ଓଡ଼ିଶାଲାଇଭ୍ ବ୍ୟୁରୋ

 

  • ପୃଥିବୀର ଅନ୍ୟତମ ବୃହତ୍ ହକି ଷ୍ଟାଡିୟମ
  • ୨୦ ହଜାର ଦର୍ଶକ ଦେଖିପାରିବେ ମ୍ୟାଚ୍
  • ୧୨୦ କୋଟି ଟଙ୍କାରେ ହୋଇଛି ନିର୍ମାଣ
  • ୧୫ ମାସ ମଧ୍ୟରେ ଶେଷ ହୋଇଛି ନିର୍ମାଣ କାର୍ଯ୍ୟ

ବିଶ୍ଵକପ ହକି ରାଜ୍ୟରେ ଆଣିଛି କ୍ରୀଡ଼ାର ମାହୋଲ। ପୁଣିଥରେ ହକି ବିଶ୍ଵକପ ଆୟୋଜନ କରିବାକୁ ପ୍ରସ୍ତୁତ ହୋଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର ଓ ରାଉରକେଲାରେ ହେବକୁ ଥିବା ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ବିଶ୍ଵକପ ପାଇଁ ଇସ୍ପାତନଗରୀ ରାଉରକେଲାରେ ନିର୍ମାଣ ହୋଇଛି ବିଶ୍ଵର ଅନ୍ୟତମ ବୃହତ୍ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ। ପ୍ରମୁଖ ସ୍ଵଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ ଏହି ଷ୍ଟାଡିୟମ, ହକିର ଅନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ ଜିଲ୍ଲା ପାଇଁ ଆଣିବାକୁ ଯାଉଛି ଅନେକ ଗୌରବ।

ଷ୍ଟାଡିୟମର ବୈଶିଷ୍ଟ୍ୟ 

ଭୁବନେଶ୍ୱର ୨୦୧୮ ମସିହାରେ ବିଶ୍ଵକପ ଭଳି ପ୍ରମୁଖ ହକି ଇଭେଣ୍ଟ ଆୟୋଜନ କରିସାରିଥିବାବେଳେ, ଷ୍ଟିଲ ସିଟି ରାଉରକେଲା ପ୍ରଥମ ଥର ପାଇଁ ଏକ ବିଶ୍ଵସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ। ରାଉରକେଲାରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ରାଉରକେଲା ବିପିୟୁଟି କ୍ୟାମ୍ପସ ପାଖରେ ନିର୍ମିତ ହୋଇଛି ବିର୍ସା ମୁଣ୍ଡା ହକି ଷ୍ଟାଡିୟମ। ମୋଟ ୧୫ ଏକର ଜାଗାରେ ଏହାର ନିର୍ମାଣ ହୋଇଛି। ରାଜ୍ୟ ସରକାର ୧୨୦ କୋଟି ଟଙ୍କା ବ୍ୟୟ କରି ଏହି ହକି ଷ୍ଟାଡିୟମ ନିର୍ମାଣ କରିଛନ୍ତି। ୧୫ ମାସର କମ ଅବଧି ଭିତରେ ଏହି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ କରାଯାଇଛି।

ଷ୍ଟାଡିୟମରେ ଥିବା ସୁବିଧା

ସମସ୍ତ ଅତ୍ୟାଧୁନିକ ସୁବିଧାରେ ଭରପୁର ଏହି ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏକା ସଙ୍ଗେ ୨୦ହଜାର ଦର୍ଶକ ମ୍ୟାଚ୍ ଉପଭୋଗ କରିପାରିବେ। ହକି ପାଇଁ ଏହି ଷ୍ଟାଡିୟମରେ ୨ଟି ଉନ୍ନତ ଟର୍ଫ ବିଶିଷ୍ଟ ପଡ଼ିଆର ନିର୍ମାଣ ହୋଇଛି। ଷ୍ଟାଡିୟମରେ ଥିବା ମୁଖ୍ୟ ଟର୍ଫରେ ବିଶ୍ଵକପ ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ ଅନ୍ୟ ଟର୍ଫଟିକୁ ଦଳମାନେ ଅଭ୍ୟାସ ପାଇଁ ବ୍ୟବହାର କରିବେ। ଖେଳପାଇଁ ଷ୍ଟାଡିୟମରେ ଅତ୍ୟାଧୁନିକ ହାଇମାକ୍ସ ଲାଇଟ୍ ଲଗାଯାଇଛି।

ଏହି ଷ୍ଟାଡିୟମରେ ସାମ୍ବାଦିକମାନଙ୍କ ପାଇଁ ମିଡିଆ କେନ୍ଦ୍ର, ରେଡିଓ ସେଣ୍ଟର ନିର୍ମାଣ କରାଯାଇଛି। ଏହାଛଡ଼ା ଷ୍ଟାଡିୟମ ଭିତରେ ଫ୍ୟାସିଲିଟି ବିଲ୍ଡିଂ ଏବଂ ପ୍ରଶାସନିକ ବିଲ୍ଡିଂର ନିର୍ମାଣ କରାଯାଇଛି। ଏହାଛଡ଼ା ଦର୍ଶକଙ୍କ ପାଇଁ ପାର୍କିଂର ବ୍ୟବସ୍ଥା ମଧ୍ୟ କରାଯାଇଛି। ଷ୍ଟାଡିୟମରେ ଦର୍ଶକଙ୍କୁ ହକି ଖେଳର ଏକ ସ୍ମରଣୀୟ ଅନୁଭୂତି ଦେବା ପାଇଁ ସମସ୍ତ ଆୟୋଜନ କରାଯାଇଛି।

ଖେଳାଳିଙ୍କ ପାଇଁ ଥିବା ବ୍ୟବସ୍ଥା 

ଷ୍ଟାଡିୟମ ପରିସରରେ ଖେଳାଳି ଓ ମ୍ୟାଚ୍ ଅଫିସିଆଲମାନଙ୍କ ପାଇଁ ନିର୍ମାଣ ହୋଇଛି ବିଶ୍ଵକପ ଭିଲେଜ୍। ଏଠାରେ ବିଶ୍ଵକପ ସମୟରେ ଖେଳାଳିମାନଙ୍କ ରହିବାପାଇଁ ୨୨୫ଟି ରୁମର ନିର୍ମାଣ ହୋଇଛି। ଏହି ଭିଲେଜରେ ଉନ୍ନତ ଜିମ, ସୁଇମିଂପୁଲ, ଡାଇନିଂ ଭଳି ଅନ୍ୟାନ୍ୟ ସୁବିଧାର ବିକାଶ କରାଯାଇଛି। ଖେଳାଳିମାନଙ୍କ ସୁବିଧାକୁ ଧ୍ୟାନରେ ରଖି ସବୁ ପ୍ରକାର ବ୍ୟବସ୍ଥା ଏହି ଭିଲେଜରେ କରାଯାଇଛି।

୨୦୨୩ ବିଶ୍ଵକପକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ରାଉରକେଲାରେ ହକି ଷ୍ଟାଡିୟମର ନିର୍ମାଣ କରିବାକୁ ସ୍ଥିର କରିଥିଲେ। ୨୦୨୧ ମସିହା ଫେବ୍ରୁଆରି ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିର୍ସାମୁଣ୍ଡା ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଷ୍ଟାଡିୟମ ନିର୍ମାଣ ପାଇଁ ସରକାରଙ୍କ ତରଫରୁ ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ କର୍ପୋରେସନ ଅଫ ଓଡ଼ିଶା (ଇଡକୋ)କୁ ଦାୟିତ୍ଵ ଦିଆଯାଇଥିଲା।

ଆଗକୁ ଆସୁଥିବା ପୁରୁଷ ହକି ବିଶ୍ଵକପର ୨୦ଟି ମ୍ୟାଚ୍ ଏହି ଷ୍ଟାଡିୟମରେ ଖେଳାଯିବ। ଏଠାରେ ଖେଳାଯିବାକୁ ଥିବା ସମସ୍ତ ମ୍ୟାଚର ଟିକେଟ୍ ମଧ୍ୟ ବିକ୍ରି ହୋଇସାରିଛି। ଜାନୁଆରି ୧୩ ତାରିଖରେ ଭାରତ, ସ୍ପେନ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳି ବିଶ୍ଵକପ ଅଭିଯାନ ଆରମ୍ଭ କରିବ। ଓଡ଼ିଶାର ସମସ୍ତ କ୍ରୀଡ଼ାପ୍ରେମୀ ଏବେ ଅପେକ୍ଷା କରିଛନ୍ତି ସେହିଦିନକୁ ଯେବେ ଏହି ଷ୍ଟାଡିୟମରେ ପ୍ରଥମ ଅନ୍ତର୍ଜାତୀୟ ହକି ମ୍ୟାଚ୍ ଖେଳାଯାଇ ସ୍ଵର୍ଣ୍ଣିମ ଅଧ୍ୟାୟ ଆରମ୍ଭ ହେବ।

Tags: #BirsaMundaHockeyStadium #Rourkela #HockeyMen’sWorldCup2023 #Hockey #Sports #Odisha

Comment