ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆ ରୂପ ନେବାକୁ ଯାଉଛି ଭୁବନେଶ୍ୱର ରେଳ ଷ୍ଟେସନ। ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ ହେବା ସହ ଏହାକୁ ବିଶ୍ୱସ୍ତରୀୟ କରିବା ଲାଗି ଗୁରୁବାର ଦିନ ଭୂମି ପୂଜନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି ପ୍ରକଳ୍ପ ଲାଗି ୩୦୮ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଏବଂ ୬ ନମ୍ବର ଗେଟର ନବୀକରଣ  ସହ ୬ ମହଲା ଓ ୪ ମହଲା ବିଶିଷ୍ଟ ଦୁଇଟି କୋଠା ନିର୍ମାଣ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ଅପରାଜିତା ଷଡ଼ଙ୍ଗୀ, ବିଧାୟକ ସୁରେଶ ରାଉତରାୟ ଏବଂ ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ସରକାର ଓଡ଼ିଶାର ବିକାଶକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି। ଆଗକୁ ମଧ୍ୟ ଏହି ଲକ୍ଷ୍ୟ ରହିବ। ଓଡ଼ିଶାକୁ ରେଳ ଏବଂ ଟେଲିକମ କ୍ଷେତ୍ରରେ ଅବହେଳା କରାଯାଉଥିବା କଥା କୁହାଯାଉଛି। କେନ୍ଦ୍ରରେ କଂଗ୍ରେସ ସରକାର ଆସିବା ପୂର୍ବରୁ ଓଡ଼ିଶାକୁ କ’ଣ ମିଳୁଥିଲା ବୋଲି ରେଳମନ୍ତ୍ରୀ ପ୍ରଶ୍ନ କରିଥିଲେ। ସେ କହିଥିଲେ ପୂର୍ବରୁ ଓଡ଼ିଶାକୁ ରେଳ ବିକାଶ ଲାଗି ମାତ୍ର ୮୦୦ କୋଟି ଟଙ୍କା ମିଳୁଥିଲା ଯାହା ଦ୍ଵାରା ମାତ୍ର ୨୦ରୁ ୩୦ କିଲୋ ମିଟର ପର୍ଯ୍ୟନ୍ତ କାମ ହୋଇ ପାରୁଥିଲା ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ମୋଦୀ ସରକାର ଏବେ ଓଡ଼ିଶାକୁ ୧୦ ହଜାର କୋଟି ଟଙ୍କା ଦେଉଛନ୍ତି। ଏବେ ବର୍ଷକୁ ୩୦୦ କିଲୋ ମିଟର ପର୍ଯ୍ୟନ୍ତ ନୂଆ ଲାଇନ ନିର୍ମାଣ ହୋଇପାରୁଛି।

ଓଡ଼ିଶାରେ ୩୬ଟି ରେଳ ଷ୍ଟେସନର ନବୀକରଣ ପାଇଁ ମୋଦୀ ସରକାର ମଞ୍ଜୁରୀ ଦେଇଛନ୍ତି। ପର୍ଯ୍ୟାୟ କ୍ରମେ ସେସବୁର କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯିବ। ଭୁବନେଶ୍ଵର ରେଳ ଷ୍ଟେସନର ନବୀକରଣ ସହ ବିଶ୍ଵସ୍ତରୀୟ କରିବା ଲାଗି ରୂପ ରେଖ ପ୍ରସ୍ତୁତ କରାଯାଉଛି। ବିଶ୍ଵସ୍ତରୀୟ ହେବାକୁ ଥିବାଏହି ଷ୍ଟସନରେ ବିମାନବନ୍ଦର ପରି ସମସ୍ତ ସୁବିଧା ଉପଲବ୍ଧ ହେବ ବୋଲି କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ।

Tags: #UnionRailwayMinister #AshwiniVaishnaw #FoundationStoneLayingCeremony #BhuneswarRailwayStation

Comment