ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁଦିନର ଅଚଳାବସ୍ଥା ପରେ ଆରମ୍ଭ ହୋଇଛି ସମ୍ବଲପୁର କୋର୍ଟ। ବନ୍ଦ ହୋଇଛି ଅନେକ ଦିନରୁ ଲାଗି ରହିଥିବା ଓକିଲମାନଙ୍କ ଆନ୍ଦୋଳନ। ମଙ୍ଗଳବାରଠାରୁ ସମ୍ବଲପୁରରେ ସମସ୍ତ ଅଦାଲତ କାର୍ଯ୍ୟ ସ୍ଵାଭାବିକ ହୋଇଛି। ସମ୍ବଲପୁର ଓକିଲ ସଙ୍ଘର ସବୁ ସଦସ୍ୟ ଆନ୍ଦୋଳନରୁ ଓହରି ଆନୁଷ୍ଠାନିକଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି।

ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘର ସଭାପତି ସୁରେଶ୍ଵର ମିଶ୍ର ଜେଲ୍‌ ଭିତରୁ ଓକିଲମାନଙ୍କୁ କୋର୍ଟ କାର୍ଯ୍ୟରେ ଯୋଗ ଦେବା ପାଇଁ ଅନୁରୋଧ କରିଥିଲେ। ସେ ଏକ ଚିଠି ଜିଲ୍ଲା ଓକିଲ ସଙ୍ଘ କାର୍ଯ୍ୟାଳୟକୁ ପଠାଇ ଓକିଲମାନଙ୍କୁ ଅନୁରୋଧ କରିଥିଲେ। ଏହାପରେ ସମସ୍ତ ସଦସ୍ୟ ଏହାକୁ ଗ୍ରହଣ କରିଛନ୍ତି। ମଙ୍ଗଳବାରଠାରୁ ସମସ୍ତେ କୋର୍ଟ କାର୍ଯ୍ୟରେ ଯୋଗ‌ ଦେଇଛନ୍ତି।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ନେଇ ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ହେଉଥିଲା। ଆନ୍ଦୋଳନ ସମୟରେ ଓକିଲ ଓ ପୋଲିସଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆନ୍ଦୋଳନ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟ ଓକିଲ ସଙ୍ଘକୁ ନିର୍ଦ୍ଦେଶ ଦେଇଥିଲେ। ଓକିଲମାନଙ୍କ ଲାଇସେନ୍ସ ରଦ୍ଦ କରିବାକୁ ଚେତାବନୀ ମଧ୍ୟ ଦିଆଯାଇଥିଲା।

ସୁପ୍ରିମକୋର୍ଟଙ୍କ ଚେତାବନୀକୁ ଖାତିର ନକରି ଓକିଲ ସଙ୍ଘ ଆନ୍ଦୋଳନ ଜାରି ରଖିଥିଲା। ଡିସେମ୍ବର ୧୩ ତାରିଖରେ ଓକିଲମାନେ ସମ୍ବଲପୁର ଜିଲ୍ଲା ବିଚାରପତିଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ। ଏହାପରେ ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘର ସଭାପତି ସୁରେଶ୍ଵର ମିଶ୍ରଙ୍କ ସମେତ ଅନେକ ଓକିଲଙ୍କୁ ଗିରଫ କରଯାଇଥିଲା। ବାର କାଉନସିଲ ଅଫ ଇଣ୍ଡିଆ ୫୪ ଜଣ ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ କରିଥିଲେ।

Tags: #LawyersStrike #SambalpurBarAssociation #Protest #withdrawn #Odisha #Sambalpur

Comment