ଓଡ଼ିଶାଲାଇଭ୍ ବ୍ୟୁରୋ

ଫିଫା ବିଶ୍ଵକପ୍ ୨୦୨୨ରେ ରବିବାର ୪ଟି ମ୍ୟାଚ୍ ଖେଳାଯାଇଛି। ପ୍ରଥମ ମ୍ୟାଚରେ କୋଷ୍ଟାରିକା ୧-୦ ଗୋଲରେ ଜାପାନକୁ ପରାସ୍ତ କରିଛି। ଦ୍ଵିତୀୟ ମ୍ୟାଚରେ ମାରୋକ୍କୋ ୨-୦ ଗୋଲରେ ବେଲଜିୟମକୁ ପରାସ୍ତ କରିଛି। ସେହିପରି ତୃତୀୟ ମ୍ୟାଚଟିରେ କ୍ରୋଏସିଆ ୪-୧ ଗୋଲରେ କାନାଡାକୁ ପରାସ୍ତ କରିଛି। ସେହିପରି ଶେଷ ମ୍ୟାଚଟି ସ୍ପେନ ଓ ଜର୍ମାନୀ ମଧ୍ୟରେ ୧-୧ ଗୋଲରେ ଡ୍ର ରହିଛି।

ରବିବାର ଦିନ ୩ଟା ୩୦ ମିନିଟରେ ଗ୍ରୁପ୍–ଇ ରେ କୋଷ୍ଟାରିକା ଓ ଜାପାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ କୋଷ୍ଟାରିକା ୧-୦ ଗୋଲରେ ଜାପାନକୁ ପରାସ୍ତ କରିଛି। ସମ୍ପୂର୍ଣ୍ଣ ମ୍ୟାଚରେ ଜାପାନ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ମ୍ୟାଚ୍ ଜିତି ପରିନଥିଲା। ମ୍ୟାଚର ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିବା ପରେ ଶେଷରେ ୮୧ତମ ମିନିଟରେ କୋଷ୍ଟାରିକାର କୈସର ଫୁଲର ଏକମାତ୍ର ଗୋଲ ଦେଇ ନିଜ ଦଳକୁ ଜିତାଇଥିଲେ।

ଦ୍ୱିତୀୟ ମ୍ୟାଚ୍ ସନ୍ଧ୍ୟା ୬ଟା ୩୦ ମିନିଟରେ ଗ୍ରୁପ୍-ଏଫ ରେ ମାରୋକ୍କୋ ଓ ବେଲଜିୟମ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ମାରୋକ୍କୋ ୨-୦ ଗୋଲରେ ବେଲଜିୟମକୁ ପରାସ୍ତ କରିଛି। ବେଲଜିୟମ ଦଳ ତରକା ଖେଳାଳିରେ ଭରପୁର ଥିଲେ ହେଁ ମାରୋକ୍କୋ ଠାରୁ ପରାଜିତ ହୋଇଛି। ଉଭୟ ଦଳ ବହୁତ ଭଲ ଖେଳିଥିଲେ ମଧ୍ୟ ମାରୋକ୍କୋର ଖେଳାଳିମାନଙ୍କର ଚତୁର ପ୍ରଦର୍ଶନ ବେଲଜିୟମଠାରୁ ମ୍ୟାଚ ଛଡାଇ ନେଇଥିଲା। ଏହି ସଂଘର୍ଷପୂର୍ଣ ମ୍ୟାଚର ୭୩ତମ ମିନିଟରେ ମାରୋକ୍କୋର ଅବଦଲହାମିଦ ସାବିରି ଫ୍ରୀ-କିକରୁ ଏକ ଗୋଲ ଦେଇ ଦଳକୁ ଅଗ୍ରଣୀ କରିଥିଲେ। ଏହାପରେ ମ୍ୟାଚର ୯୦+୨ ମିନିଟର ଜାକାରିୟ ଅବୁଖ୍ଲାଲ ଆଉ ଏକ ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ।

ତୃତୀୟ ମ୍ୟାଚ୍ ଗ୍ରୁପ୍–ଏଫ ରେ କ୍ରୋଏସିଆ ଓ କାନାଡା ମଧ୍ୟରେ ରାତି ୯ଟା ୩୦ ମିନିଟରେ ଖେଳାଯାଇଥିଲା। ଏହି ମ୍ୟାଚରେ କ୍ରୋଏସିଆ ୪-୧ ଗୋଲରେ କାନାଡାକୁ ପରାସ୍ତ କରିଛି। କ୍ରୋଏସିଆ ପକ୍ଷରୁ ଅଣ୍ଡରେଜ କମାରିକ ୨ଟି ଗୋଲ ଦେଇଥିବା ବେଳେ, ମରକୋ ଲିଭାଜ ଓ ଲୋଭରୋ ମାଜେର ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ସେହିପରି କାନାଡା ପକ୍ଷରୁ ଅଲଫୋନ୍ସୋ ଡେଭିସ ଗୋଟିଏ ଗୋଲ ଦେଇଥିଲେ ମଧ୍ୟ ଏହା ମ୍ୟାଚ ଜିତାଇବାରେ ସାହାଜ୍ୟ କରିନଥିଲା।

ରବିବାର ଶେଷ ମ୍ୟାଚ୍ ଗ୍ରୁପ୍–ଇ ରେ ସ୍ପେନ ଓ ଜର୍ମାନୀ ମଧ୍ୟରେ ମଧ୍ୟରେ ରାତି ୯ଟା ୩୦ ମିନିଟରେ ଖେଳାଯାଇଥିଲା। ଏହି ମ୍ୟାଚଟି ୧-୧ ଗୋଲରେ ଡ୍ର ରହିଥିଲା। ମ୍ୟାଚରେ ଦ୍ଵିତୀୟାର୍ଦ୍ଧର ୬୨ତମ ମିନିଟରେ ସ୍ପେନ ପକ୍ଷରୁ  ଅଲଭାରୋ ମୋରଟା ପ୍ରଥମ ଗୋଲ ଦେଇଥିଲେ । ଏହାପରେ ୮୩ ତମ ମିନିଟରେ ଜର୍ମାନୀର ନିକୋଲାସ ଫୁଲକୃଗ୍ ଏକ ଗୋଲ ଦେଇ ମ୍ୟାଚ୍ ବରାବର କରିଦେଇଥିଲେ। ମ୍ୟାଚ ଡ୍ର ରହିବାରୁ ଉଭୟ ଦଳ ପଏଣ୍ଟ ଭାଗ କରିଥିଲେ।

ସୋମବାର ଫିଫା ବିଶ୍ଵକପରେ ୪ଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ଗ୍ରୁପ୍ –ଜି ରେ କାମେରୁନ ଓ ସର୍ବିଆ ମଧ୍ୟରେ ଦିନ ୩ଟା ୩୦ ମିନିଟରେ ଖେଳାଯିବ। ଏହାପରେ ଦ୍ଵିତୀୟ ମ୍ୟାଚ୍ ଗ୍ରୁପ୍-ଏଚ୍ ରେ ଦକ୍ଷିଣ କୋରିଆ ଓ ଘାନା  ମଧ୍ୟରେ ସନ୍ଧ୍ୟା ୬ଟା ୩୦ ମିନିଟରେ ଖେଳାଯିବ। ସେହିପରି ତୃତୀୟ ମ୍ୟାଚଟି ଗ୍ରୁପ୍– ଜି ରେ ବ୍ରାଜିଲ ଓ ସୁଇଜରଲ୍ୟାଣ୍ଡ ମଧ୍ୟରେ ରାତି ୯ଟା ୩୦ ମିନିଟରେ ଏବଂ ଚତୁର୍ଥ ମ୍ୟାଚ ଗ୍ରୁପ୍ – ଏଚ୍ ରେ ପର୍ତ୍ତୁଗାଲ ଓ ଉରୁଗୁଏ ମଧ୍ୟରେ ରାତି ୧୨ଟା ୩୦ ମିନିଟରେ ଖେଳାଯିବ।

Tags: #FIFAWorldCup2022 #Qatar #CostaRica #Morrocco #Croatia #Football #FIFA #OdishaLive #Sports

LEAVE A REPLY

Please enter your comment!
Please enter your name here