ଓଡ଼ିଶାଲାଇଭ୍ ବ୍ୟୁରୋ

ବନ୍ଧାକୋବି ଚାଷରୁ ଲାଭ ନ ମିଳିବାରୁ କ୍ଷେତରେ ଟ୍ରାକ୍ଟର ମଡ଼ାଇ ଦେଲେ ଚାଷୀ। ବରଗଡ଼ ଗଞ୍ଜିଆଟିକ୍ରା ଗାଁର ଦୁଇ ଚାଷୀ ମାମରାଜ ପ୍ରଧାନ ଓ ରୂପେଶ ପ୍ରଧାନ ଲକ୍ଷାଧିକ ଟଙ୍କା ବିନିଯୋଗ କରି ବନ୍ଧାକୋବି ଚାଷ କରିଥିଲେ। ହେଲେ ବନ୍ଧାକୋବି ବିକ୍ରି ହେଲାନି ଏବଂ ମୂଳ ଖର୍ଚ୍ଚ ମଧ୍ୟ ଉଠିପାରିନା ନାହିଁ। ଶେଷରେ ବାଧ୍ୟହୋଇ ବନ୍ଧାକୋବି କିଆରିରେ ଟ୍ରାକ୍ଟର ମଡ଼ାଇଦେଲେ ଚାଷୀ।

କ୍ଷେତରେ ଟ୍ରାକ୍ଟର ବୁଲାଇ କୋବି କିଆରିକୁ ପୋତି ଦେଇଛନ୍ତି ଚାଷୀ। ଏବେ ବଜାରରେ ବନ୍ଧାକୋବି କିଲୋ ୮ରୁ ୧୦ ଟଙ୍କାରେ ବିକ୍ରି ହେଉଛି। ହୋଲସେଲ୍ ଦର କିଲୋପ୍ରତି ୩ ଟଙ୍କାକୁ ଖସି ଆସିଲାଣି। ଚାଷୀଙ୍କ ନିକଟକୁ ଆସୁଥିବା ବେପାରୀମାନେ କ୍ୱିଂଟାଲ ପିଛା ୩ଶହରୁ ଅଧିକ ଟଙ୍କା ଦେବାକୁ ରାଜି ହେଉନାହାନ୍ତି। କୋବି ତୋଳାଳି ଏବଂ କୃଷି ଶ୍ରମିକ ଦିନକୁ ୩୫୦ ଟଙ୍କା ନେଉଛନ୍ତି। ତେଣୁ କୋବିଚାଷୀ ନିରାଶ ହୋଇ ଏମିତି ନିଷ୍ପତ୍ତି ନେଇଥିବା କହିଛନ୍ତି।

ଦୀର୍ଘ ଦିନ ଧରି ବରଗଡ଼ରେ ଏକ ଶୀତଳ ଭଣ୍ଡାର ନିର୍ମାଣ ପାଁଇ ଚାଷୀ ଦାବି କରି ଆସୁଥିଲେ ବି ଆଜି ପର୍ଯ୍ୟନ୍ତ ପୂରଣ ହୋଇ ପାରୁନି। ଖାଲି ସେତିକି ନୁହେଁ, ଧାନର ଯେମିତି ସର୍ବନିମ୍ନ ସହାୟକ ମୂଲ୍ୟ ଅଛି, ସେମିତି ପନିପରିବାର ମଧ୍ୟ ଏମଏସପି ଧାର୍ଯ୍ୟ କରାଯାଉ ବୋଲି ଚାଷୀ ଦାବି କରିଛନ୍ତି।

Tags: #CabbageCultivation #Farming #Tractor #DistressedSale #Bargarh #Odisha

Comment