ଓଡ଼ିଶାଲାଇଭ୍ ବ୍ୟୁରୋ

ଯେଉଁମାନେ ସମାଜରେ ଭିନ୍ନକ୍ଷମ ସେମାନଙ୍କ ପାଖରେ ଥାଏ ଭିନ୍ନ ଏକ କ୍ଷମତାର ପରିଚୟ। ସେଥିପାଇଁ ସେମାନଙ୍କର ଆଉ ଏକ ନାମ ଦିବ୍ୟାଙ୍ଗ। ନିଶ୍ଚିତ ରୂପେ ଏମାନେ ଦିବ୍ୟ ଅଙ୍ଗରେ ଗଠିତ। କାରଣ ସମାଜରେ ଅଧିକାଂଶ ଦିବ୍ୟାଙ୍ଗ ବ୍ୟକ୍ତି ବହୁ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେମାନେ ନାଚ, ଗୀତ ଠାରୁ ଆରମ୍ଭ କରି ପ୍ରଶାସନିକ ଦାୟିତ୍ଵ ମଧ୍ୟ ତୁଲାଉଛନ୍ତି। ତେଣୁ ଭିନ୍ନକ୍ଷମ କହି ଏହି ବ୍ୟକ୍ତିମାନଙ୍କୁ ତୁଚ୍ଛ କରିଦେବା ଭୁଲ ବୋଲି ସାରା ଦୁନିଆକୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୩ ତାରିଖରେ ପାଳନ ହେଉଛି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ।

ସାମାଜିକ, ରାଜନୈତିକ, ସାଂସ୍କୃତିକ ଏବଂ ଆର୍ଥିକ କ୍ଷେତ୍ରରେ ଭିନ୍ନକ୍ଷମଙ୍କ ସ୍ଥିତି ସମ୍ପର୍କରେ ଏହି ଦିବସ ସଚେତନତା ସୃଷ୍ଟି କରେ। ପ୍ରତିବର୍ଷ ଏହି ଦିବସ ପାଳନ ପାଇଁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଓ ଜାତିସଙ୍ଘ ମିଳିତ ଭାବେ କାମ କରିଥାନ୍ତି। କିଭଳି ଭିନ୍ନକ୍ଷମ ବ୍ୟକ୍ତିମାନେ ସମାଜରେ ଅନ୍ୟମାନଙ୍କ ପରି ସେମାନଙ୍କ ଅଧିକାରଗୁଡ଼ିକୁ ପାଇପାରିବେ ତା ଉପରେ ଗୁରୁତ୍ଵ ଦିଆଯାଏ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପ୍ରତିବର୍ଷ ଏହି ଦିବସର ବିଷୟ ବା ଥିମ ରଖିଥାଏ । ଚଳିତ ବର୍ଷର ବିଷୟ ହେଉଛି, “Transformative solutions for inclusive development: the role of innovation in fueling an accessible and equitable world”.

ତଥ୍ୟ ଅନୁଯାୟୀ ବର୍ତ୍ତମାନ ବିଶ୍ଵର ଜନସଂଖ୍ୟା ପ୍ରାୟ ୭୦୦ କୋଟି । ଏଥିମଧ୍ୟରୁ ପ୍ରାୟ ୧୦୦ କୋଟି ବା ୧୫ ପ୍ରତିଶତ ଲୋକ ବିଭିନ୍ନ ପ୍ରକାର ଅକ୍ଷମତାର ପୀଡିତ ଅଛନ୍ତି । ଏମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ବ୍ୟକ୍ତି ବିକାଶଶୀଳ ଦେଶଗୁଡ଼ିକରେ ବାସ କରନ୍ତି ।

ଏହା ଦୁର୍ଭାଗ୍ୟଜନକ ଯେ, ଆଜି ବି ଆମ ସମାଜରରେ ଭିନ୍ନକ୍ଷମଙ୍କ ପ୍ରତି ଭେଦଭାବ କରନ୍ତି କିନ୍ତୁ ସେମାନେ ଯେ ଆମ ସମାଜର ଏକ ଅଂଶ ଏବଂ ସେମାନଙ୍କୁ ସମ୍ମାନ ଦେବା ଉଚିତ୍ ବୋଲି କେତେକ ଭୁଲି ଯାଆନ୍ତି। ପୃଥିବୀର ବିଭିନ୍ନ ସ୍ଥାନରୁ ଭିନ୍ନକ୍ଷମମାନଙ୍କର ଅନେକ ଉଦାହରଣ ଅଛି, ଯେଉଁମାନେ ସେମାନଙ୍କର କଠିନ ପରିଶ୍ରମ ଏବଂ ପ୍ରତିଭା ହେତୁ ନିଜ ଜୀବନରେ ଅନେକ ମାନ୍ୟତା ହାସଲ କରିଛନ୍ତି। ଭିନ୍ନକ୍ଷମ ବ୍ୟକ୍ତିମାନେ ପ୍ରାରମ୍ଭିକ ସମୟରେ ଅନ୍ୟର ସାହାଯ୍ୟ ନେଇ ନିଜର ଦୈନନ୍ଦିନ କାର୍ଯ୍ୟ କରିଥାନ୍ତି, କିନ୍ତୁ ଧୀରେ ଧୀରେ, ସେମାନେ ନିଜ କାମ ନିଜେ କରିବା ଶିଖିଯାଇଥାନ୍ତି। ସେମାନଙ୍କୁ ଅନ୍ୟମାନଙ୍କ ଉପରେ ନିର୍ଭର ହେବାକୁ ପଡେନାହିଁ।

ତେବେ ଅକ୍ଷମତା କଣ ଆସନ୍ତୁ ଜାଣିବା:-

ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (CDC) ଅନୁଯାୟୀ, ଅକ୍ଷମତା ଶରୀର କିମ୍ବା ମନର ଯେକୌଣସି ଅବସ୍ଥା ବା ଦୁର୍ବଳତା। ଯାହାକି କୌଣସି ଏକ ବ୍ୟକ୍ତିକୁ କିଛି କାର୍ଯ୍ୟକଳାପ କରିବା କିମ୍ବା ଅନ୍ୟମାନଙ୍କ ସହ ଯୋଗାଯୋଗ କରିବାରେ ବାଧକ ସୃଷ୍ଟି କରିଥାଏ।

ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ଅକ୍ଷମତାର ତିନୋଟି ଆକାର ଅଛି:

୧. ବ୍ୟକ୍ତିର ଶରୀର ଗଠନ କିମ୍ବା କାର୍ଯ୍ୟରେ, କିମ୍ବା ମାନସିକ କାର୍ଯ୍ୟରେ ଦୁର୍ବଳତା। ଦୁର୍ବଳତାର ଉଦାହରଣ ମଧ୍ୟରେ ଗୋଟିଏ ଅଙ୍ଗ ନଷ୍ଟ ହେବା, ଦୃଷ୍ଟି ଶକ୍ତି ହରାଇବା କିମ୍ବା ସ୍ମୃତି ଶକ୍ତି ହ୍ରାସ।

୨. କାର୍ଯ୍ୟକଳାପ ସୀମିତତା। ଯେପରିକି ଦେଖିବା, ଶୁଣିବା, ଚାଲିବା କିମ୍ବା ସମସ୍ୟା ସମାଧାନ କରିବାରେ ଅସୁବିଧା।

୩. ସାଧାରଣ ଦୈନନ୍ଦିନ କାର୍ଯ୍ୟକଳାପରେ ଅଂଶଗ୍ରହଣ ପ୍ରତିବନ୍ଧକ, ଯେପରିକି କାର୍ଯ୍ୟ କରିବା, ସାମାଜିକ ଏବଂ ମନୋରଞ୍ଜନ କାର୍ଯ୍ୟରେ ନିୟୋଜିତ ହେବା ଏବଂ ନିଜର ଯତ୍ନ ନେବାରେ ବାଧା ସୃଷ୍ଟି ହେବା। ତେବେ ଏସବୁ ଗୋଟିଏ ଗୋଟିଏ ରୋଗ କହିଲେ ଭୁଲ୍ ହେବ ନାହିଁ, ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ରହିଛି। ତେଣୁ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଅବହେଳିତ ନ କରି ସେମାନଙ୍କୁ ମଧ୍ୟ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପ୍ରତିଟି ନାଗରିକଙ୍କ କର୍ତ୍ତବ୍ୟ ।

Tags: #InternationalDayofDisability #3rdDecember #WorldHealthOrganisation #Struggle #Odisha #Bhubaneswar

Comment