ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ୨୦୨୩ ପୁରୁଷ ହକି ବିଶ୍ଵକପର ଆୟୋଜନ କରିବାକୁ ଯାଉଛି। ବିଶ୍ଵକପର ଏହି ସମାରୋହରେ ଗ୍ରାମାଞ୍ଚଳବାସୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ପ୍ରତି ଗ୍ରାମପଞ୍ଚାୟତରେ ଲୋକମାନଙ୍କ ମଧ୍ୟରେ କ୍ରୀଡ଼ାର ମାହୋଲ ସୃଷ୍ଟି କରିବା ପାଇଁ ସରକାର ଯୋଜନା କରିଛନ୍ତି। ଓଡ଼ିଶାର ସବୁ ପଞ୍ଚାୟତରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵକପ୍ ଉଦଘାଟନୀ ସମାରୋହର ସିଧାପ୍ରସାରଣ କରାଯିବ। ରାଜ୍ୟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏଥିଲାଗି ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି।

ଜାନୁଆରୀ ୧୧ ତାରିଖ ଦିନ ଅପରାହ୍ଣ ୩ଟାରୁ ଉଦଘାଟନୀ ସମାରୋହର ଶେଷ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ପଞ୍ଚାୟତରେ କାର୍ଯ୍ୟକ୍ରମ ହେବ। ଓଡ଼ିଶାର ପ୍ରାୟ ୬୭୦୦ ଗ୍ରାମ ପଞ୍ଚାୟତରେ କାର୍ଯ୍ୟକ୍ରମର ଆୟୋଜନ ହେବ। ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରୋଜେକ୍ଟର ସ୍କ୍ରିନ କିମ୍ବା ବଡ଼ ଟେଲିଭିଜନ ସେଟ୍ ଲଗାଇ ସାଧାରଣ ଜନତାଙ୍କ ପାଇଁ ଉଦଘାଟନୀ ସମାରୋହର ସିଧା ପ୍ରସାରଣର ବ୍ୟବସ୍ଥା କରାଯିବ।

ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ବାହାର କାନ୍ଥରେ ବିଶ୍ଵକପର ବିଭିନ୍ନ ଦୃଶ୍ୟର ଫ୍ଲେକ୍ସ ପ୍ରିଣ୍ଟ ଲଗାଇବାକୁ ଜିଲ୍ଲାମାନଙ୍କୁ କୁହାଯାଇଛି। ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ବିଡିଓମାନଙ୍କୁ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ  କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

୨୦୨୩ ଜାନୁଆରି ୧୩ ତାରିଖରୁ ଭୁବନେଶ୍ୱର ଏବଂ ରାଉଲକେଲାରେ ପୁରୁଷ ହକି ବିଶ୍ଵକପର ଆୟୋଜନ ହେବ ଏହି ମେଗା ଟୁର୍ଣ୍ଣାମେଣ୍ଟରେ ୧୬ଟି ଦେଶ ଭାଗ ନେବେ। ଜାନୁଆରି ୧୧ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ବିଶ୍ଵକପର ଉଦଘାଟନୀ ଉତ୍ସବ ଆୟୋଜିତ ହେବ।

Tags: #HockeyWorldCup2023 #OpeningCeremony #Livetelecast #AllPanchayats #Odisha

Comment