ଓଡ଼ିଶାଲାଇଭ୍ ବ୍ୟୁରୋ

ପେନସିଲ୍ ବା ରଙ୍ଗତୂଳୀରେ ଚିତ୍ର ଆଙ୍କିବା କଥା ତ ସମସ୍ତେ ଶୁଣିଥିବେ। କିନ୍ତୁ ଔଷଧ ବଟିକାରେ ଚିତ୍ର ଆଙ୍କିବା କଥା ଶୁଣିଲେ ଟିକେ ଅଜବ ଲାଗିବ ନିଶ୍ଚୟ। ଏକ୍ସପାରୀ ହୋଇଯାଇଥିବା ଔଷଧକୁ ଏକାଠି କରି ତିଆରି ହୋଇଛି ଏକ ସୁନ୍ଦର କଳାକୃତି। ନିକଟରେ ରିଲିଜ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’କୁ ନେଇ ରାଜ୍ୟ ତଥା ରାଜ୍ୟ ବାହାରେ ଖୁବ ଚର୍ଚ୍ଚା ହେଉଛି। ଏହି କ୍ରମରେ ଦର୍ଶକଙ୍କ ମନ ଛୁଇଁଥିବା ଦମନ ଚଳଚ୍ଚିତ୍ର, ଏହାର କାହାଣୀ ଏବଂ ଅଭିନେତାଙ୍କୁ ସମ୍ମାନ ଜଣାଇଛନ୍ତି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍‌ ଧୂଆମଡ଼ା ଗାଁର ଯୁବ ଚିତ୍ରଶିଳ୍ପୀ ରାଜେଶ କୁମାର ମହାରଣା।

ସେ ବିଭିନ୍ନ ସ୍ଥାନରୁ ୪ହଜାରରୁ ଊର୍ଦ୍ଧ୍ଵ ତାରିଖ ଚାଲିଯାଇଥିବା ବା ବ୍ୟବହାର ଅନୁପଯୋଗୀ ଔଷଧକୁ ସଂଗ୍ରହ କରିଥିଲେ। ଏହାପରେ ଔଷଧ ବଟିକାକୁ ଯୋଡ଼ି ‘ଦମନ’ ହିରୋ ବାବୁସାନ୍‍ଙ୍କର ଭିନ୍ନ ଭିନ୍ନ ପୋଷ୍ଟର ଆର୍ଟ କରିଛନ୍ତି। ବଟିକା ସବୁକୁ ଗୋଟିଗୋଟି କରି ଯୋଡ଼ି ସେ ଏଭଳି ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ଏହି ଔଷଧ ବଟିକାକୁ କାଟିବା ଓ ଖୋଳରୁ ବାହାର କରିବା ପାଇଁ ରାଜେଶଙ୍କୁ ୮ରୁ ୧୦ଦିନ ସମୟ ଲାଗିଥିଲା। ଛୋଟ ଔଷଧ ବଟିକା ଓ ଏହାର ଖୋଳକୁ ସଜାଇ ୧୦/୬ଫୁଟ୍‍ର କଳାକୃତି ପ୍ରସ୍ତୁତ କରିବା ପାଇଁ ତାଙ୍କୁ ୧୮ଘଣ୍ଟା ସମୟ ଲାଗିଥିଲା।

ବଟିକା ସାହାଯ୍ୟରେ ଦମନ ଚଳଚ୍ଚିତ୍ରର ପୋଷ୍ଟର ତିଆରି କରି ରାଜେଶ କହିଛନ୍ତି, “ବିଭିନ୍ନ ସମୟରେ ଅନେକ କଥାବସ୍ତୁକୁ ନେଇ କଳାକୃତି କରିଥାଏ। ହେଲେ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ପ୍ରତ୍ୟେକଟି ଓଡ଼ିଆଙ୍କୁ ଆନ୍ଦୋଳିତ କରିଛି। ଏହାସହିତ ଚଳଚ୍ଚିତ୍ରରେ ବାବୁସାନ୍‍ଙ୍କ ଅଭିନୟ ଅତି ଉଚ୍ଚକୋଟୀର ଥିଲା। ଯେହେତୁ ଉପାନ୍ତ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଉପରେ ଚଳଚ୍ଚିତ୍ରଟି ଆଧାରିତ, ତେଣୁ ଔଷଧ ବଟିକା ମାଧ୍ୟମରେ ଏକ ଭିନ୍ନ ବାର୍ତ୍ତା ଦେବା ପାଇଁ ଚେଷ୍ଟା କରିଛି।”

ଏହି କଳାକୃତି ପ୍ରସ୍ତୁତ କରିବାରେ ରାଜେଶଙ୍କୁ ପଦ୍ମିନୀ ସାହୁ ଓ ଶ୍ରୀତମ ସାହୁ ସହଯୋଗ କରିଥିଲେ। ଓଡ଼ିଆ ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କର ଏହି କଳାକୃତି ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବେଶ୍‍ ପ୍ରଶଂସା ସାଉଁଟୁଛି। ପୂର୍ବରୁ ରାଜେଶ ଚା’, ମ୍ୟାଗୀ, ଲୁଣ, ବିସ୍କୁଟ୍‍, ପେଷ୍ଟ୍‍ ଆଦି ୪୦ରୁ ଊର୍ଦ୍ଧ୍ଵ ସାମଗ୍ରୀରେ ବିଭିନ୍ନ ପ୍ରୋଟ୍ରେଟ୍‍ ଓ ପୋଷ୍ଟର ପ୍ରସ୍ତୁତ କରିଛନ୍ତି।

Tags: #DamanMovie #TabletPoster #ExpireTablet #RajeshKumarMoharana #Nayagarh #Artist #Odisha #ViralVideo

Comment