ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ହୋଇଛନ୍ତି ଦେଶର ସବୁଠାରୁ କ୍ଷମତାଶାଳୀ ମହିଳା। ଫୋର୍ବସ୍ ପକ୍ଷରୁ ପ୍ରକାଶିତ ବିଶ୍ଵର ୧୦୦ ଶକ୍ତିଶାଳୀ ମହିଳା ୨୦୨୨ ତାଲିକାରେ ନିର୍ମଳା ସୀତାରମଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ନିର୍ମଳା କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ସେ ତାଲିକାର ୩୬ତମ ସ୍ଥାନରେ ରହିଛନ୍ତି। ତାଙ୍କ ସହିତ ଅନ୍ୟ ୫ ଜଣ ଭାରତୀୟ ମହିଳାଙ୍କୁ ତାଲିକାରେ ସ୍ଥାନ ମିଳିଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବ୍ୟତୀତ ବାୟୋକନ୍‌ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ କିରଣ ମଜୁମଦାର, ନାଏକାର ପ୍ରତିଷ୍ଠାତା ଫାଲଗୁନି ନାୟର, ଏଚ୍‌ସିଏଲ୍‌ ଟେକ୍‌ର ଅଧ୍ୟକ୍ଷା ରୋଶନୀ ନାଦର ମଲହୋତ୍ରା, ସିକ୍ୟୁରିଟି ଓ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍ ଏବଂ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷା ସୋମା ମଣ୍ଡଳ ସ୍ଥାନ ପାଇଛନ୍ତି।

ଫୋର୍ବସ ତାଲିକାରେ ରୋଶନୀ ନାଦର ମଲହୋତ୍ରା ୫୩ତମ ସ୍ଥାନରେ, ମାଧବୀ ପୁରୀ ବୁଚ୍ ୫୪ତମ ସ୍ଥାନରେ, ସୋମା ମଣ୍ଡଳ ୬୭ତମ ସ୍ଥାନରେ, କିରଣ ମଜୁମଦାର ୭୭ତମ ସ୍ଥାନରେ ଏବଂ ଫାଲଗୁନି ନାୟର ୮୯ତମ ସ୍ଥାନରେ ରହିଛନ୍ତି।

ଏହି ଶକ୍ତିଶାଳୀ ମହିଳାଙ୍କ ମଧ୍ୟରୁ ୩୯ ଜଣ ସିଇଓ, ୧୦ ଜଣ ରାଜ୍ୟ ମୁଖ୍ୟ ଏବଂ ୧୧ ଜଣ ଅରବପତି ରହିଛନ୍ତି ଯେଉଁମାନଙ୍କର ମୋଟ ସମ୍ପତ୍ତି ୧୧୫ ବିଲିୟନ ଡଲାର ରହିଛି।

Tags: #NirmalaSitaraman #MostPowerfulLady #India #Forbes #100PowerfullLady

Comment