ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ଡ୍ର ରହିଛି। ପୁରୁଷ ହକି ବିଶ୍ଵକପ ୨୦୨୩ରେ ଖେଳାଯାଇଥିବା ଗ୍ରୁପ୍ ‘ଡି’ର ମୁକାବିଲାଟି ଗୋଲ ଶୂନ୍ୟ ହୋଇ ଶେଷ ହୋଇଛି। ମ୍ୟାଚରେ ଉଭୟ ଭାରତ ଓ ଇଂଲଣ୍ଡ ଗୋଲ ଦେବାପାଇଁ ଆପ୍ରାଣ ଉଦ୍ୟମ କରି ଏଥିରେ ବିଫଳ ହୋଇଛନ୍ତି। ମ୍ୟାଚ ବରାବର ରହିବା ଫଳରେ ଉଭୟ ଦଳକୁ ଏକ ପଏଣ୍ଟ ଲେଖାଏଁ ମିଳିଛି। ଏହି ମୁକାବିଲାଟି ପୁରୁଷ ହକି ବିଶ୍ଵକପ ୨୦୨୩ର ପ୍ରଥମ ଅମୀମାଂସୀତ ମ୍ୟାଚ ହୋଇଛି।

ରବିବାର ସନ୍ଧ୍ୟା ୭ଟାରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭାରତ ଖେଳିବାକୁ ଓହ୍ଲାଇଥିଲା ନିଜର ଦ୍ଵିତୀୟ ଗ୍ରୁପ୍ ମ୍ୟାଚ। ଆରମ୍ଭରୁ ଉଭୟ ଦଳ ବହୁତ ଭଲ ଖେଳି ଥିଲେ। ମ୍ୟାଚରେ ଉଭୟ ଦଳର ଫରୱାର୍ଡ ଯେତେ ଉନ୍ନତ ଥିଲା ତା’ଠାରୁ ଅଧିକ ଆକର୍ଷଣୀୟ ଥିଲା ଦୁଇ ଦଳର ଡିଫେନ୍ସ। ମ୍ୟାଚରେ ଉଭୟ ଦଳ ଗୋଲ ଦେବାପାଇଁ ଅନେକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଲାଢୁଆ ଡିଫେନ୍ସ ଯୋଗୁଁ ଗୋଲ ହୋଇପାରିନଥିଲା।

ମ୍ୟାଚରେ ଭାରତୀୟ ଦଳର ଡିଫେଣ୍ଡରମାନେ ଅତି ସୁନ୍ଦର ପ୍ରଦର୍ଶନ କରିଥିଲେ। ପଡ଼ିଆରେ ଚମକିଥିଲେ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଓ ନିଲମ ସଞ୍ଜୀପ ଖେସ। ଭାରତୀୟ ଦଳର ଅନ୍ୟ ଖେଳାଳିଙ୍କ ସହ ମିଶି ସେମାନେ ଇଂଲଣ୍ଡର ଅନେକ ପେନାଲ୍ଟି କର୍ନରକୁ ପ୍ରତିହତ କରିବାରେ ସଫଳ ହୋଇଥିଲେ।

ବିର୍ସା ମୁଣ୍ଡା ଷ୍ଟାଡିୟମରେ ୨୦ ହଜାରରୁ ଅଧିକ ଦର୍ଶକ ମ୍ୟାଚ ଦେଖିବା ପାଇଁ ଉପସ୍ଥିତ ଥିଲେ। ସେମାନେ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚର ଭରପୂର ଆନନ୍ଦ ନେଇଥିଲେ। ଏବେ ବିଶ୍ଵକପ ଗ୍ରପ୍ ‘ଡି’ ରେ ଉଭୟ ଭାରତ ଓ ଇଂଲଣ୍ଡର ପଏଣ୍ଟ ସମାନ ରହିଛି। ଗୋଲ ବ୍ୟବଧାନରେ ଆଗରେ ରହିଥିବାରୁ ଇଂଲଣ୍ଡ ଗ୍ରୁପ୍ ଶୀର୍ଷ ସ୍ଥାନରେ ରହିଛି। ଭାରତକୁ ଗ୍ରୁପରେ ଶୀର୍ଷସ୍ଥାନ ହାସଲ କରିବାକୁ ହେଲେ ଗୁରୁବାର ୱେଲ୍ସ ବିପକ୍ଷ ମୁକବିଲାରେ ବଡ଼ ଗୋଲ ବ୍ୟବଧାନରେ ଜିତିବାକୁ ହେବ।

Tags: #Men’sHockeyWorldCup #Groupstage #India #England #MatchDraw #Hockey #India #Odisha

Comment