ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ଦୁଇଦିନ ପରେ ଆରମ୍ଭ ହେଉଛି ପୁରୁଷ ହକି ବିଶ୍ଵକପ। ହକିର ଏହି ମହାସମର ପୂର୍ବରୁ ବୁଧବାର କଟକ ବାରବାଟୀ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ଯାଉଛି ଉଦ୍‌ଘାଟନୀ ଉତ୍ସବ। ସମଗ୍ର ଦେଶ ତଥା ବିଶ୍ୱକୁ ଏକ ଆକର୍ଷଣୀୟ ଝଲକ ଦେବପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ବୁଧବାର ଅପରାହ୍ଣ ୩ଟାରୁ ଏହି ଉଦଘାଟନୀ ଉତ୍ସବ ଆରମ୍ଭ ହେବ। ଓଡ଼ିଶାର ଐତିହ୍ୟ,ସଂସ୍କୃତି ସହ ଗୀତ, ନୃତ୍ୟ ଏବଂ ଅନ୍ୟାନ୍ୟ ମନୋରଞ୍ଜନରେ ଭରପୁର ରହିବ ଉଦଘାଟନୀ ଉତ୍ସବ। ବିଶ୍ଵକପ ହକି ଟ୍ରଫିକୁ ଏଠାରେ ପ୍ରଦର୍ଶନ କରାଯିବ।

ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଉତ୍ସବରେ ବଲିଉଡ୍‌ ତାରକା ରଣବୀର ସିଂହ ଓ ଦିଶା ପଟାନୀ ନୃତ୍ୟ ପରିବେଷଣ କରିବେ। ଏହାଛଡ଼ା ପ୍ରସିଦ୍ଧ କୋରିଆନ ପପ୍‌ ବ୍ୟାଣ୍ଡ ବ୍ଲାକ୍‌ସ୍ଵାନ ଗ୍ରୁପ୍‌ ଓ ଏଥିରେ ସାମିଲ ଓଡ଼ିଶାର ଜଣାଶୁଣା ଗାୟିକା ଶ୍ରେୟା ଲେଙ୍କା ନିଜର ଜଲୱା ଦେଖାଇବେ। ହକି ବିଶ୍ଵକପ୍‌ ୨୦୨୩ର ଅଫିସିଆଲ ଗୀତର ଲେଖକ ପ୍ରୀତମଙ୍କ ସହ ବଲିଉଡର ଅନ୍ୟାନ୍ୟ ସୁନାମଧନ୍ୟ କଣ୍ଠ ଶିଳ୍ପୀମନେ ମଞ୍ଚରେ ଗୀତ ଗାଇବେ। ପ୍ରୀତମଙ୍କ ସହ ବେନି ଦୟାଲ, ନୀତି ମୋହନ, ଅନ୍ତରା ମିତ୍ର, ଶ୍ରୀମା ଚନ୍ଦ୍ରା, ନକ୍ସ ଅଜିଜ, ଶାଲମାଲି ଖୋଲଗଡେ ପ୍ରମୁଖ ବଲିଉଡ କଣ୍ଠଶିଳ୍ପୀଙ୍କ ଗୀତରେ ଦୁଲୁକିବ ଷ୍ଟାଡିୟମ।

ନୃତ୍ୟ ଗୁରୁ ଅରୁଣା ମହାନ୍ତି ଓ ଜାତୀୟ ପୁରସ୍କାରପ୍ରାପ୍ତ ପ୍ରିନ୍ସ ଡାନ୍ସ ଗ୍ରୁପର ନୃତ୍ୟ ମଧ୍ୟରେ ଉଦଘାଟନୀ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହେବ। ବଲିଉଡ୍‌ ଷ୍ଟାରଙ୍କ ସହ ଓଡ଼ିଶାର ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା, ଋତୁରାଜ ମହାନ୍ତି, ଲିସା ମିଶ୍ର, ସୁନିତି ମିଶ୍ରଙ୍କ ସହ ଅନ୍ୟ କଳାକାରମାନେ ସାଂସ୍କୃତିକ ଏବଂ ଅନ୍ୟ ନୃତ୍ୟଗୀତ ପରିବେଷଣ କରିବେ।

ବିଶ୍ୱକପ ଉଦଘାଟନୀ ଉତ୍ସବରେ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ବନାଇଥିବା ୱେଲକମ୍ ସଙ୍ଗ ପରିବେଷଣ ହେବ। ଏଥିରେ କଣ୍ଠଦାନ କରିଥିବା କୋରାପୁଟର ଝିଅ ନମିତା ମେଲକା ମଧ୍ୟ ଉତ୍ସବରେ ଗୀତ ଗାଇବେ। ଏହାଛଡ଼ା ବିଶ୍ୱକପ ଆନ୍ଥେମ ‘ହକି ହେ ଦିଲ ମେରା’ ଗୀତରେ ଝୁମିବେ ଦର୍ଶକ।

 

ଉଦଘାଟନୀ ଉତ୍ସବ ପାଇଁ ସଜେଇ ହୋଇଛି କଟକ ସହର। ରାସ୍ତାଘାଟରେ ହୋଇଛି ସୌନ୍ଦର୍ଯ୍ୟକରଣ। ବଡ଼ ବଡ଼ ହୋଡିଂ ସହିତ ବିଭିନ୍ନ କଲରଫୁଲ ବ୍ୟାନର ଷ୍ଟାଡିୟମର ଶୋଭା ବଢାଉଛି। କଟକ ସହରର ୧୬ଟି ସ୍ଥାନରେ ବିଶ୍ଵକପ ଉଦଘାଟନୀ ପାଇଁ ଫ୍ୟାନ ପାର୍କ କରାଯାଇଛି। କେବଳ କଟକ ନୁହେଁ ସମଗ୍ର ରାଜ୍ୟରେ ବିଶ୍ଵକପ ଉଦ୍‌ଘାଟନୀ ଉତ୍ସବର ସିଧା ପ୍ରସାରଣ ପାଇଁ ରାଜ୍ୟ ସରକାର ଯୋଜନା ରଖିଛନ୍ତି। ଗାଁ ରୁ ଆରମ୍ଭ କରି ସହର ବିଭିନ୍ନ ସ୍ଥାନରେ ଏଥିଲାଗି ବ୍ୟବସ୍ଥା କରାଯାଇଛି।

Tags: #HockeyWorldCup2023 #OpeningCeremony #celebration #BarabatiStadium #RanveerSingh #DishaPatni #Odisha

Comment