ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ଦୁଇ ଜଣ ଶିଶୁଙ୍କ ମୃତ୍ୟୁକୁ ନେଇ ଜୟପୁର ଜିଲ୍ଲା ଡାକ୍ତରଖାନାରେ ଉତ୍ତେଜନା ଲାଗି ରହିଛି। ଗୁରୁବାର ବିଳମ୍ବିତ ରାତିରେ ଜଣେ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବାବେଳେ ଶୁକ୍ରବାର ସକାଳ ପ୍ରାୟ ୬ଟା ବେଳେ ଅନ୍ୟ ଜଣେ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିଲା। ମୃତ ଶିଶୁ ପ୍ରତିମା ରନ୍ଧାରୀଙ୍କର ଯାଆଁଳା ସନ୍ତାନ ଥିଲେ।
ମଙ୍ଗଳବାର ଦିନ କୋରାପୁଟ ଜିଲ୍ଲା ଧାରଣାହାଣ୍ଡା ଗାଁର ପ୍ରତିମା ରନ୍ଧାରୀ ଦୁଇଟି ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଶିଶୁମାନଙ୍କର ସ୍ଵାସ୍ଥ୍ୟାବସ୍ଥା ଭଲ ନଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ରଖାଯାଇଥିଲା। କିନ୍ତୁ ଦୁଇ ଶିଶୁପୁତ୍ରଙ୍କର ମୃତ୍ୟୁ ହୋଇଛି। ଡାକ୍ତରଙ୍କ ଅବହେଳା ଯୋଗୁଁ ଦୁଇ ଶିଶୁପୁତ୍ରଙ୍କର ଜୀବନ ଚାଲିଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଡାକ୍ତରଖାନାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା।
ଡାକ୍ତରଖାନାର ପରିସରରେ ଦୁଇ ଶିଶୁ ପୁତ୍ରଙ୍କ ମୃତ ଦେହ ରଖି ପରିବାର ଲୋକେ ପାଟିତୁଣ୍ଡ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅରୁଣ ପାଢ଼ୀ, ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଦୁର୍ଗା ପ୍ରସାଦ ପାତ୍ର ପହଞ୍ଚି ମୃତ ଶିଶୁଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ। ପରିବାର ଲୋକଙ୍କ ଅଭିଯୋଗର ତଦନ୍ତ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।
Tags: #Jeypure #TwinsBabyDeath #Newborn #JeypureHospital