ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରୁ ବାହାରିଥିବା ଷ୍ଟାର୍ଟଅପମାନଙ୍କୁ ପ୍ରୋତ୍ସାହିତ କରିବା ତଥା ସେମାନଙ୍କୁ ବିଭିନ୍ନ ବଜାର ଓ ନିବେଶକମାନଙ୍କ ସହ ଯୋଡ଼ିବା ଲକ୍ଷ୍ୟ ନେଇ ଟାଇ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ସୋମବାର ଦିନ ମେ’ ଫେୟାର ହୋଟେଲଠାରେ ‘ହଲ୍‌ ଅଫ୍‌ ଫେମ୍‌-୨.୦’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୨୫ଟି ଷ୍ଟାର୍ଟଅପ ପକ୍ଷରୁ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଥିଲା। ସେଠାରେ ଷ୍ଟାର୍ଟଅପମାନେ ସେମାନଙ୍କ ନିଜସ୍ୱ ଉତ୍ପାଦ ପ୍ରଦର୍ଶନ କରିଥିଲେ।

ଏହି ହଲ୍ ଅଫ୍ ଫେମ୍‌ର ପ୍ରଥମ ଅଧିବେଶନରେ ଓଡ଼ିଶା ଇଲେକ୍ଟ୍ରୋନିକ୍ସ ଏବଂ ଇନଫରମେସନ୍ ଟେକ୍ନୋଲୋଜି ବିଭାଗର ସଚିବ ମନୋଜ ମିଶ୍ର, ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧିକାରୀ ଓମକାର ରାୟ, ଟାଇ ଭୁବନେଶ୍ୱର ଚାପ୍ଟରର ସଭାପତି ଦେବାଶିଷ ପଟ୍ଟନାୟକ ଓ ଉପସଭାପତି ସୁନିଲ ତନେଜା ଯୋଗ ଦେଇଥିଲେ।

‘‘ଗୋଟିଏ ଆଇଡିଆକୁ ବ୍ୟବସାୟରେ ପରିଣତ କରିବା ସହଜ କଥା ନୁହେଁ। ତେଣୁ ବ୍ୟବସାୟ ବା ଉଦ୍ୟୋଗ କିପରି ଆଗକୁ ବଢ଼ିବ ସେ ବିଷୟରେ ଉଦ୍ୟୋଗୀମାନେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ଉତ୍ପାଦର ମୂଲ୍ୟାଙ୍କନ ପଛରେ ସବୁବେଳେ ନଗୋଡ଼ାଇ ଉତ୍ପାଦଗୁଡ଼ିକୁ କିପରି ଅଧିକ ମୂଲ୍ୟଯୁକ୍ତ କରାଯାଇପାରିବ ତା’ ଉପରେ ଷ୍ଟାର୍ଟଅପମାନେ ଗୁରୁତ୍ୱ ଦେବା ଦରକାର’’, କହିଛନ୍ତି ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ସଚିବ ମନୋଜ ମିଶ୍ର।

‘‘ଷ୍ଟାର୍ଟଅପ୍‌ ଓଡ଼ିଶା ସବୁବେଳେ ନୂଆ ନୂଆ ଆଇଡିଆକୁ ସ୍ୱାଗତ କରିବା ସହ ଷ୍ଟାର୍ଟଅପମାନଙ୍କୁ ଆଗକୁ ବଢ଼ିବା ଲଗି ଉତ୍ସାହିତ କରିଥାଏ। ତେଣୁ ସମସ୍ତ ଅଂଶୀଦାରମାନଙ୍କ ସକ୍ରିୟ ସହଯୋଗ ଏବଂ ସମର୍ଥନ ରହିଲେ ଷ୍ଟାର୍ଟଅପ୍‌ ଓଡ଼ିଶା ବିଶ୍ୱ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ପାଇବା ସହ ଆଉ ଏକ ନୂଆ ଉଚ୍ଚତାକୁ ଯାଇପାରିବ’’, କହିଛନ୍ତି ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧିକାରୀ ଓମକାର ରାୟ।

ଏହି କାର୍ଯ୍ୟକ୍ରମରେ ଆଞ୍ଜେଲ ନିବେଶକମାନେ ଯୋଗ ଦେଇଥିଲେ। ସେମାନେ ବିଭିନ୍ନ ଷ୍ଟାର୍ଟଅପ୍‌ ଷ୍ଟଲ୍‌ ପରିଦର୍ଶନ କରି ନୂଆକରି ଷ୍ଟାର୍ଟଅପ୍‌ କରିଥିବା ଉଦ୍ୟୋଗୀମାନଙ୍କୁ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିଥିଲେ।

ଆଞ୍ଜେଲ ନିବେଶକ ଏବଂ ଷ୍ଟାର୍ଟଅପମାନଙ୍କ ଭିତରେ ସମନ୍ୱୟ ରକ୍ଷା କରିବା ପାଇଁ ଏକ ସ୍ଵତନ୍ତ୍ର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ହିମାଂଶୁ ଗୋଏଲ, ହରି ବାଲାସୁବ୍ରମଣ୍ୟମ୍, ଶ୍ରୀଧର ରାଲାବନ୍ଦି ଏବଂ ଅଜିତ ଭଟ୍ଟାଚାର୍ଯ୍ୟଙ୍କ ଭଳି ଆଞ୍ଜେଲ ନିବେଶକମାନେ ଯୋଗଦେଇ ଷ୍ଟାର୍ଟଅପମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଶୁଭାଶିଷ ମିଶ୍ର ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ।

ଶେଷ ଅଧିବେଶନରେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଜେଏସଡବ୍ଲ୍ୟୁ ଗ୍ରୁପର ପ୍ରଶାନ୍ତ ବିଶ୍ଵାଳ, ଟାଇ ଭୁବନେଶ୍ୱର ଚାପ୍ଟରର ସଦସ୍ୟ ଦେବେଶ ସିହ୍ନା ଯୋଗ ଦେଇଥିଲେ। କିଟ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ‘ମାଇ ଷ୍ଟୋରି’ ଅଧିବେଶନରେ ଯୋଗଦେଇ କିଟ୍‌ ପ୍ରତିଷ୍ଠା ପଛର କାହାଣୀ ଏବଂ ସଂଘର୍ଷ ବିଷୟରେ କହିଥିଲେ।

ଆଗାମୀ ଦିନରେ ଟାଇ ଭୁବନେଶ୍ୱର ପକ୍ଷରୁ ଏକ ନିବେଶକ କର୍ମଶାଳା ଆୟୋଜନ କରାଯିବ, ଯେଉଁଠାରେ ଷ୍ଟାର୍ଟଅପରେ ନିବେଶ କରିବାର ଫାଇଦା ବିଷୟରେ ନିବେଶକମାନଙ୍କୁ ଅବଗତ କରାଯିବ।

ଷ୍ଟାର୍ଟଅପ୍‌ ଓଡ଼ିଶା, ଜେଏସଡବ୍ଲ୍ୟୁ ଏବଂ ଏସଟିପିଆଇ ସହଯୋଗିତାରେ ‘ହଲ୍‌ ଅଫ୍‌ ଫେମ୍‌-୨.୦’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଓଡ଼ିଶାର ଅଗ୍ରଣୀ ଡିଜିଟାଲ ନ୍ୟୁଜ ଚ୍ୟାନେଲ ‘ଓଡ଼ିଶାଲାଇଭ୍‌’ ଏହାର ମିଡିଆ ପାର୍ଟନର ରହିଥିଲା।

Tags: #StartUpOdisha #Entrepreneur #HallOfFame #TheIndusEntrepreneur #Odisha #Bhubaneswar

 

Comment