ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ୱରରୁ ବିମାନ ଯୋଗେ ଆସିଲେ ଭିନ୍ନକ୍ଷମ ଛାତ୍ରଛାତ୍ରୀ
  • ରାଉରକେଲା ବିମାନ ବନ୍ଦରରେ ସ୍ୱାଗତ କରାଗଲା
  • ବିମାନ ବନ୍ଦରରୁ ସ୍ୱତନ୍ତ୍ର ବସରେ ଷ୍ଟାଡିୟମ ଆସିଲେ ଛାତ୍ରଛାତ୍ରୀ

ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ହକି ବିଶ୍ୱକପ ମ୍ୟାଚ ଦେଖିଛନ୍ତି ଭିନ୍ନକ୍ଷମ ଛାତ୍ରଛାତ୍ରୀ। ଶୁକ୍ରବାର ଭୁବନେଶ୍ୱରର ବିଭିନ୍ନ ଭିନ୍ନକ୍ଷମ ବିଦ୍ୟାଳୟର ୧୭ ଜଣ ଛାତ୍ରଛାତ୍ରୀ ବିମାନରେ ଆସି ଷ୍ଟାଡିୟମରେ ହକି ମ୍ୟାଚ ଉପଭୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଲାଗି ଏହି ବ୍ୟବସ୍ଥା କରାଯାଇଛି। ପ୍ରଥମ ଥର ପାଇଁ ବିମାନରେ ବସିବା ଓ ମ୍ୟାଚ ଦେଖିଥିବାରୁ ଛାତ୍ରଛାତ୍ରୀଙ୍କ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି।

ଶୁକ୍ରବାର ଛାତ୍ରଛାତ୍ରୀମାନେ ବିମାନ ଯୋଗେ ରାଉରକେଲାରେ ପହଞ୍ଚିବା ପରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ଏହାପରେ ସ୍ୱତନ୍ତ୍ର ବସରେ ସେମାନଙ୍କୁ ବିର୍ସା ମୁଣ୍ଡା ଷ୍ଟାଡିୟମକୁ ନିଆଯାଇଥିଲା। ଭୁବନେଶ୍ୱରରୁ ଆସିଥିବା ଏହି ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ସେଠାରେ ବସି ମ୍ୟାଚର ମଜା ନେଇଥିଲେ।

ରାଉରକେଲା ପହଞ୍ଚିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୁବନେଶ୍ୱରର ଶ୍ରୀହର୍ଷ ମିଶ୍ର ମେମୋରିଆଲ ସ୍କୁଲ ଫର ଦ ଡିଫ୍, ଏସଆଇଇପି, ଜୁଏଲସ ଇଣ୍ଟରନ୍ୟାସନାଲ, ଚେତନା ଇନଷ୍ଟିଚ୍ୟୁଟ୍ ଫର ଇଣ୍ଟେଲେକଚୁଆଲ ଡିଜାବିଲିଟି ଏବଂ ଏନସିଏସସିଡିଏର ଛାତ୍ରଛାତ୍ରୀ ରହିଛନ୍ତି।

ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ ଦୀପକ ରାଉତରାୟ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ ବିମାନ ଯୋଗେ ରାଉରକେଲାରେ ପହଞ୍ଚିଥିଲେ। ଛାତ୍ରଛାତ୍ରୀଙ୍କ ମ୍ୟାଚ ଦେଖିବା ଲାଗି ବିର୍ସା ମୁଣ୍ଡା ଷ୍ଟାଡିୟମରେ ସବୁ ବ୍ୟବସ୍ଥା କରଯାଇଥିଲା।

ରାଉରକେଲାରେ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭୈରବ ସିଂ ପଟେଲ, ସୁନ୍ଦରଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ହାବଡ଼ାସିଂ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Tags: #HockeyMen’sWorldcup #DisableStudents #WorldcupMatch #BirsaMundaHockeyStadium #Rourkela #Odisha

Comment