ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଗଜପତି ଜିଲ୍ଲାସ୍ଥିତ ମହେନ୍ଦ୍ରଗିରି ପର୍ବତକୁ ରାଜ୍ୟର ଦ୍ୱିତୀୟ ଜୈବବିବିଧତା ଐତିହ୍ୟସ୍ଥଳୀ ମାନ୍ୟତା ମିଳିଛି । ଜୈବବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ଲାଗି ସେପ୍ଟେମ୍ବର ମାସରେ ରାଜ୍ୟ ଜୈବ ବିବିଧତା ବୋର୍ଡ ପକ୍ଷରୁ ଓଡ଼ିଶା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗକୁ ପ୍ରସ୍ତାବ ପଠାଯାଇଥିଲା । ଯାହାକୁ ବିଭାଗ ପକ୍ଷରୁ ଅନୁମୋଦିତ କରାଯାଇଛି। ଏହି ଅଞ୍ଚଳରେ ଥିବା ସଂରକ୍ଷିତ ଜଙ୍ଗଲ ଇଡୋନଗିରି ଓ ମହେନ୍ଦ୍ରଗିରିର ୪୨୫୦ ହେକ୍ଟର ଅଞ୍ଚଳକୁ ଜୈବ ବିବିଧତା ଐତିହ୍ୟସ୍ଥଳୀରେ ସାମିଲ କରାଯାଇଛି।

ମହେନ୍ଦ୍ରଗିରି ପର୍ବତ ଅଞ୍ଚଳରେ ପ୍ରାୟ ୩୮୮ପ୍ରଜାତିର ପ୍ରାଣୀ ଓ ୧୩୪୮ ପ୍ରଜାତିର ଉଦ୍ଭିଦ ଦେଖିବାକୁ ମିଳେ। ଏହି ମହେନ୍ଦ୍ରଗିରି ଅଞ୍ଚଳ ଦକ୍ଷିଣ ଓଡ଼ିଶାର ଜଳବାୟୁକୁ ନିୟନ୍ତ୍ରଣ କରିବାରେ ସହାୟକ ହୁଏ। ରାମାୟଣ ଓ ମହାଭାରତ ଯୁଗ ସହ ଜଡିତ ମହେନ୍ଦ୍ରଗିରି ପ୍ରକୃତିର ଅନନ୍ୟ ସୃଷ୍ଟି ବୋଲି କହିଛି ଜଙ୍ଗଲ ଓ ପରିବେଶ ବିଭାଗ।

ମହେନ୍ଦ୍ରଗିରିରେ ଏମିତି ୫ଟି ପ୍ରଜାତିର ଗଛ ରହିଛି, ଯାହା ବିଶ୍ୱର ଅନ୍ୟ କୌଣସି ସ୍ଥାନରେ ମିଳେ ନାହିଁ। ଐତିହାସିକ, ପୌରାଣିକ, ପ୍ରତ୍ନତାତ୍ୱିକ ତଥା ପରିବେଶର ଗୁରୁତ୍ୱ ବହନ କରୁଥିବା ମହେନ୍ଦ୍ରଗିରି ପର୍ବତମାଳା ଗଜପତି ଜିଲ୍ଲାର ରାୟଗଡ ବ୍ଲକରେ ରହିଛି।

ରାଜ୍ୟ ଜୈବ ବିବିଧତା ବୋର୍ଡର ନିୟାମବଳୀର ସମସ୍ତ ସର୍ତ୍ତକୁ ମହେନ୍ଦ୍ରଗିରି ପୂରଣ କରୁଥିବାରୁ ତାହାକୁ ଜୈବ ବବିଧତା ଐତିହ୍ୟସ୍ଥଳୀ ଭାବେ ଘୋଷଣା କରାଯାଇଛି। ଏହା ପୂର୍ବରୁ କନ୍ଧମାଳ ଜିଲ୍ଲାର ମଣ୍ଡାସାରୁକୁ ରାଜ୍ୟର ପ୍ରଥମ ଜୈବବିବିଧତା ଐତିହ୍ୟସ୍ଥଳୀ ମାନ୍ୟତା ଦିଆଯାଇଥିଲା।

Tags: #Mahendragiri #Biodiversitypark #Gajpati #Odisha

Comment