ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ୧୦ଟି ଜିଲ୍ଲାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଭର୍ଚୁଆଲ ହାଇକୋର୍ଟ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସ ଜରିଆରେ ଓଡ଼ିଶାରେ ଭର୍ଚୁଆଲ ହାଇକୋର୍ଟ ବ୍ୟବସ୍ଥାକୁ ଉଦ୍‌ଘାଟନ କରିଛନ୍ତି। କଟକ ଜୁଡିସିଆଲ ଏକାଡେମୀଠାରେ ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ବାଲେଶ୍ୱର, ସମ୍ବଲପୁର, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଭଦ୍ରକ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ବଲାଙ୍ଗୀର, କୋରାପୁଟ ଜିଲ୍ଲାର ଜୟପୁର, ପୁରୀ, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଓ ଭୁବନେଶ୍ୱରଠାରେ ହାଇକୋର୍ଟର ଭର୍ଚୁଆଲ କ୍ୟାବିନ କାର୍ଯ୍ୟକ୍ଷମ ହୋଇଛି।

ଭର୍ଚୁଆଲ ହାଇକୋର୍ଟରେ ଭିଡିଓ କନ୍‌ଫରେନ୍ସ ସୁବିଧା ରହିଛି। ଏଠାରେ ଆଇନଜୀବୀମାନେ ବିଭିନ୍ନ ମାମଲାକୁ ଇ-ଫାଇଲ କରିପାରିବେ। କୌଣସି ଆଇନଜୀବୀ ବା ପକ୍ଷ ଚାହିଁଲେ ଲିଖିତ ମାଧ୍ୟମରେ ବି ମାମଲା ଦାଏର କରିପାରିବେ। ଏଠାରେ ଥିବା କମ୍ପ୍ୟୁଟର ସିଷ୍ଟମ ଜରିଆରେ ସେଗୁଡ଼ିକ ସ୍କାନ୍‌ ହୋଇ ହାଇକୋର୍ଟ ପୋର୍ଟାଲରେ ଅପ୍‌ଲୋଡ୍‌ ହେବ। ଏହି କାର୍ଯ୍ୟ ପାଇଁ ଜଣେ ଆସିଷ୍ଟାଣ୍ଟ ସେକ୍ସନ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି।

“ଏବେ ଦେଶର ଅଧିକାଂଶ ହାଇକୋର୍ଟରେ କେବଳ ଗୋଟିଏ ବେଞ୍ଚ କାର୍ଯ୍ୟ କରୁଥିବାବେଳେ କିଛି ହାଇକୋର୍ଟରେ ଦୁଇଟି ବେଞ୍ଚ ରହିଛି। ହେଲେ ଓଡ଼ିଶା ହାଇକୋର୍ଟ ରାଜ୍ୟର ସବୁ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ଯାହା ଦେଶରେ ପ୍ରଥମ। ହାଇକୋର୍ଟ କ୍ଷେତ୍ରରେ ଇ-ବ୍ୟବସ୍ଥା ଏକ ଜାତୀୟ ଆନ୍ଦୋଳନରେ ପରିଣତ ହେବା ସହ ଦେଶର ଅନ୍ୟ ହାଇକୋର୍ଟଗୁଡ଼ିକ ଏହାକୁ ଅନୁସରଣ କରିବେ। ଏହାଦ୍ୱାରା ନ୍ୟାୟିକ ବ୍ୟବସ୍ଥାର ବିକେନ୍ଦ୍ରୀକରଣ ହୋଇପାରିବ। ବର୍ତ୍ତମାନ ବିଭିନ୍ନ ହାଇକୋର୍ଟର ରାୟକୁ ଆଇଆଇଟି ମାଡ୍ରାସ ସହାୟତାରେ ଆଞ୍ଚଳିକ ଭାଷାରେ ଅନୁବାଦ ଲାଗି ପଦକ୍ଷେପ ନିଆଯାଉଛି”, କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼।

“ଜିଲାସ୍ତରରେ ଭର୍ଚୁଆଲ ହାଇକୋର୍ଟ ସ୍ଥାପନ ଭବିଷ୍ୟତ ପାଇଁ ଏକ ବଡ଼ ପଦକ୍ଷେପ। ଏହା ସଫଳ ହେଲେ ନ୍ୟାୟିକ ବ୍ୟବସ୍ଥାର ରୂପ ପରିବର୍ତ୍ତନ ହେବ। ଲୋକମାନେ ପ୍ରତି ଜିଲ୍ଲାରେ ହାଇକୋର୍ଟର ଉପସ୍ଥିତିକୁ ଅନୁଭବ କରିପାରିବେ। ଏହାଦ୍ୱାରା ହାଇକୋର୍ଟଠାରୁ ବହୁ ଦୂରରେ ଥାଇ ଲୋକମାନେ ହାଇକୋର୍ଟରେ ମାମଲା ଦାଏର କରିପାରିବେ। ଏଥିସହ ଶୁଣାଣିରେ ଉପସ୍ଥିତ ରହିବା ସହ ସାର୍ଟିଫାଏଡ୍‌ କପି ମଧ୍ୟ ପାଇପାରିବେ”, କହିଛନ୍ତି ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର।

ବର୍ତ୍ତମାନ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ୧.୭ ଲକ୍ଷ ମାମଲା ବିଚାରଧୀନ ରହିଛି। ଏବେ ଯେଉଁ ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ସ୍ଥାପନ ହୋଇଛି, କେବଳ ସେଠାରୁ ୭୨,୭୬୦ ମାମଲା ରହିଛି। ଏ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୭,୧୬୦ଟି ମାମଲା ବିଚାରଧୀନ ରହିଛି।

ଭର୍ଚୁଆଲ ହାଇକୋର୍ଟ ଉଦଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ବିଚାରପତି ଶୁଭାଶିଷ ତାଳପତ୍ର, ବିଚାରପତି ଡକ୍ଟର ସଞ୍ଜୀବ କୁମାର ପାଣିଗ୍ରାହୀ, ହାଇକୋର୍ଟ ବାର୍‌ ଆସୋସିଏସନର ସଦସ୍ୟ ଓ ୧୦ଟି ଜିଲ୍ଲାର ଆଇନଜୀବୀ ଉପସ୍ଥିତ ଥିଲେ।

Tags: #VirtualHighcourt #Odisha #ChiefJusticeDYChandrachud #SupremeCourt #JusticeSMuralidhar #OdishaHighCourt

LEAVE A REPLY

Please enter your comment!
Please enter your name here