ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ମଶା ଉପଦ୍ରବକୁ ନେଇ ଶୁକ୍ରବାର ଦିନ ଭୁବନେଶ୍ୱର ମହାନଗର ନିଗମ (ବିଏମସି) କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି। ମାଶାରି ପକାଇ, ଧୂଆଁ ଲଗାଇ ଅଭିନବ ଉପାୟରେ ଶତାଧିକ ବିଜେପି କର୍ମୀ ପ୍ରତିବାଦ କରିଛନ୍ତି। ଭୁବନେଶ୍ୱର ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ସହର ପରିକ୍ରମା କରିବା ସହ ବିଏମସି କାର୍ଯ୍ୟାଳୟ ଘେରାଉ କରିଥିଲେ।

ଆଗକୁ ହକି ବିଶ୍ୱକପ୍ ଆୟୋଜନ ହେବାକୁ ଥିବାରୁ ଭୁବନେଶ୍ୱରର କୋଠା, ରାସ୍ତା, ପାଚେରି ଆଦିରେ ରଙ୍ଗ ଲଗାଇ ସୌନ୍ଦର୍ଯ୍ୟ ବୃଦ୍ଧି କରାଯାଉଛି, କିନ୍ତୁ ଲୋକେ ମଶା ଦାଉରେ ଅତିଷ୍ଠ ହୋଇଯାଇଥିଲେ ମଧ୍ୟ ଏ ଦିଗରେ ପଦକ୍ଷେପ ନିଆଯାଉ ନାହିଁ ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।

ବିଜେପିର ଅଭିଯୋଗ ଦୀର୍ଘ ଦିନ ହେଲା ମଶା ଧୂଆଁ ଛଡ଼ାଯାଉନାହିଁ କିମ୍ବା ମଶା ତେଲ ମଧ୍ୟ ପକାଯାଉ ନାହିଁ। ଫଳରେ ଭୁବନେଶ୍ୱରରେ ମଶାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଗୁରୁବାର ଦିନ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୁହାଯାଇଥିଲା ରାଜଧାନୀରେ ମଶା ଦମନ ପାଇଁ ପଦକ୍ଷେପ ନିଆଯାଉଛି। ଆସନ୍ତା ୨୩ ତାରିଖରୁ ମଶା ମାରିବା ପାଇଁ ଡ୍ରୋନର ବ୍ୟବହାର କରାଯିବ ବୋଲି ବିଏମସି ମେୟର ସୁଲୋଚନା ଦାସ କହିଥିଲେ।

Tags: #BJPProtest #BMCOffice #MosquitosinBhubaneswar

Comment