ଓଡ଼ିଶାଲାଇଭ୍ ବ୍ୟୁରୋ

“ଶ୍ରୀକ୍ଷେତ୍ର ପୁରୀରୁ ଅର୍କକ୍ଷେତ୍ର କୋଣାର୍କକୁ ଗଡ଼ିବ ଟ୍ରେନ। ଏଥିଲାଗି ନୂଆ ରେଳ ଲାଇନ୍‌ ନିର୍ମାଣ ହେବ। ନୂଆ ଟ୍ରକରେ ଚାଲିବ ଭିଷ୍ଟାଡୋମ୍‌ ଟ୍ରେନ୍‌। ଫଳରେ ଟ୍ରେନ ଭିତରୁ ପର୍ଯ୍ୟଟକମାନେ ବାହାରର ସମସ୍ତ ଦୃଶ୍ୟ ଉପଭୋଗ କରିପାରିବେ। ଟ୍ରେନ୍‌ ଭିତରେ ଜଗନ୍ନାଥଙ୍କ ସଂସ୍କୃତି ସମ୍ପର୍କରେ ଲୋକମାନଙ୍କୁ ତଥ୍ୟ ଦିଆଯିବ”, କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ରେଳମନ୍ତ୍ରୀ ଆହୁରି କହିଛନ୍ତି ଯେ, ପୁରୀରୁ କୋଣାର୍କ ନୂଆ ରେଳ ଲାଇନ୍‌କୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଛି। ଏଥିପାଇଁ ୪୯୨ କୋଟି ଟଙ୍କା ମଞ୍ଜୁର ହୋଇଛି। ୩୨ କିଲୋମିଟର ନୂଆ ରେଳ ଲାଇନ୍‌ ନିର୍ମାଣ ପାଇଁ ୨୧୫ ହେକ୍ଟର ଜମିର ଆବଶ୍ୟକତା ପଡ଼ିବ। ରାଜ୍ୟ ସରକାର ଜମି ଯୋଗାଇ ଦେଲେ କାମ ଆରମ୍ଭ କରାଯିବ ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

ରେଳମନ୍ତ୍ରୀଙ୍କ ସୂଚନା ଅନୁସାରେ ପୁରୀରୁ କୋଣାର୍କ ରୁଟ୍‌ରେ ୩ରୁ ୪ଟି ସ୍ଥାନରେ ସ୍ପେସାଲ ପର୍ଯ୍ୟଟନ ହେରିଟେଜ୍‌ ହବ୍‌ ନିର୍ମାଣ କରାଯିବ, ଯେଉଁଠାରେ ଓଡ଼ିଶାର କଳା ଓ ସଂସ୍କୃତି ପ୍ରଦର୍ଶିତ ହେବ। ଏଥିପାଇଁ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯିବ ବୋଲି ରେଳମନ୍ତ୍ରୀ କହିଛନ୍ତି।

ଗତ ୧୦ ବର୍ଷ ଭିତରେ ପ୍ରାୟ ୧୦ ହଜାର କୋଟି ଟଙ୍କା ମୂଲ୍ୟରେ ୪୦୯ଟି ରେଲୱେ ଓଭର ବ୍ରିଜ ଏବଂ ଅଣ୍ଡର ପାସ୍‌ ନିର୍ମାଣ ହୋଇଛି। ଏବେ ୨୨୦ଟି ରେଲୱେ ଓଭର ବ୍ରିଜ୍‌ ଓ ଅଣ୍ଡର ପାସ୍‌ ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Tag: #TrainService #RailLine #PuriKonark #VistadomeTrain #AshwiniVaishnaw #RailProject

Comment