ଓଡ଼ିଶାଲାଇଭ୍ ବ୍ୟୁରୋ

ଯାଜପୁର ଜିଲ୍ଲାର କୋରେଇ ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଆଜି ସକାଳ ପ୍ରାୟ ୬ଟା ୪୦ ମିନିଟରେ ଏହି ରେଳ ଦୁର୍ଘଟଣା ଘଟିଛି। ଷ୍ଟେସନରେ ପ୍ଲାଟଫର୍ମ ସହ ଯାତ୍ରୀ ବିଶ୍ରାମଗାର ଉପରକୁ ମାଡି ଯାଇଛି ଟ୍ରେନର ୬ରୁ ଅଧିକ ବଗି। ଯାହାଫଳରେ ବଗି  ତଳେ ଚାପି ହୋଇ ୩ ଜଣଙ୍କ ମୃତ ହୋଇଥିବାବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ବଗି ଓ ଭଙ୍ଗା ଘର ତଳେ ଆହୁରି କିଛି ଲୋକ ଚାପି ହୋଇରହିଥିବା ସନ୍ଦେହ କରାଯାଉଛି।

ମୃତକଙ୍କ ମଧ୍ୟରେ ୨ ମହିଳା ରହିଛନ୍ତି। ଗୁରୁତର ଆହତ ହୋଇଥିବା ୪ ଜଣଙ୍କ ମଧ୍ୟରେ ୨ ମହିଳା ଓ ଜଣେ ଶିଶୁ ରହିଛନ୍ତି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମବାହିନୀ ଓ ଆରପିଏଫ କର୍ମଚାରୀ ନିୟୋଜିତ ଅଛନ୍ତି। ଦୁର୍ଘଟଣାରେ ଷ୍ଟେସନର ଫୁଟ୍‌ ଓଭରବ୍ରିଜ୍ ମଧ୍ୟ ଭାଙ୍ଗି ଯାଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ସୋମବାର ସକାଳେ ମାଲବାହୀ ଟ୍ରେନ୍‌ଟି ଦ୍ରୁତ ଗତିରେ ଥିବା ବେଳେ ପ୍ରଥମ ୬ଟି ବଗି ଷ୍ଟେସନକୁ ଅତିକ୍ରମ କରିଚାଲି ଯାଇଥିଲା। ଏହାପରେ ପ୍ରାୟ ୮ରୁ ଊର୍ଦ୍ଧ୍ୱ ବଗି ଲାଇନ୍‌ଚ୍ୟୁତ ହୋଇ ଯାଇଥିଲା । ଏହି ବଗିଗୁଡ଼ିକ ମଧ୍ୟରୁ ପ୍ରାୟ ୪ ବଗି ଯାତ୍ରୀ ବିଶ୍ରାମାଗାଗ ଉପରକୁ ମାଡ଼ି ଯାଇଥିଲା।

ସେହି ସମୟରେ ସେଠାରେ ବହୁ ଲୋକ ବିଶ୍ରାମ ନେଉଥିବା ବେଳେ ବହୁ ଲୋକ ଟ୍ରେନ୍‌କୁ ଅପେକ୍ଷା କରି ଛିଡ଼ା ହୋଇଥିଲେ । ଟ୍ରେନ୍‌ଟି ମାଡ଼ି ଆସିବା ଦେଖି ବହୁ ଲୋକ ସେଠାରୁ ଦୌଡ଼ି ପଳାଇଥିଲେ । ମାତ୍ର ଟ୍ରେନ୍‌ ବଗି ତଳେ ଚାପି ହୋଇ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ  ରିଲିଫ ଟ୍ରେନକୁ ଦୁର୍ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖୋର୍ଦ୍ଧା ରୋଡ୍ ଡିଆରଏମ ଦୁର୍ଘଟଣାସ୍ଥଳ ଅଭିମୁଖେ ବାହାରିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣା କାରଣରୁ ଏହି ରୁଟରେ ୮ଟି ଟ୍ରେନକୁ ବାତିଲ କରିଦିଆଯାଇଛି।

ରେଳବାଇ ପକ୍ଷରୁ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି। ଏହାଛଡା ଗୁରୁତର ଆହତ ବ୍ୟକ୍ତିଙ୍କ ନିମନ୍ତେ ୧ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ରେଳବାଇ କରିଛି । ରାଜ୍ୟ ସରକାର ତରଫରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା ହୋଇଛି।

Tags: #Trainaccident #Indianrailways #Korei #Jajpur #Odisha

Comment