ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ପୁରୁଷ ବିଶ୍ଵକପ ୨୦୨୩ ସରିବାର ମାତ୍ର ଗୋଟିଏ ଦିନ ପରେ ଭାରତୀୟ ହକି ଦଳର ମୁଖ୍ୟ କୋଚ୍ ଗ୍ରାହାମ ରିଡ୍ ଇସ୍ତଫା ଦେଇଛନ୍ତି। ବିଶ୍ଵକପରେ ଭାରତୀୟ ଦଳର ଖରାପ ପ୍ରଦର୍ଶନ ପରେ ସେ ନିଜ ପଦ ଛାଡ଼ିଛନ୍ତି। ସୋମବାର ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀଙ୍କୁ ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଗ୍ରାହାମ ରିଡଙ୍କ ସହ ହକି ଦଳର ଆନାଲିଟିକାଲ କୋଚ୍ ଗ୍ରେଗ୍‌ କ୍ଲାର୍କ ଓ ବୈଜ୍ଞାନିକ ପରାମର୍ଶଦାତା ମିଚେଲ ଡେଭିଡ୍ ପେମବର୍ଟନ ମଧ୍ୟ ନିଜ ନିଜ ପଦ ଛାଡ଼ିଛନ୍ତି।

ଗ୍ରାହାମ ରିଡ୍ ଓ ଅନ୍ୟ ପ୍ରଶିକ୍ଷକମାନେ ବିଶ୍ଵକପ ପରେ ଦଳର ଖେଳାଳିମାନଙ୍କ ସହ ଆଲୋଚନା କରିଥିଲେ। ସେମାନେ ଦଳର କାର୍ଯ୍ୟଦକ୍ଷତା ଏବଂ ରଣନୀତି ବିଷୟରେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀଏବଂ ସମ୍ପାଦକ ଭୋଲନାଥ ସିଂହଙ୍କ ସହ ଆଲୋଚନା କରିବା ପରେ ଇସ୍ତଫା ଦେଇଛନ୍ତି। ହକି ଇଣ୍ଡିଆ ସେମାନଙ୍କ ଇସ୍ତଫାକୁ ଗ୍ରହଣ କରିଛି। ଏବେ ଏହି ୩ ଜଣ ପ୍ରଶିକ୍ଷକ ଆଉ ଏକ ମାସ ପର୍ଯ୍ୟନ୍ତ ଦଳ ପାଇଁ କାମ କରିବେ।

“ଭାରତୀୟ ହକି ଦଳ ଓ ହକି ଇଣ୍ଡିଆ ସହ କମ କରିବା ମୋ ପାଇଁ ଗୌରବର ବିଷୟ। ଏହି ସମୟ ମଧ୍ୟରେ ମୁଁ ଦଳ ସହ ପ୍ରତ୍ୟେକ ମୁହୂର୍ତ୍ତକୁ ବହୁତ ଭଲ ଭାବେ ବିତାଇଛି। ଏବେ ମୁଁ ଦଳର ପ୍ରଶିକ୍ଷଣ ଭାରକୁ ଅନ୍ୟକୁ ଦେଇ ବିଦାୟ ନେବାର ସମୟ ଆସି ଯାଇଛି। ଦଳକୁ ଭବିଷ୍ୟତ ପାଇଁ ମୁଁ ଶୁଭକାମନା ଜଣାଉଛି”, କହିଛନ୍ତି ଗ୍ରାହାମ ରିଡ୍।

“ଗ୍ରାହାମ ରିଡ୍‌ ଏବଂ ତାଙ୍କ ପ୍ରଶିକ୍ଷକ ମଣ୍ଡଳି ନିକଟରେ ଆମେ ସର୍ବଦା କୃତଜ୍ଞ ରହିବୁ। ସେମାନେ ଅଲିମ୍ପିକ୍‌ ଓ ଅନ୍ୟ ପ୍ରତିଯୋଗିତାରେ ଭାରତୀୟ ଦଳ ପାଇଁ ଅନେକ ସଫଳତା ଆଣିଛନ୍ତି। ସେମାନଙ୍କ ଯିବା ପରେ ଆମକୁ ଦଳର ନୂଆ ଆଭିମୁଖ୍ୟକୁ ନେଇ ଚାଲିବାକୁ ପଡ଼ିବ”, କହିଛନ୍ତି ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ।

ଗ୍ରାହାମ ରିଡ୍ ୨୦୧୯ ମସିହା ଏପ୍ରିଲ୍‌ ମାସରେ ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତ ହୋଇଥିଲେ। ଏହି ଅଷ୍ଟ୍ରେଲୀୟ ପ୍ରଶିକ୍ଷକଙ୍କ ନେତୃତ୍ଵରେ ଭାରତୀୟ ହକି ଦଳ ଟୋକିଓ ଅଲିମ୍ପିକ୍ସରେ ଐତିହାସକ କାଂସ୍ୟ ପଦକ ଜିତିବାର ଗୌରବ ପାଇଥିଲା। ଏହାପରେ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଓ ଏଫ୍‌ଆଇଏଚ୍‌ ‌ହକି ପ୍ରୋ ଲିଗ୍‌ ୨୦୨୧-୨୨ରେ କାଂସ୍ୟ ପଦକ ଜିତିବାରେ ଗ୍ରାହାମ ରିଡ୍ ଓ ଅନ୍ୟ ସହଯୋଗୀଙ୍କ ବିଶେଷ ଅବଦାନ ଥିଲା।

୨୦୨୩ ବିଶ୍ଵକପର କ୍ରସ୍‌ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରି ଭାରତୀୟ ପୁରୁଷ ହକି ଦଳ ନିଜର ଯାତ୍ରା ଶେଷ କରିଥିଲା। ଏହାପରେ ଦଳ ଦୁଇଟି କ୍ଲାସିଫିକେସନ ମ୍ୟାଚ୍ ଜିତି ନବମ ସ୍ଥାନ ହାସଲ କରିଥିଲା ଟିମ୍ ଇଣ୍ଡିଆ।

Tags: #GrahamReid #Coach #IndianMen’sHockeyTeam #Resigned #HockeyMen’sWorldCup #Odisha #India

LEAVE A REPLY

Please enter your comment!
Please enter your name here