ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ନୌସେନା ପ୍ରଥମ କରି ଅଗ୍ନିବୀର ଯୋଜନାରେ ମହିଳା ନାବିକଙ୍କୁ ସାମିଲ କରିଛି। ନୌସେନା ମୁଖ୍ୟ ଆଡ୍‌ମିରାଲ ଆର୍‌. ହରି କୁମାର ଶନିବାର ଏ ନେଇ ସୂଚନା ଦେଇଛନ୍ତି। ଅଗ୍ନିବୀର ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୩ ହଜାର ଜଣଙ୍କୁ ନୌସେନାରେ ଭର୍ତ୍ତି କରାଯାଇଛି। ଏଥିରେ ୩୪୧ ଜଣ ମହିଳା ଅଛନ୍ତି।

ଭାରତୀୟ ନୌସେନାରେ ଥିବା ପଦବୀଗୁଡ଼ିକ ପାଇଁ ୧୦ ଲକ୍ଷ ଆବଦେନକାରୀଙ୍କ ମଧ୍ୟରେ ୮୨ ହଜାର ମହିଳା ଥିଲେ। ଆସନ୍ତା ବର୍ଷରୁ ମହିଳା ଅଧିକାରୀଙ୍କ ପାଇଁ ସମସ୍ତ ଶାଖା ଖୋଲାଯିବ ବୋଲି ସେ କହିଛନ୍ତି। ସଶସ୍ତ୍ର ବଳରେ ମହିଳାଙ୍କ ଭାଗୀଦାରି ବଢ଼ାଇବା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ସେ ପ୍ରକାଶ କରିଛନ୍ତି।

ନୌସେନା ମୁଖ୍ୟ ଆହୁରି କହିଛନ୍ତି, ଦେଶର ସୁରକ୍ଷା ପାଇଁ ଆତ୍ମନିର୍ଭର ହେବା କେତେ ଜରୁରୀ ତାହା ୟୁକ୍ରେନ୍‌ ଯୁଦ୍ଧରୁ ଶିକ୍ଷା ମିଳିଛି। ୨୦୪୭ ସୁଦ୍ଧା ଭାରତୀୟ ନୌସେନା ପୂର୍ଣ୍ଣ ଭାବେ ଆତ୍ମନିର୍ଭର ହୋଇସାରିଥିବ ବୋଲି ସେ ଦାବି କରିଛନ୍ତି। ଆଇଏନ୍‌ଏସ୍‌ ବିକ୍ରାନ୍ତ ନୌସେନାରେ ସାମିଲ ହେବାକୁ ସେ ଐତିହାସିକ କହିଛନ୍ତି। ବହୁତ କମ୍‌ ଦେଶ ଅଛନ୍ତି, ଯାହା ପାଖରେ ବିମାନବାହୀ ଯୁଦ୍ଧଜାହାଜ ନିର୍ମାଣ କ୍ଷମତା ରହିଛି। ଭାରତ ଏବେ ସେହି ଦେଶତାଲିକାରେ ସାମିଲ ହୋଇସାରିଛି।

ସେହିପରି ଭାରତ ମହାସାଗରରେ ଚୀନ୍‌ ଜାହାଜ ମୁତୟନ ଉପରେ ଭାରତ କଡ଼ା ନଜର ରଖିଛି ବୋଲି ସେ କହିଛନ୍ତି। ଭାରତ ମହାସାଗର ଏକ ଗୁରୁତ୍ୱପୂର୍ଣ୍ଣ ରଣନୀତିକ କ୍ଷେତ୍ର। ଏହା ମଧ୍ୟ ଦେଇ ବଡ଼ମାତ୍ରାରେ ବେପାର ବାଣିଜ୍ୟ ମଧ୍ୟ ହୋଇଥାଏ। ତେଣୁ ଭାରତ ମହାସାଗରରେ ଭାରତର ସ୍ୱାର୍ଥ ଯେପରି ସୁରକ୍ଷିତ ରୁହେ ତାହା ଉପରେ ସବୁବେଳେ ନଜର ରହିଥିବା ନୌସେନା ମୁଖ୍ୟ ପ୍ରକାଶ କରିଛନ୍ତି।

ଚୀନ୍‌ ଉପରେ ନଜର ରଖିବା ପାଇଁ ଭାରତ ଆମେରିକା ଠାରୁ ପ୍ରିଡେଟର ଡ୍ରୋନ୍‌ କିଣିବା ନିମନ୍ତେ ପ୍ରସ୍ତୁତ ହେଉଛି। ୩ ବିଲିୟନ ଆମେରିକୀୟ ଡଲାରରେ ଭାରତ ୩୦ ଏମ୍‌କ୍ୟୁ-୯ବି ଡ୍ରୋନ୍‌ କିଣିବାକୁ ଚିନ୍ତା କରୁଥିବା ସେ ସୂଚନା ଦେଇଛନ୍ତି। ଏହି ଡ୍ରୋନ୍‌ ଜରିଆରେ ହେଲ୍‌ଫାୟାର ମିଶାଇଲ ମଧ୍ୟ ଛଡ଼ାଯାଇପାରିବ। ଅଲକାଏଦା ଆତଙ୍କବାଦୀ ଅଲ୍‌ଜୱାହିରିକୁ ଏହି ଡ୍ରୋନ୍‌ ଦ୍ୱାରା ହତ୍ୟା କରାଯାଇଥିଲା।

Tags: #IndianNavy #WomenSailer #Agniveer #India #RHariKumar

Comment