ଓଡ଼ିଶାଲାଇଭ୍ ବ୍ୟୁରୋ

ୱେଲ୍ସକୁ ୪-୨ ଗୋଲରେ ହରାଇଲା ଭାରତ। ସିଧାସଳଖ କ୍ଵାର୍ଟରଫାଇନାଲ ଖେଳିବା ଆଶାରେ ରହିଥିବା ଭାରତୀୟ ହକି ଦଳକୁ ନିରାଶ ହେବାକୁ ପଡ଼ିଛି। ଆସନ୍ତା ୨୨ ତାରିଖରେ ନ୍ୟୁଜିଲାଣ୍ଡ ଦଳ ସହ କ୍ରସଓଭର ମ୍ୟାଚ ଖେଳିବ ଭାରତୀୟ ଦଳ। ଆସନ୍ତା ରବିବାର ଦିନ ହେବାକୁ ଥିବା ଏହି ମ୍ୟାଚରେ ଭାରତ ବିଜୟ ଲକ୍ଷ୍ୟରେ ରହିଛି।

ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା ଗ୍ରୁପ-ଡିର ନିଜର ଶେଷ ମ୍ୟାଚରେ ବିଜୟୀ ହୋଇଛି ଭାରତୀୟ ହକି ଦଳ। ଏଫଆଇଏଚ ହକି ବିଶ୍ୱକପ୍-୨୦୨୩ରେ ଭାରତର ଏହା ଦ୍ୱିତୀୟ ବିଜୟ। ଭାରତ ଦୁଇଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ ଡ୍ର’ ସହ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଇଂଲଣ୍ଡ ପ୍ରଥମ ସ୍ଥାନରେ ରହିଛି। ଇଂଲଣ୍ଡ ସିଧାସଳଖ କ୍ୱାଟର ଫାଇନାଲକୁ ପ୍ରବେଶ କରିଥିବାବେଳେ କ୍ୱାଟର ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିବାକୁ ଭାରତକୁ ପ୍ରି- କ୍ଵାର୍ଟର ସଦୃଶ କ୍ରସଓଭର ମ୍ୟାଚ ଖେଳିବାକୁ ପଡ଼ିବ।

ପ୍ରଥମ ମ୍ୟାଚରେ ଭାରତ ସ୍ପେନକୁ ୨-୦ ଗୋଲରେ ହରାଇଥିବା ବେଳେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚ୍ ଡ୍ର ରହିଥିଲା। ଏହି ମ୍ୟାଚରେ ଭାରତ ପାଇଁ ସମସେର ସିଂ, ହରମନପ୍ରୀତ ସିଂ ଏବଂ ଆକାଶଦୀପ ସିଂ ଗୋଲ୍ କରିଥିଲେ। ସମସେର ସିଂ ଭାରତ ପାଇଁ ପ୍ରଥମ ଗୋଲ୍ କରିଥିଲେ। ପ୍ରଥମ ଅଧା ସୁଦ୍ଧା ଭାରତୀୟ ଦଳ ଦୁଇଟି ଗୋଲ ସହ ଆଗୁଆ ରହିଥିଲା। କିନ୍ତୁ ତୃତୀୟ କ୍ୱାର୍ଟରର ଶେଷରେ ୱେଲ୍ସ ପ୍ରତ୍ୟାବର୍ତ୍ତନ କରି ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିବର୍ତ୍ତନ କରି ୨-୨ରେ ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲା।

ଚତୁର୍ଥ କ୍ୱାର୍ଟରରେ ଭାରତ ଚମତ୍କାର ପ୍ରଦର୍ଶନ କରିଥିଲା ଏବଂ ଦୁଇଟି ଗୋଲ୍ କରି ବିଜୟ ହାସଲ କରିଥିଲା। ଭାରତ ପୁଲ-ଡିରେ ତିନି ମ୍ୟାଚରୁ ୭ ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଇଂଲଣ୍ଡ ଦଳ ୭ ଅଙ୍କ ସହ ଶୀର୍ଷରେ ରହିଛି। ଉଭୟ ଦଳ ପାଖରେ ଅଙ୍କ ବରାବର ରହିଥିଲେ ସୁଦ୍ଧା କମ ଗୋଲ ବ୍ୟବଧାନ ଯୋଗୁଁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି।

Tags: #HockeyWorldCup2023 #Odisha #FIH #HockeyIndia #HockeyWales

Comment