ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଏକ ଟ୍ରଲିରେ ବାନ୍ଧି ବୁହା ଯାଉଥିବାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ମହାପ୍ରଭୁ ବଳଭଦ୍ର, ଭଉଣୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଏବଂ ସୁଦର୍ଶନଙ୍କୁ ଟ୍ରଲିରେ ବନ୍ଧା ଯାଇ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ନିଆଯାଉଥିବା ନଜର ଆସିଛି, ଯାହାର ଭିଡିଓ ଭାଇରାଲ୍‌ ହୋଇଛି।

ମହାପ୍ରଭୁଙ୍କୁ ଟ୍ରଲିରେ ସିଂହଦ୍ୱାର ସମ୍ମୁଖରୁ ଦୋଳବେଦୀ କୋଣ ଯାଏଁ  ନିଆ ଯାଉଥିବାର ଦେଖିବାକୁ ମିଳିଛି। ଜିନିଷ ବୋହିବା ପରି ମହାପ୍ରଭୁଙ୍କ ପ୍ରତିମୂର୍ତ୍ତିକୁ ବୋହିନିଆଯିବାର ଦୃଶ୍ୟ ଦେଖିବାକୁ କଷ୍ଟଦାୟକ ଥିଲା। ଏଭଳି ଅଭାବନୀୟ ଦୃଶ୍ୟ ଦେଖି ଲୋକମାନେ ପ୍ରତିବାଦ ମଧ୍ୟ କରିଥିଲେ। ଟ୍ରଲି ଚାଳକ ଜଣ ଏହାକୁ ଖାତିର ନକରି ମହାପ୍ରଭୁଙ୍କ ଟ୍ରଲିରେ ବୋହି ନେଇଥିଲା। ଏସମ୍ପର୍କରେ ପଚାରିବାରୁ ଟ୍ରଲି ଚାଳକ ଜଣକ କହିଥିଲେ ଯେ, ବାଲି ସାହିରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନେଇ ଫେରୁଥିଲେ।

ଏଭଳି ଅଭାବନୀୟ ଘଟଣା ପୁରୀବାସୀ ଓ ଭକ୍ତଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଛି। କିଛି ମାସ ପୂର୍ବରୁ ବାଲେଶ୍ୱରରେ ମଧ୍ୟ ଏକ ପିକଅପ୍ ଭ୍ୟାନ୍‌ରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ଅତି ବେପରୁଆ ଭାବେ ବାନ୍ଧି ନେଉଥିବା ଘଟଣା ସାମ୍ନାକୁ ଆସିଥିଲା। ଏହା ସାରା ରାଜ୍ୟରେ ଏନେଇ ଆଲୋଡନ ସୃଷ୍ଟି ହୋଇଥିଲା। ଶେଷରେ ଏନେଇ ସମ୍ପୃକ୍ତ ଟେଣ୍ଟ ସଂସ୍ଥାର ମାଲିକ କ୍ଷମା ପ୍ରାର୍ଥନା କରିଥିଲେ।

Tags: #InsultofGod #LordJagannath #Puri #Odisha

Comment