ଓଡ଼ିଶାଲାଇଭ୍ ବ୍ୟୁରୋ

ଏଫଆଇଏଚ୍ ପରୁଷ ହକି ବିଶ୍ଵକପରେ ଶେଷ ହୋଇଛି କ୍ରସ୍ଓଭର ମୁକାବିଲା। ମଙ୍ଗଳବାରରୁ ଆରମ୍ଭ ହେବାକୁ ଯାଉଛି କ୍ଵାର୍ଟର ଫାଇନାଲ ଲଢ଼େଇ। ଏହି ପର୍ଯ୍ୟାୟ ବିଶ୍ଵକପରେ ୮ଟି ଦେଶର ସ୍ଥିତି ନିର୍ଦ୍ଧାରଣ କରିବ। ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ କ୍ଵାର୍ଟର ମୁକବିଳରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ସ୍ପେନ ଏବଂ ବେଲଜିୟମ ଓ ନ୍ୟୁଜିଲାଣ୍ଡ। ସେହିଭଳି ବୁଧବାର ପ୍ରଥମେ ଇଂଲଣ୍ଡ ଓ ଜର୍ମାନୀ ଏବଂ ଦ୍ଵିତୀୟରେ ନେଦରଲାଣ୍ଡସ ଓ ଦକ୍ଷିଣ କୋରିଆ ମଧ୍ୟରେ ମ୍ୟାଚ ଖେଳାଯିବ।

ମଙ୍ଗଳବାର ବିଶ୍ଵକପର ପ୍ରଥମ କ୍ଵାର୍ଟର ଫାଇନାଲରେ ଖେଳିବେ ଅଷ୍ଟ୍ରେଲିଆ ଓ ସ୍ପେନ। କଳିଙ୍ଗ ଷ୍ଟାଡିୟମରେ ଅପରାହ୍ଣ ୪.୩୦ରେ ଆରମ୍ଭ ହେବ ଏହି ମୁକାବିଲା। ଅଷ୍ଟ୍ରେଲିଆ ଦଳ ଚଳିତ ବିଶ୍ଵକପର ଏକ ପ୍ରମୁଖ ଦାବିଦାର। ଗ୍ରୁପ୍ ପର୍ଯ୍ୟାୟରେ ଦଳ ଭଲ ପ୍ରଦର୍ଶନ କରିଥିଲା।  ଅଧିନାୟକ ଏଡି ୱାକେଣ୍ଡନଙ୍କ ନେତୃତ୍ଵରେ ଦଳର ଅନ୍ୟ ଖେଳାଳି ଟମ କ୍ରେଗ, ବ୍ଲେକ୍ ଗ୍ରୋଭର ଜେରେମି ହେୱାର୍ଡ ପ୍ରମୁଖଙ୍କ ଉପରେ ମ୍ୟାଚରେ ନଜର ରହିବ।

ଅନ୍ୟପଟେ ସ୍ପେନକୁ ଛୋଟ ମନେ କରିହେବ ନାହିଁ । ମାଲେସିଆ ବିପକ୍ଷ କ୍ରସ୍ଓଭର ମ୍ୟାଚରେ ଦଳର ଚମତ୍କାର ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଛି। ଅଧିନାୟକ ମାର୍କ ମିରାଲ୍ସଙ୍କ ନେତୃତ୍ଵରେ ଦଳ ବିଶ୍ଵକପରେ ଭଲ ପ୍ରଦର୍ଶନ କରୁଛି। ତେବେ ମଙ୍ଗଳବାର ମ୍ୟାଚରେ ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେବେ।

କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ସରିବା ପରେ ବେଲଜିୟମ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ଵିତୀୟ କ୍ଵାର୍ଟର ଫାଇନାଲ୍ ଟକ୍କର ଆରମ୍ଭ ହେବ। ସନ୍ଧ୍ୟା ୭ଟା ବେଳେ ଏହି ମୁକବିଲା ଆରମ୍ଭ ହେବ। କ୍ୟାପଟେନ ଆର୍ଥର ଭାନ ଡୋରେନଙ୍କ ନେତୃତ୍ଵରେ ବେଲଜିୟମ ଦଳ ଚଳିତ ବିଶ୍ଵକପରେ ଅତି ସୁନ୍ଦର ପ୍ରଦର୍ଶନ କରିଛି। ଡିଫେଣ୍ଡିଂ ଚାମ୍ପିୟାନ ଦଳରେ ରହିଛନ୍ତି ଟମ ବୁନ, ଭିକ୍ଟର ୱେଗନେଜଙ୍କ ଭଳି ଖେଳାଳି।

ଦ୍ଵିତୀୟ କ୍ଵାର୍ଟର ଖେଳୁଥିବା ନ୍ୟୁଜିଲାଣ୍ଡ ଦଳ ମଧ୍ୟ ଚଳିତ ବିଶ୍ଵକପର ଏକ ପ୍ରମୁଖ ଦଳ। ରବିବାର ବିଶ୍ଵକପ କ୍ରସ୍ଓଭର ମ୍ୟାଚରେ ଦଳ ଭାରତ ପାଇଁ ଆଣିଥିଲା ବିପର୍ଜୟ। ଅଧିନାୟକ ନିକ୍ ଉଡ୍ସଙ୍କ ନେତୃତ୍ଵରେ ଦଳର ପ୍ରଦର୍ଶନରେ ବହୁତ ଉନ୍ନତି ହୋଇଛି। ମଙ୍ଗଳବାର ବେଲଜିୟମ ବିପକ୍ଷ ମ୍ୟାଚରେ ଏକ ଭଲ ମୁକାବିଲା ଦେଖିବାକୁ ମିଳିବ ବୋଲି ଆଶା କରାଯାଇପାରେ।

୨୦୨୩ ହକି ବିଶ୍ଵକପରେ ଅଷ୍ଟ୍ରେଲିଆ,ବେଲଜିୟମ, ଇଂଲଣ୍ଡ ଓ ନେଦରଲାଣ୍ଡସ ସିଧାସଳଖ କ୍ଵାର୍ଟରକୁ ଆସିଛନ୍ତି। ଅନ୍ୟପଟେ ସ୍ପେନ, ନ୍ୟୁଜିଲାଣ୍ଡ, ଜର୍ମାନୀ ଓ ଦକ୍ଷିଣ କୋରିଆ କ୍ରସ୍ଓଭର ମ୍ୟାଚ ଜିତି କ୍ଵାର୍ଟର ଫାଇନାଲକୁ ଯାଇଛନ୍ତି।

Tags: #HockeyMen’sWorldCup #QuarterFinal #AustraliaVsSpain #BelgiumVsNewZealand #KalingaStadium #India #Odisha

Comment