଇଡ୍ (ଗର୍ବର ସହ ଯାତ୍ରା) ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ସହରାଞ୍ଚଳ ପରିବହନ କ୍ଷେତ୍ରରେ କ୍ରୁଟ୍ ସକରାତ୍ମକ ପରିବର୍ତ୍ତନ ଓ ଉଲ୍ଲେଖନୀୟ ଅବଦାନ ପାଇଁ କାର୍ଯ୍ୟ କରିବା ସହିତ ଲଗାତାର ପ୍ରୟାସ ଜାରି ରଖିବ।

Tags: #MoBus #CRUT #UrbanInfaBusinessSummit #Odisha #DiptiMohapatra #Award

Comment