ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲାର ପନପୋଷ ସ୍ପୋର୍ଟସ ହଷ୍ଟେଲକୁ ଆଠ ବର୍ଷର ଅପେକ୍ଷା ପରେ ପୁଣିଥରେ ହକିରେ ସେଣ୍ଟର ଅଫ୍ ଏକ୍ସେଲେନ୍ସ(ସିଓଇ) ମାନ୍ୟତା ମିଳିଛି। କଳିଙ୍ଗ ଷ୍ଟାଡିୟମ ସ୍ଥିତ ଓଡ଼ିଶା ନଭଲ ଟାଟା ହକି ହାଇପର୍ଫର୍ମେନ୍ସ ସେଣ୍ଟରରେ ଖେଳାଳିଙ୍କ ସଂଖ୍ୟା କ୍ଷମତାଠାରୁ ବୃଦ୍ଧି ପାଇଥିବାରୁ ଏବେ ପନପୋଷ ସ୍ପୋର୍ଟସ ହଷ୍ଟେଲକୁ ଏହି ସିଓଇ ମାନ୍ୟତା ଦିଆଯାଇଛି।

୨୦୧୪ ମସିହାରେ ରାଜ୍ୟ ସରକାର ପନପୋଷ ସ୍ପୋର୍ଟସ ହଷ୍ଟେଲର ସେଣ୍ଟର ଅଫ୍ ଏକ୍ସେଲେନ୍ସ ମାନ୍ୟତା ପ୍ରତ୍ୟାହାର କରିନେଇଥିଲେ। ସେତେବେଳେ କଳିଙ୍ଗ ଷ୍ଟାଡିୟମରେ ନୂତନ ହକି ଏକାଡେମୀ ହେବା ଫଳରେ ପନପୋଷ ସ୍ପୋର୍ଟସ ହଷ୍ଟେଲର ସିଓଇ ମାନ୍ୟତା ପ୍ରତ୍ୟାହାର ହୋଇଥିଲା।

ଚଳିତ ବର୍ଷ ସେପ୍ଟେମ୍ବର ମାସରେ ୧୪ ଜଣ ସିନିୟର ପୁରୁଷ ଓ ୮ ଜଣ ମହିଳା ହକି ଖେଳାଳି  ଭୁବନେଶ୍ଵରରୁ ପନପୋଷ ସ୍ପୋର୍ଟସ ହଷ୍ଟେଲକୁ ଯାଇଛନ୍ତି। ଏବେ ପନପୋଷ ହଷ୍ଟେଲରେ ୫୨ ଜଣ ସିନିୟର ଓ ଜୁନିୟର ଖେଳାଳି ପ୍ରଶିକ୍ଷଣ ନେଉଛନ୍ତି। ଏବେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ।

୨୦୧୪ ମସିହାରେ ପନପୋଷ ସ୍ପୋର୍ଟସ ହଷ୍ଟେଲଠାରୁ ସେଣ୍ଟର ଅଫ୍ ଏକ୍ସେଲେନ୍ସର ମାନ୍ୟତା ପ୍ରତ୍ୟାହାରକୁ ସୁନ୍ଦରଗଡ଼ ଜିଲ୍ଲାର ହକିପ୍ରେମୀମାନେ ବିରୋଧ କରିଥିଲେ। ରାଜ୍ୟ ସରକାର ସେତେବେଳେ କଳିଙ୍ଗ ଷ୍ଟାଡିୟମରେ ହକି ପ୍ରଶିକ୍ଷଣ ପାଇଁ ଭଲ ସୁବିଧା ସୁଯୋଗର ପ୍ରତିଶ୍ରୁତି ଦେଇଥିଲେ। ଏବେ ପନପୋଷ ହଷ୍ଟେଲ ସିଓଇ ମାନ୍ୟତା ଫେରିପାଇବାକୁ ହକିପ୍ରେମୀମାନେ ସ୍ଵାଗତ କରିଛନ୍ତି। ମାତ୍ର ଆଠ ବର୍ଷ ସମୟ ମଧ୍ୟରେ ହକି ଖେଳାଳିଙ୍କ ପ୍ରଶିକ୍ଷଣରେ କିଛିଟା ବାଧା ସୃଷ୍ଟି ହୋଇଥିବା ସେମାନେ କହିଛନ୍ତି।

Tags: #PanposhSportshostel #CenterofExcellence #Hockey #Odisha

Comment