ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସେମ୍ବର ୨୪ ତାରିଖରୁ ରାଉରକେଲାର ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଭାରତୀୟ ଜୁନିୟର ହକି ଦଳ ଓ ଦକ୍ଷିଣ କୋରିଆ ମଧ୍ୟରେ ୩ଟି ଅଭ୍ୟାସ ମ୍ୟାଚ୍ ଖେଳାଯିବ। ଏହି ଅଭ୍ୟାସ ମ୍ୟାଚ୍ ପାଇଁ ଭାରତ ଜୁନିୟର ଦଳରେ ସୁନ୍ଦରଗଡ଼ ଜିଲ୍ଲାର ସୁଦୀପ ଚିର୍ମାକୁ, ଅଭିଷେକ ଲାକ୍ରା, ସୁନୀଲ ଜୋଜୋ ଓ ଶିରିଲ ଲୁଗୁନ ସାମିଲ ହୋଇଛନ୍ତି। ହକି ତାରକା ଉତ୍ତମ ସିଂହ ଭାରତୀୟ ଜୁନିୟର ହକି ଦଳର ନେତୃତ୍ୱ ନେବେ। ଏହି ଅଭ୍ୟାସ ମ୍ୟାଚକୁ ଲୋକମାନେ ବିନା ଟିକେଟରେ ଦେଖିପାରିବେ।

ଅଭ୍ୟାସ ମ୍ୟାଚ୍ ସମୟରେ ଷ୍ଟାଡିୟମରେ ଭିଡ଼ ଓ ସହରର ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିସହ ଷ୍ଟାଡିୟମ ପରିସରରେ ସମସ୍ତ ଖେଳାଳିମାନଙ୍କ ରହିବାର ବ୍ୟବସ୍ଥା କରାଯାଇଛି। ବିଶ୍ଵକପକୁ ଆଉ ଅଳ୍ପ ଦିନ ଥିବାବେଳେ ଭାରତ ଏହି ମ୍ୟାଚ୍ ଜିତି ବିଶ୍ୱକପକୁ ସ୍ଵାଗତ କରିବ ବୋଲି ବିଭିନ୍ନ କ୍ରୀଡାପ୍ରେମୀ ଆଶା କରିଛନ୍ତି।

ଜାନୁଆରି ମାସରେ ପୁରୁଷ ହକି ବିଶ୍ୱକପ୍‌ ଭୁବନେଶ୍ୱର ସହିତ ରାଉରକେଲାରେ ଖେଳାଯିବ। ଏହା ପୂର୍ବରୁ ରାଉରକେଲାରେ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏଠାରେ ୨୪ ତାରିଖରୁ ତିନୋଟି ଅଭ୍ୟାସ ମ୍ୟାଚ୍ ଖେଳାଯିବ। ଏହି ଅଭ୍ୟାସ ମ୍ୟାଚ୍ ସମୟରେ ଯଦି ହକି ଟର୍ଫ କିମ୍ବା ଷ୍ଟାଡିୟମରେ କିଛି ତ୍ରୁଟି ଥିବା ନେଇ ଜଣାପଡ଼େ ତେବେ ଭିତ୍ତିଭୂମିକୁ ଦୃଢ଼ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ।

Tags: #IndianjuniorHockeyTeam #PracticeMatch #SouthKorea #4playersfromSundargarh #BirsamundaStadium #Rourkela #Odisha

Comment