ଓଡ଼ିଶାଲାଇଭ୍ ବ୍ୟୁରୋ

ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଉପସ୍ଥାପିତ ହୋଇଛି ସାଧାରଣ ବଜେଟ୍। ବୁଧବାର ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ବଜେଟରେ କେନ୍ଦ୍ର ସରକାର ସବୁଜ ଶକ୍ତି ବା ଗ୍ରୀନ ଏନର୍ଜି ଉପରେ ଗୁରୁତ୍ୱ ଦେଇଛନ୍ତି। ୨୦୭୦ ମସିହା ସୁଦ୍ଧା ଭାରତ ରଖିଥିବା ‘ନେଟ୍ ଜିରୋ କାର୍ବନ ଉତ୍ସର୍ଗ’ ଲକ୍ଷ୍ୟ ସମ୍ବନ୍ଧରେ ବଜେଟରେ ବିଶେଷ ଧ୍ୟାନ ଦିଆଯାଇଛି। ଭାରତରେ ସବୁଜ ଶକ୍ତି ପ୍ରକଳ୍ପ ପାଇଁ ୩୫ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ବଜେଟରେ ବ୍ୟୟବରାଦ ହୋଇଥିବା ଟଙ୍କାକୁ ଦେଶରେ ହେବକୁ ଥିବା ବିଭିନ୍ନ ସବୁଜ ଶକ୍ତି ପ୍ରକଳ୍ପରେ ବିନିଯୋଗ କରାଯିବ। ସରକାର ଦେଶରେ ୪ ହଜାର ମେଗାୱାଟ କ୍ଷମତା ବିଶିଷ୍ଟ ବ୍ୟାଟେରି ଶକ୍ତି ସଂରକ୍ଷଣ ବ୍ୟବସ୍ଥା ବିକାଶ କରିବାକୁ ଯୋଜନା ରଖିଛନ୍ତି।

ଏହାଛଡ଼ା ସବୁଜ ଶକ୍ତି ପାଇଁ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପଗୁଡ଼ିକ ପାଇଁ ଏକ ବିସ୍ତୃତ ଢାଞ୍ଚା ମଧ୍ୟ ପ୍ରସ୍ତୁତ କରାଯିବ। ନବୀକରଣ ଯୋଗ୍ୟ ଶକ୍ତିର ପ୍ରବାହ ପାଇଁ ଲଦାଖରୁ ୧୩ ଗିଗାୱାଟ୍ କ୍ଷମତା ବିଶିଷ୍ଟ ଏକ ଆନ୍ତ ରାଜ୍ୟ ଟ୍ରାନ୍ସମିସନ ପ୍ରକଳ୍ପ ବନେଇବାକୁ ସରକାର ଯୋଜନା କରିଛନ୍ତି।

ବଜେଟରେ ସରକାର ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ପାଇଁ ୧୯,୭୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ କରିଛନ୍ତି। ୨୦୨୩ ଶୁଦ୍ଧା ସରକାର ୫ ମିଲିୟନ ମେଟ୍ରିକ ଟନ ଗ୍ରୀନ ହାଇଡ୍ରୋଜେନ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହା ଦ୍ଵାରା ତୈଳ ଆମଦାନୀ ଉପରେ କମ ନିର୍ଭରତା, ଅଙ୍ଗାରକାମ୍ଳର ମାତ୍ରାକୁ ହ୍ରାସ କରିବା ଦିଗରେ ସହାୟତା ମିଳିବ।

“ସରକାର ସବୁଜ ଇନ୍ଧନ, ସବୁଜ ଶକ୍ତି,ଏବଂ ଦେଶର ବିଭିନ୍ନ କ୍ଷେତ୍ରରେ ଏହି ଶକ୍ତିର ଉପଯୋଗ ପାଇଁ ଆମେ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହା ଦେଶରେ ସବୁଜ ଶକ୍ତିର ଅଭିବୃଦ୍ଧି କରିବା ସହ ଅଙ୍ଗାରକାମ୍ଳର ମାତ୍ରାକୁ ହ୍ରାସ କରିବାରେ ସାହାଯ୍ୟ କରୁଛି। ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ ମିଶନ, ଗୋବର୍ଦ୍ଧନ ଭଲି ଯୋଜନା ଦେଶର ସବୁଜ ଅର୍ଥନୀତିକୁ ଅଧିକ ଗତି ଦେବ”, କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଗ୍ରୀନ୍ ହାଇଡ୍ରୋଜେନ୍, ଗ୍ରୀନ୍ ଏନର୍ଜି ସହିତ ସରକାର ଦେଶରେ ବିକ୍ରି ହେଉଥିବା ବୈଦୁତିକ ଯାନର ମୂଲ୍ୟକୁ ହ୍ରାସ କରିଛନ୍ତି। ୨୦୨୩ ବଜେଟ୍ ଅନୁସାରେ ସରକାର ଆବର୍ଜନାରୁ ଆୟ କରିବା ଲକ୍ଷ୍ୟରେ ‘ଗୋବର୍ଦ୍ଧନ ଯୋଜନା’ ଆଣିବାକୁ ଯାଉଛନ୍ତି। ଏହାପାଇଁ ବଜେଟରେ ୧୦,୦୦୦ କୋଟିର ପାଣ୍ଠି ବ୍ୟୟବରାଦ କରାଯାଇଛି। ଏଥିଲାଗି ଦେଶରେ ୫୦୦ ଟି ‘ୱେଷ୍ଟ ଟୁ ୱେଲଥ୍’ ସେଣ୍ଟର ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରୁ ୨୦୦ଟି ସେଣ୍ଟରରେ ବାୟୋଗ୍ୟାସ୍ ପ୍ଳାଣ୍ଟ ରହିବ।

Tags: #Budget2023-24 #GreenEnergy #GreenHydrogen #BudgetAllocation #NirmalaSithaRaman #India

Comment