ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାର କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସର୍ତକତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ତରଫରୁ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇ, କୋଭିଡ୍‌ ବୁଷ୍ଟର ଡୋଜ୍‌ ଟିକା ପଠାଇବାକୁ ନିବେଦନ କରାଯାଇଛି। ରାଜ୍ୟ ସ୍ଵାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କେନ୍ଦ୍ର ସ୍ଵାସ୍ଥ୍ୟ ସଚିବଙ୍କୁ ଏନେଇ ଚିଠି ଲେଖିଛନ୍ତି।

“ରାଜ୍ୟରେ ଏପର୍ଯ୍ୟନ୍ତ ୮.୧୪ କୋଟି କୋଭିଡ୍‌ ଟିକା ଦିଆସରିଛି। ୧୨ବର୍ଷ ବୟସରୁ ଊର୍ଦ୍ଧ୍ୱ ୩.୫୨ କୋଟି ଲୋକ ପ୍ରଥମ ଡୋଜ୍‌ ନେଇଥିବାବେଳେ ୩.୩୦କୋଟି ଲୋକ ଦ୍ୱିତୀୟ ଡୋଜ୍‌ ନେଇସାରିଛନ୍ତି। ସେହିପରି ୧୮ବର୍ଷ ବୟସରୁ ଅଧିକ ୧.୩୧ କୋଟି ଲୋକ ବୁଷ୍ଟର ଡୋଜ୍‌ ନେଇଛନ୍ତି। ତେବେ ଭାରତ ସରକାର ଦେଇଥିବା କୋଭିଡ୍‌ ଟିକା ୨୦୨୨ ନଭେମ୍ବର ୨୮ ତାରିଖ ସୁଦ୍ଧା ଶେଷ ହୋଇସାରିଛି। ଏବେ ରାଜ୍ୟରେ ସରକାରୀ ଭାବେ କୋଭିଡ୍‌ ଟିକା ମହଜୁଦ ନାହିଁ”, କହିଛନ୍ତି ସ୍ଵାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ।

ଏବେ ଓମିକ୍ରନ ବିଏଫ.୭ ଭାରିଏଣ୍ଟ ଯୋଗୁଁ ବିଦେଶରେ ସଂକ୍ରମଣ ବ୍ୟାପୁଥିବାରୁ ବୁଷ୍ଟର ଡୋଜ୍‌ ନେବା ପାଇଁ ଲୋକମାନେ ଆଗ୍ରହ ଦେଖାଉଛନ୍ତି। ରାଜ୍ୟରେ ୧୮ବର୍ଷ ବୟସରୁ ଅଧିକ ୩.୨୫କୋଟି ଲୋକ ବୁଷ୍ଟର ଡୋଜ୍‌ ପାଇଁ ଯୋଗ୍ୟ ଥିବାବେଳେ, ମାତ୍ର ୧.୩୧ କୋଟି ଲୋକଙ୍କୁ ଟୀକା ଦିଆଯାଇଛି। ଏବେବି ୧.୯୩ କୋଟି ଲୋକ ଏହି ଟିକା ନେଇନାହାନ୍ତି। ତେଣୁ ସରକାରୀ ଟିକା କେନ୍ଦ୍ରରେ ଏହି ବାକି ଥିବା ଲୋକଙ୍କୁ ବୁଷ୍ଟର ଡୋଜ୍‌ ଦେବା ନିମନ୍ତେ ଆବଶ୍ୟକ ଟିକା ଯୋଗାଇ ଦେବାକୁ ପାଇଁ ସ୍ଵାସ୍ଥ୍ୟ ସଚିବ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

ଭାରତରେ ୨୦୨୨ ମସିହା ଜାନୁଆରି ମାସରେ କୋଭିଡ୍‌ ବୁଷ୍ଟର ଡୋଜ୍‌ ଟୀକାକରଣ ଆରମ୍ଭ ହୋଇଥିଲା। ପ୍ରଥମେ ୬୦ ବର୍ଷ ବୟସରୁ ଉର୍ଦ୍ଧ ନାଗରିକ ଓ ଜରୁରୀ ସେବା ପ୍ରଦାନ କରୁଥିବା କର୍ମଚାରୀଙ୍କୁ ମାଗଣାରେ ଏହି ଟୀକା ଦେବପାଇଁ ବ୍ୟବସ୍ଥା କରାଯାଇଥିଲା। କିଛି ମାସ ପରେ ଏହାକୁ ୧୮ ବର୍ଷ ବୟସରୁ ଉର୍ଦ୍ଧ ସମସ୍ତ ଲୋକଙ୍କୁ ଦିଆଯାଇଥିଲା।

Tags: #Covid-19 #BoosterDose #Odisha #Letter #Centralgovt. #SaliniPandit

Comment