ଓଡ଼ିଶାଲାଇଭ୍ ବ୍ୟୁରୋ

ବେଗୁନିଆ ତହସିଲଦାର ତଥା ଭାରପ୍ରାପ୍ତ ଉପନିବନ୍ଧକ ପୃଥ୍ଵୀରାଜ ମଣ୍ଡଳ ଜମିର କିସମ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ଵର ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି।

ବେଗୁନିଆର ଏକ ଚାଷ ଜମିକୁ ଘରବାଡ଼ିରେ କିସମ ପରିବର୍ତ୍ତନ କରିବାକୁ ଜଣେ ବ୍ୟକ୍ତି ଆବେଦନ କରିଥିଲେ। ଏନେଇ ତହସିଲଦାର ତଥା ଉପନିବନ୍ଧକ ପୃଥ୍ଵୀରାଜ ମଣ୍ଡଳ ତାଙ୍କୁ ୪୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତିଜଣକ ଭିଜିଲାନ୍ସ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ଭିଜିଲାନ୍ସ ଡିସେମ୍ବର ୯ତାରିଖରେ ଏକ ମାମଲା ରୁଜୁ କରି ତାଙ୍କୁ ଧରିବା ପାଇଁ ଯୋଜନା କରିଥିଲା। ବୁଧବାର ଅପରାହ୍ନରେ ଭୁବନେଶ୍ଵର କଳିଙ୍ଗବିହାରଠାରେ ଥିବା ପୃଥ୍ଵୀରାଜ ମଣ୍ଡଳଙ୍କ ବାସଭବନ ସମ୍ମୁଖରେ ଉକ୍ତ ବ୍ୟକ୍ତିଜଣକ ୪୫ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ଟିମ ଧରିଥିଲା। ରଙ୍ଗବୋଳା ନୋଟ୍ ଓ ହାତରେ ରସାୟନିକ ପରୀକ୍ଷା କରାଯାଇ ଲାଞ୍ଚ ନେବା ଟଙ୍କା ଜବତ କରାଯାଇଥିଲା।

ଏହାପରେ ଭିଜିଲାନ୍ସର ୪ଜଣିଆ ଟିମ୍ ବେଗୁନିଆ ତହସିଲ ଏବଂ ଉପନିବନ୍ଧକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଏହାପରେ ଭିଜିଲାନ୍ସ ଟିମ୍ ପୃଥ୍ଵୀରାଜ ମଣ୍ଡଳକୁ ସାଥୀରେ ନେଇ ଭୁବନେଶ୍ଵର କାର୍ଯ୍ୟାଳୟ ଚାଲିଯାଇଥିଲେ।

ପୃଥ୍ଵୀରାଜ ମଣ୍ଡଳଙ୍କ ନାମରେ ପୂର୍ବରୁ ଜମିଜମା ପଞ୍ଜୀକରଣ, କିସମ ପରିବର୍ତ୍ତନ ଆଦିରେ ଦୁର୍ନୀତି କରାଯାଉଥିବା ନେଇ ଏକାଧିକ ଥର ଅଭିଯୋଗ ହୋଇଛି। ଏନେଇ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ସ୍ଥାନୀୟ ଲୋକ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଅତିରିକ୍ତ ଜିଲ୍ଲାପାଳଙ୍କ ନେତୃତ୍ଵରେ ବିଭାଗୀୟ ତଦନ୍ତ ହୋଇଥିଲା। ତଦନ୍ତ ରିପୋର୍ଟ ଆଧାରରେ ତାଙ୍କୁ ତାଗିଦ୍ ମଧ୍ୟ କରାଯାଇଥିଲା।

Tags: #VigilanceRaid #BeguniaTahsildar #PruthwirajMandal #Khordha #Bribe #Odisha

LEAVE A REPLY

Please enter your comment!
Please enter your name here