ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ରାଜ୍ୟ ବାହାରେ ୧୦୩ଟି ସୁପର ସ୍ପେସାଲିଟି ଏବଂ ଅନ୍ୟ ହସ୍ପିଟାଲକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଦ୍ଵାରା ୨୮ ହଜାର ରୋଗୀ ମାଗଣାରେ ଚିକିତ୍ସା ସୁବିଧା ପାଇଛନ୍ତି। ନଭେମ୍ବର ମାସ ସୁଦ୍ଧା ରାଜ୍ୟ ସରକାର ଏ ବାବଦରେ ୩୯ କୋଟି ଟଙ୍କା ଖର୍ଚ୍ଚ ବହନ କରିଛନ୍ତି।

ବୁଧବାର ଦିନ ରାଜ୍ୟ ହେଲ୍‌ଥ ଇନସ୍ୟୁରାନ୍ସ ସୋସାଇଟି ବୈଠକରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ବୃନ୍ଦା ଡି.। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ଡାକ୍ତର ବୃନ୍ଦା ଡି. ତାଲିକା ଅନ୍ତର୍ଭୁକ୍ତ ହସ୍ପିଟାଲଗୁଡ଼ିକ ଚିକିତ୍ସା ବାବଦରେ ଦେଇଥିବା ବିଲଗୁଡ଼ିକର ପଇଠ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଶ୍ଚିତ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନଲାଇଲରେ ଆସୁଥିବା ବିଲଗୁଡ଼ିକୁ ଦୈନନ୍ଦିନ ଭିତ୍ତିରେ ନିରୀକ୍ଷଣ କରି ପଇଠ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ସେ ନୋଡାଲ୍ ଅଫିସରମାନଙ୍କୁ ପରାମର୍ଶ ଦେଇଛନ୍ତି।

ତାମିଲନାଡୁର ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜ୍, ବେଙ୍ଗାଳୁରୁର ଶ୍ରୀଶଙ୍କରା କ୍ୟାନସର ଫାଉଣ୍ଡେସନ, କୋଲକାତାର ଟାଟା ମେଡିକାଲ ସେଣ୍ଟର, ବିଶାଖପାଟଣା ଓ ସାଙ୍ଗୁରର ହୋମି ଭାବା କ୍ୟାନସର ହସପିଟାଲ, ଗୁଆହାଟିର ବରୁହା କ୍ୟାନସର ଇନଷ୍ଟିଚ୍ୟୁଟ୍, ବାରାଣାସିର ଏଚ.ବି କ୍ୟାନସର ହସପିଟାଲ, ପଣ୍ଡିତ ମାଲବ୍ୟ କ୍ୟାନସର ହସପିଟାଲ ସେଣ୍ଟର, ମୁମ୍ବାଇର ଟାଟା ମେମୋରିଆଲ ଓ ଆଡଭାନ୍ସ ସେଣ୍ଟର ଫର୍ କ୍ୟାନସର ଏହି ଯୋଜନାରେ ସାମିଲ ହୋଇଛି ।

ଫୋର୍ଟିଜ୍ ଗ୍ରୁପର ୨୪ଟି ହସପିଟାଲ, ନାରାୟଣ ହୃଦୟାଳୟର ୭ଟି ସୁପର ସ୍ପେସାଲିଟି ହାର୍ଟ ହସପିଟାଲରେ ଏହି ଯୋଜନାରେ ସାମିଲ ହୋଇଛି। ମୋଟାମୋଟି ଭାବେ ସାରା ଦେଶରୁ ୧୦୩ଟି ମେଡିକାଲ ଏହି ବିଏସକେଓ୍ଵାଇ ଯୋଜନାରେ ସାମିଲ ହୋଇଛନ୍ତି। ନଭେମ୍ବର ମାସରେ ରାଜ୍ୟ ବାହାରେ ୪ ହଜାର ୫୦୦ ରୋଗୀ ଚିକିତ୍ସିତ ହୋଇଥିବାବେଳେ, ସରକାର ୧୧ କୋଟି ୨୬ ଲକ୍ଷ ଟଙ୍କା ପଇଠ କରିଛନ୍ତି।

ଜାନୁଆରିରୁ ନଭେମ୍ବର ମାସ ମଧ୍ୟରେ ସମୁଦାୟ ୨୮,୦୦୦ ଓଡ଼ିଆଙ୍କର ବାହାର ରାଜ୍ୟର ହସ୍ପିଟାଲମାନଙ୍କରେ ମାଗଣା ଚିକିତ୍ସା ବାବଦରେ ରାଜ୍ୟ ସରକାର ପ୍ରାୟ ୩୯ କୋଟି ଟଙ୍କାର ବିଲ୍ ପଇଠ କରିଛନ୍ତି ବୋଲି ସୋସାଇଟିର ଆର୍ଥିକ ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ଅରବିନ୍ଦ ରାଉତରାୟ ଜଣାଇଥିଲେ। ପ୍ରାୟ ୯୭ ପ୍ରତିଶତ ରୋଗୀ ଏହି ମାଗଣା ଚିକିତ୍ସା ଯୋଗୁଁ ଉପକୃତ ହୋଇଛନ୍ତି।

Tags: #BSKYCard #103SuperSpecialityHospital #BijuSwasthyaKalyanYojana #Odisha #NaveenPatnaik #Health

Comment