ଓଡ଼ିଶାଲାଇଭ୍ ବ୍ୟୁରୋ

ଏସିଆର ଦୀର୍ଘତମ ସାଇକ୍ଲିଂ ଅଭିଯାନ ‘ଟୁର୍-ଡି-କଳିଙ୍ଗ’ର ଚତୁର୍ଥ ସଂସ୍କରଣ ଡିସେମ୍ବର ୧୧ ତାରିଖରୁ ରାଜଧାନୀ ଭୁବନେଶ୍ଵରରୁ ଆରମ୍ଭ ହେବ। ଏହି ୧୩୦୦ କିଲୋମିଟର ସାଇକଲେ ଯାତ୍ରାରେ ଓଡ଼ିଶାର ୧୦ଟି ଜିଲ୍ଲାକୁ ୧୩ ଦିନ ମଧ୍ୟରେ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅଭିଯାନ ସମୟରେ ବିଭିନ୍ନ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଏବଂ ଗ୍ରାମରେ ପ୍ରଦୂଷଣ, ଗ୍ଲୋବାଲ ୱାର୍ମିଂ ଏବଂ ଡ୍ରଗ୍‌ସ ଭଳି ପ୍ରସଙ୍ଗ ଉପରେ ଜନସାଧାରଣଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ‘ରୁଟ୍‌ସ ଅଫ୍‌ ଓଡ଼ିଶା ଫାଊଣ୍ଡେସନ’(ରୁଫ୍) ପକ୍ଷରୁ ଏହି ସାଇକ୍ଲିଂ ଅଭିଯାନ ଆୟୋଜନ କରାଯାଉଛି।

୧୧ ତାରିଖରେ ଏହି ଅଭିଯାନକୁ ଓଡ଼ିଶାର କ୍ରୀଡ଼ା ଏବଂ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତୀ ବେହେରା କଳିଙ୍ଗ ଷ୍ଟାଡିୟମରେ ଉଦଘାଟନ କରିବେ। କିଛିଦିନ ପୂର୍ବରୁ ରୁଫ୍ ଫାଉଣ୍ଡେସନର ଅଧ୍ୟକ୍ଷ ସୁଧୀର ଦାଶଙ୍କ ଉପସ୍ଥିତିରେ ‘ଟୁର୍-ଡି-କଳିଙ୍ଗ’ର ବୁକ୍‌ଲେଟ୍‌କୁ କ୍ରୀଡ଼ା ମନ୍ତ୍ରୀ ଉନ୍ମୋଚନ କରିଥିଲେ।

ଏହି ସାଇକେଲ ଯାତ୍ରା ଭୁବନେଶ୍ଵରରୁ କୋରାପୁଟ ଅଭିମୁଖେ ଯାତ୍ରା କରିବ। ପ୍ରଥମ ଦିନରେ ସାଇକେଲ ଆରୋହୀମାନେ ପିପିଲି, କୋଣାର୍କ ଏବଂ ରଘୁରାଜପୁର ଦେଇ ପୁରୀରେ ପହଁଞ୍ଚିବେ। ଦ୍ଵିତୀୟ ଦିନରେ ସେମାନେ ଚିଲିକା ଦେଇ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିବେ ଏବଂ ଶେଷ ଦିନରେ ନୟାଗଡ଼, ଖୋର୍ଦ୍ଧା ଦେଇ ପୁନର୍ବାର ଭୁବନେଶ୍ଵର ଫେରି ଆସିବ।

ଲୋକମାନଙ୍କୁ ଓଡ଼ିଶାର ମୂଳ ଇତିହାସ ସହିତ ସଂଯୋଗ କରିବା ଓ ଓଡ଼ିଶାର ପରମ୍ପରା ଏବଂ ଚିନ୍ତାଧାରାକୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟରେ ‘ରୁଟ୍‌ସ ଅଫ୍‌ ଓଡ଼ିଶା ଫାଊଣ୍ଡେସନ’ ପକ୍ଷରୁ ୨୦୧୫ ମସିହାରୁ ଏହି ସାଇକ୍ଲିଂ ଅଭିଯାନ ଆୟୋଜନ କରିଆସୁଛି।

Tags: #Tour-de-kalinga #Cyclingtour #December11 #Bhubaneswar #Odisha

Comment