ଓଡ଼ିଶାଲାଇଭ୍ ବ୍ୟୁରୋ

ଉନ୍ମୋଚିତ ହେଲା ଓଡ଼ିଶା ପର୍ଯ୍ୟଟନ ନୀତି-୨୦୨୨। ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣରେ ପର୍ଯ୍ୟଟନ ଶିଳ୍ପ ଉପରେ ଆୟୋଜିତ ଅଧିବେଶନରେ ‘ଓଡ଼ିଶା ପର୍ଯ୍ୟଟନ ନୀତି-୨୦୨୨’ ଉନ୍ମୋଚିତ ହୋଇଛି। ରାଜ୍ୟର ପର୍ଯ୍ୟଟନ ବିକାଶ ଏବଂ ଇକୋଟୁରିଜିମ କ୍ଷେତ୍ରର ବିକାଶ ପାଇଁ ‘ଓଡ଼ିଶା ଟୁରିଜିମ ରୋଡମ୍ୟାପ-୨୦୨୩’ ଏବଂ ‘ଇକୋଟୁରିଜିମ ରୋଡମ୍ୟାପ-୨୦୨୩’କୁ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ଵନୀ ପାତ୍ର ଉନ୍ମୋଚନ କରିଛନ୍ତି।

ଏହି କ୍ଷେତ୍ରରେ ପ୍ରାୟ ୮୫ ନିବେଶକ ୭,୮୦୦ କୋଟିରୁ ଊର୍ଦ୍ଧ୍ଵ ନିବେଶ ପାଇଁ ପ୍ରତିଶ୍ରତି ଦେଇଥିବା ପର୍ଯ୍ୟଟନ ମନ୍ତ୍ରୀ ଘୋଷଣା କରିଛନ୍ତି। ପର୍ଯ୍ୟଟନର ବିକାଶ ପାଇଁ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସର୍ବାଧିକ ପ୍ରୋତ୍ସାହନ ଦିଆଯାଉଛି ବୋଲି  ବିଭାଗୀୟ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର କହିଛନ୍ତି।

ନୂତନ ପର୍ଯ୍ୟଟନ ନୀତିରେ ସ୍ଵାସ୍ଥ୍ୟ ଇକୋଟୁରିଜିମ, ଗ୍ରାମୀଣ ଓ କ୍ରୀଡ଼ା ପର୍ଯ୍ୟଟନକୁ ଗୁରୁତ୍ଵ ଦିଆଯାଇଛି। କାରାଭାନ, କ୍ୟାମ୍ପିଂ, ଡାକ୍ତର ପର୍ଯ୍ୟଟନ, ନଲେଜ ପର୍ଯ୍ୟଟନ, ହାଉସବୋଟ ଏବଂ କ୍ରୁଜ ଆଦିକୁ ଏହି ନୀତିରେ ସ୍ଥାନ ଦିଆଯାଇଛି। ଅଧିବେଶନରେ ପର୍ଯ୍ୟଟନ ଏବଂ ଆତିଥେୟତା ଶିଳ୍ପ ବିଶେଷଜ୍ଞମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରଥମ ଅଧିବେଶନରେ ‘ଆବାସ ଏବଂ ପର୍ଯ୍ୟଟନ ଭିତ୍ତିଭୂମିର ବୃଦ୍ଧି ଉପରେ ଆଉଟଲୁକ ଟ୍ରାଭେଲର ସମ୍ପାଦକ ଅନିନ୍ଦିତା ଗୋସ୍ଵାମୀଙ୍କ ଦ୍ଵାରା ପରିଚାଳିତ ହୋଇଥିଲା। ଏଥିରେ ଭାରତ ଏବଂ ଦକ୍ଷିଣ ଏସିଆ ଏସିସିଓଆର ଗ୍ରୁପର ନିର୍ଦ୍ଦେଶକ ରୋହିତ ଚୋପ୍ରା, ଓ୍ଵଣ୍ଡର୍ଲା ହଲିଡେଜ ଲିମିଯେଡର ପରିଚାଳନା ସହ ଅଧ୍ୟକ୍ଷ ଜେ କେ ମହାନ୍ତି, କଣ୍ଡ୍ରି ହେଡ ଇଣ୍ଡିଆ ସବ୍ କଣ୍ଟିନେଣ୍ଟ ଆଣ୍ଡ ଇଣ୍ଡୋନେସିଆ ବୁକିଂ ଡଟ କମର ସନ୍ତୋଷ କୁମାର ଏବଂ ଆଟମୋସ୍ପିୟର ହୋଟେଲ୍ସ ଆଣ୍ଡ ରିସର୍ଟସର ସୌଭାଗ୍ୟ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ଓଡ଼ିଶାର ପ୍ରାକୃତିକ ଏବଂ ବନ୍ୟପ୍ରାଣୀ ପର୍ଯ୍ୟଟନ ସମ୍ଭାବନାକୁ ଅନଲକ୍ କରିବା ଉପରେ ଦ୍ଵିତୀୟ ଅଧିବେଶନରେ ଆଲୋଚନା ହୋଇଥିଲା। ପ୍ରଫେସର ଯୋଗେଶ ଦୁବେଙ୍କ ଅଧ୍ୟକ୍ଷତାରେ ଜଙ୍ଗଲ ଟ୍ରାଭେଲ ଇଣ୍ଡିଆର ନିର୍ଦ୍ଦେଶକ ଜାହ୍ନବୀ ଫୋକନ, ଇକୋସ ଆଣ୍ଡ ସିଓଓ-ମେଡେଭିରର ରେଜିନୋ ଲେପଚା, ଭିପି ଅପରେସନ୍ସ କ୍ୟାସିନୋ ଗ୍ରୁପ ଅଫ ହୋଟେଲ୍ସର ଜର୍ଜ ଯୋଶେଫ, କର୍ଣ୍ଣାଟକ ସରକାରଙ୍କ ଜଙ୍ଗଲ ଲଜ ଏବଂ ରିସର୍ଟର ଏଜିଏମ ଅନିକେତନ ସି, ଦ ବ୍ଲ୍ୟୁ ଏଣ୍ଡରର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଗୋପୀନାଥ ପାରାଏଲ ଏବଂ ଇଇଏମଏର ସଭାପତି ସମିତ ଗର୍ଗ ଯୋଗଦେଇୂ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ ତଥା ଆତିଥେୟତା କ୍ଷେତ୍ରର ବିକାଶ ଉପରେ ଓଟିଡିସି ଚେୟାରମ୍ୟାନ ଲେନିନ ମହାନ୍ତି ଏବଂ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ଦ୍ଵାରା ନିଆଯାଇଥିବା ସକ୍ରିୟ ରଣନୀତି ଉପରେ ବିସ୍ତୃତ ଉପସ୍ଥାପନା କରିଥିଲେ।

Tags: #MakeInOdishaConclave2022 #InvestOdisha #TourismSector #Odisha #Proposal #AswiniKumarPatra

Comment