ଓଡ଼ିଶାଲାଇଭ୍ ବ୍ୟୁରୋ

ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସାରିବା ପରେ ଏବେ ଜୋରଦାର ପ୍ରଚାର ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଭାରତୀୟ ଜନତା ପାର୍ଟି ନିଜର ୪୦ ଜଣିଆ ଷ୍ଟାର ପ୍ରଚରକମାନଙ୍କ ତାଲିକା ଘୋଷଣା କରିଛି।

ଭାରତୀୟ ଜନତା ପାର୍ଟି ୪ ଜଣ କେନ୍ଦ୍ର ମନ୍ତ୍ରୀଙ୍କୁ ନିଜ ଷ୍ଟାର ପ୍ରଚରକମାନଙ୍କ ମଧ୍ୟରେ ରଖିଛି। ଏମାନେ ହେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ରାଷ୍ଟ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ।

ବିଜେପି ପକ୍ଷରୁ ପ୍ରସ୍ତୁତ ତାଲିକାରେ ୪ କେନ୍ଦ୍ର ମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟମାନଙ୍କ ଭିତରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ପ୍ରତାପ ଷଡଙ୍ଗୀ, ବୈଜୟନ୍ତ ପଣ୍ଡା, ଜୁଏଲ ଓରାମ, ସୁରେଶ ପୂଜାରୀ ପ୍ରମୁଖ। ନିକଟରେ ଧାମନଗରରୁ ନିର୍ବାଚିତ ବିଧାୟକ ସୁର୍ଯ୍ୟବଂଶୀ ସୁରଜ ମଧ୍ୟ ଷ୍ଟାର ପ୍ରଚରକମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି।

ବିଜେପି ପକ୍ଷରୁ ଜାରି ହୋଇଥିବା ତାଲିକାରେ ୬ ଜଣ ମହିଳା ପ୍ରଚାରକ ରହିଛନ୍ତି। ସାଂସଦ ଅପରାଜିତ ଷଡଙ୍ଗୀ ଡି. ପୁରନ୍ଦେଶ୍ଵରୀ, ସଂଗୀତା ସିଂହଦେଓ, ଲେଖାଶ୍ରୀ ସାମନ୍ତସିଂଘାର ଓ ସୁରମା ପାଢୀ ପ୍ରମୁଖ ଏହି ତାଲିକାରେ ସାମିଲ ଅଛନ୍ତି।

ପଦ୍ମପୁର ଉପନିର୍ବାଚନ ମଇଦାନରେ ୧୧ ପ୍ରାର୍ଥୀ ଅଛନ୍ତି। ବିଜେଡି ଏହି ଉପନିର୍ବାଚନରେ ଦିବଙ୍ଗତ ବିଧାୟକ ବିଜୟରଞ୍ଜନ ସିଂହ ବରିହାଙ୍କ ଝିଅ ବର୍ଷାରଣୀ ସିଂହ ବରିହାଙ୍କୁ ନିଜ ପାର୍ଥୀ କରିଛି । ସେହିପରି ପ୍ରଦୀପ ପୁରୋହିତ ବିଜେପିରୁ ଓ ସତ୍ୟଭୂଷଣ ସାହୁ କଂଗ୍ରେସରୁ ପାର୍ଥୀ ହୋଇଛନ୍ତି। ଏହାବାଦ ଆଉ ୮ ସ୍ଵାଧୀନ ପ୍ରାର୍ଥୀ ଏହି ଉପନିର୍ବାଚନରେ ମୁକାବିଲା କରିବେ। ଆଜିଠୁ ବିଧିବଦ୍ଧ ପ୍ରଚାର ଆରମ୍ଭ ହୋଇଛି।

ଏହି ଉପନିର୍ବାଚନ ପାଇଁ ଡିସେମ୍ବର ୫ ତାରିଖରେ ମତଦାନ ହେବ ଏବଂ ଡିସେମ୍ବର ୮ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ଗତ ଅକ୍ଟୋବର ୩ ତାରିଖରେ ପଦ୍ମପୁର ବିଧାୟକ  ବିଜୟ ରଞ୍ଜନ ସିଂ ବରିହାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ବିୟୋଗ ପରେ ଖାଲି ପଡ଼ିଥିବା ପଦ୍ମପୁର ବିଧାନସଭା ଆସନ ଲାଗି ନିର୍ବାଚନ ହେବ।

Tags:  #PadampurByElection #Starcampaigner #Politics #OdishaPolitics #PadampurPolitics #ByElection #BJD #BJP                    #Congress

 

Comment