ଓଡ଼ିଶାଲାଇଭ୍ ବ୍ୟୁରୋ

କଳିଙ୍ଗ ଷ୍ଟାଡିୟମରେ ୱେଲ୍ସକୁ ୪-୨ ଗୋଲରେ ହରାଇ ଭାରତ ବିଜୟ ହାସଲ କରିଛି। ଏହି ମ୍ୟାଚରେ ସିଧାସଳଖ କ୍ଵାର୍ଟରଫାଇନାଲ ଖେଳିବାକୁ ଆଶା ରଖିଥିବା ଭାରତୀୟ ହକି ଦଳ ନିରାଶ ହୋଇଛି। କମ୍ ଗୋଲ ବ୍ୟବଧାନରେ ବିଜୟ ହାସଲ କରିଥିବାରୁ ପ୍ରି-କ୍ୱାର୍ଟର ସଦୃଶ କ୍ରସଓଭର ମ୍ୟାଚ ଖେଳିବ ଭାରତ।

ଆସନ୍ତା ୨୨ ତାରିଖରେ ନ୍ୟୁଜିଲାଣ୍ଡ ଦଳ ସହ କ୍ରସଓଭର ମ୍ୟାଚ ଖେଳିବ ଭାରତୀୟ ହକି ଦଳ। ଆସନ୍ତା ରବିବାର ଦିନ ହେବାକୁ ଥିବା ଏହି ମ୍ୟାଚରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ଅଲିମ୍ପିଆନ ଲିଲିମା ମିଞ୍ଜ। ସେ କହିଛନ୍ତି ସବୁବେଳେ ଭାରତୀୟ ହକି ଦଳ ନିଜ ଭୁଲରୁ ନୂଆ ନୂଆ ଅଭିଜ୍ଞତା ହାସଲ କରିଛନ୍ତି। ଭାରତୀୟ ଟିମକୁ ପେନାଲ୍ଟି କର୍ଣ୍ଣର ପ୍ରତି ଟିକେ ଅଧିକ ଗୁରୁତ୍ଵ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଓଡ଼ିଶାର ଗୌରବ ବଢ଼ାଉଛନ୍ତି ଅମିତ ଓ ନିଲମ: ଅନ୍ତର୍ଜାତୀୟ ହକି ଖେଳାଳି ଷ୍ଟାଲିନ ଭିକ୍ଟର ମିଞ୍ଜ

ଓଡ଼ିଶାରେ ଦ୍ଵିତୀୟ ଥର ପାଇଁ ହକି ବିଶ୍ଵକପ ହେଉଛି। ଭାରତୀୟ ହକି ଦଳର ପ୍ରଦର୍ଶନ ମଧ୍ୟ ଭଲ ରହିଛି। ସବୁଠାରୁ ବଡ଼ କଥା ହେଲା ବିଶ୍ଵକପରେ ଖେଳୁଥିବା ଦୁଇ ଜଣ ଓଡ଼ିଶାର ହକି ଖେଳାଳି  ଅମିତ ରୋହିଦାସ ଏବଂ ନିଲମ ସଞ୍ଜୀପ ଖେସ ରାଜ୍ୟର ଗୌରବ ବଢ଼ାଉଛନ୍ତି ବୋଲି କହିଛନ୍ତି ଅନ୍ତର୍ଜାତୀୟ ହକି ଖେଳାଳି ଷ୍ଟାଲିନ ଭିକ୍ଟର ମିଞ୍ଜ।

ସେ ଆହୁରି ମଧ୍ୟ କହିଛନ୍ତି ନିଲମ ସଞ୍ଜୀପ ଖେସ ନୂଆ ଖେଳାଳି ହୋଇଥିଲେ ମଧ୍ୟ ତାଙ୍କର ହକି ଖେଳର ବହୁତ ଭଲ ଅଭିଜ୍ଞତା ରହିଛି। ସେ ବିଭିନ୍ନ ସ୍ଥାରେ ହକି ଖେଳି ସଫଳତା ହାସଲ କରିଛନ୍ତି। ଭାରତୀୟ ଦଳ ମ୍ୟାଚ ସମୟରେ ଛୋଟ ଛୋଟ ଦିଗ ପ୍ରତି ଧ୍ୟାନ ଦେଲେ ଆହୁରି ଭଲ ପ୍ରଦର୍ଶନ କରିପାରିବ ବୋଲି ଷ୍ଟାଲିନ କହିଛନ୍ତି।

ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା ଗ୍ରୁପ-ଡିର ଶେଷ ମ୍ୟାଚରେ ଭାରତ ବିଜୟୀ ହୋଇଥିଲେ ମଧ୍ୟ କମ୍ ଗୋଲ ବ୍ୟବଧାନ କାରଣରୁ କ୍ରସଓଭର ମ୍ୟାଚ ଖେଳିବ। ଆସନ୍ତା ରବିବାର ଦିନ ହେବାକୁ ଥିବା ଏହି ମ୍ୟାଚରେ ଭାରତ ସଫଳତା ପାଇବାକୁ ଲକ୍ଷ୍ୟ ରଖିଛି।

Tags: #HockeyWorldCup2023 #Odisha #FIH #HockeyIndia #HockeyWales

Comment